ମୃତ୍ୟୁ ପରେ ସଫେଇ କର୍ମଚାରୀ ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା

ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ମୃତ୍ୟୁ ପରେ ସେ ରହୁଥିବା ଘରୁ ବାହାରିଲା ପୁଳା ପୁଳା ଟଙ୍କା ଓ ସୁନା। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ, ପଡୋଶୀ ଓ ସ୍ଥାନୀୟ ଲୋକେ ଏହାଦେଖି ବେଶ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଏହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ବର୍ଷ ଧରି ଡମ୍ବରୁ ଗରଡା ନାମକ ବ୍ୟକ୍ତି ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରି ଆସୁଥିଲେ। ସେ ସରକାରୀ ଚାକିରିଆ ହୋଇଥିବା ବେଳେ ଏକା ହିଁ ରହୁଥିଲେ। ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ସେ ବିବାହ କରିନଥିବା ସହ ତାଙ୍କର ସେମିତି କେହି ସମ୍ପର୍କୀୟ ମଧ୍ୟ ନଥିଲେ। ନୀତିଦିନ ଡମ୍ବରୁ ସାଇକେଲ ଯୋଗେ ଚିକିତ୍ସାଳୟକୁ ଯାଇ ନିଜ କାର୍ଯ୍ୟ କରି ଫେରୁଥିବା ବେଳେ ଅତି ସାଧାରଣ ଭାବେ ଜୀବନ ଅତିବାହିତ କରୁଥିଲେ। ଏପରିକି ଲୋକଙ୍କ ସହ ତାଙ୍କ ସମ୍ପର୍କ ମଧ୍ୟ ସାଧାରଣ ଥିଲା ଓ ସେ ରହୁଥିବା ଘରେ ବିଜୁଳି ସଂଯୋଗ ମଧ୍ୟ ନଥିଲା।
ତେବେ ହଟାତ ଦୁଇଦିନ ପୂର୍ବେ ତାଙ୍କର ଛାତିରେ ଯନ୍ତ୍ରଣା ହେଉଥିବାରୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ଦୂରରେ ଥିବା ତାଙ୍କର କିଛି ସମ୍ପର୍କୀୟ ଏବିଷୟରେ ଖବର ପାଇ ଆସିବା ପରେ ପୋଲିସ ସହାୟତାରେ ତାଙ୍କ ଘରର ଯାଞ୍ଚ ମଧ୍ୟ କରିଥିଲେ। ଯାଞ୍ଚ ପରେ ଘରଟି ବେଶ ଅପରିଷ୍କାର ଥିବା ବେଳେ ଘରର ବିଭିନ୍ନ ସ୍ଥାନରୁ ପୁଳା ପୁଳା ଟଙ୍କା ଓ ସୁନା ଦେଖିବାକୁ ମିଳିଥିଲା। ପ୍ରାୟ ଗୋଟିଏ ବ୍ୟାଗରୁ ଅଧିକ ଟଙ୍କା ଓ କିଛି ସୁନା ମିଳିଥିଲା । ପଡୋଶୀଙ୍କ କହିବା ଅନୁଯାୟୀ ଲକ୍ଷ ଲକ୍ଷ ଟଙ୍କା ଘର ମଧ୍ୟରୁ ମିଳିଥିବା ସୂଚନା ରହିଛି । ଉକ୍ତ ଟଙ୍କା ଗୁଡିକୁ ତାଙ୍କ ସମ୍ପର୍କୀୟ ମାନଙ୍କୁ ପ୍ରଦାନ ସହ ମର ଶରୀରକୁ ମଧ୍ୟ ହସ୍ତାନ୍ତର କରାଯାଇଥିବା ଜଣା ପଡିଥିବା ବେଳେ ଜଣେ ସଫେଇ କର୍ମଚାରୀଙ୍କ ଘରୁ ଏତେ ପରିମାଣର ଟଙ୍କା କେମିତି ଆସିଲା ତାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି ।