ଭଦ୍ରକ ବାରୋ ପଞ୍ଚାୟତରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍

Key Points
ବିଜେଡି ଶାସନରେ ପାନୀୟ ଜଳ ଯୋଗାଣ ନାଁରେ ମହା କେଳେଙ୍କାରୀ
ଭଦ୍ରକ ବାରୋ ପଞ୍ଚାୟତରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍
ଅଧାରେ ଅଟକିଛି କୋଟିଏ ଟଙ୍କାର ପ୍ରକଳ୍ପ
୭ ବର୍ଷ ପରେ ବି ସରିଲାନି ଟାଙ୍କି ନିର୍ମାଣ
ବିଲ୍ ଉଠାଇ ଛୁ ମାରିଲା ଠିକାଦାର
ଏବେ ଖରା ଦିନରେ ପିଇବା ପାଣି ପାଇଁ ହନ୍ତସନ୍ତ ଗାଁ ଲୋକେ
ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ୍ ବାରୋ ପଞ୍ଚାୟତର ଦହପାଣିଆ ଓ ଚବିଶପଡ଼ା ଗାଁ ପାଇଁ 2018ରେ ଏକ କୋଟି 8 ଲକ୍ଷ ଟଙ୍କା ଅଟକଳରେ ଆରମ୍ଭ ହୋଇଥିଲା ପାନୀୟ ଜଳ ଯୋଗାଣ ପ୍ରକଳ୍ପ। ଦୁଇ ବର୍ଷ ଭିତରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା କଥା। କିନ୍ତୁ 7 ବର୍ଷ ବିତିଲାଣି, ଏଯାଏଁ ନିର୍ମାଣ ହୋଇନାହିଁ ପାଣି ଟାଙ୍କି। ଅଥଚ ପ୍ରକଳ୍ପ ବାବଦକୁ ବିଲ୍ ଉଠାଇ ଛୁ ମାରିଛି ଠିକା ସଂସ୍ଥା।
ଆଉ କମିଶନ ନେଇ ଚୁପ୍ ବସିଲେ ସରକାରୀ ଅଧିକାରୀ ଓ ସ୍ଥାନୀୟ ବିଜେଡି ନେତା। ବିଜେଡି ଶାସନରେ ଏ ମହା କେଳେଙ୍କାରୀ ପାଇଁ ଏବେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଶହ ଶହ ଗ୍ରାମବାସୀ। ଏବେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ପାଣି ଟୋପାଏ ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଚବିଶପଡ଼ାରେ ଗୋଟାଏ ମାତ୍ର ନଳକୂପ ଥିବାବେଳେ ସେଠାରେ ବାଲ୍ଟି, ଗରା ଧରି ମହିଳା ପାଣି ପାଇଁଁ ଧାଡ଼ି ଲଗାନ୍ତି।
ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ବ୍ଲକ ପ୍ରଶାସନଠୁ ନେଇ ଜିଲ୍ଲା ପାନୀୟ ଜଳ ବିଭାଗ ଯାଏଁ ବାରମ୍ବାର ଜଣାଇଛନ୍ତି ସ୍ଥାନୀୟ ସରପଞ୍ଚ। ଜିଲ୍ଲାପାଳ କହିଛନ୍ତି, ପାନୀୟ ଜଳ ଯୋଗାଣ ପାଇଁ ନଳ କୂପ ଖୋଳାଯିବ। ବିଜେଡି ଶାସନରେ ଲୋକଙ୍କୁ ପାନୀୟ ଜଳ ଯୋଗାଣ ନାଁରେ କେମିତି କରାଯାଉଥିଲା କେଳେଙ୍କାରୀ ତାର ପ୍ରମାଣ ହେଉଛି ଏ ଦୃଶ୍ୟ। ଏହାର ତଦନ୍ତ ସହ ଘୋଟାଲାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ।