୫ ଟଙ୍କା ଭଡ଼ା ନ ଥିଲା ବୋଲି ୨୫ କିମି ବୁଲାଇଲା ଲକ୍ଷ୍ମୀ ବସ୍

Key Points
ଟଙ୍କା ପାଇଁ ନାବାଳକଙ୍କୁ ନିର୍ଯାତନା !
୫ ଟଙ୍କା ଭଡ଼ା ନ ଥିଲା ବୋଲି...
ଦୁଇ ନାବାଳକ ଭାଇଙ୍କୁ ୨୫ କିମି ବୁଲାଇଲା ଲକ୍ଷ୍ମୀ ବସ୍
୨ ଘଣ୍ଟା ପରେ ବସକୁ ଅଟକାଇ ଉଦ୍ଧାର କଲେ ପରିଜନ
୫ ଟଙ୍କା ଭଡ଼ା ନ ଥିଲା ବୋଲି ଦୁଇ ନାବାଳକ ଭାଇଙ୍କୁ ୨୫ କିମି ବୁଲାଇଲା ଲକ୍ଷ୍ମୀ ବସ୍। ୨ଘଣ୍ଟା ପରେ ବସକୁ ଅଟକାଇ ଉଦ୍ଧାର କଲେ ପରିଜନ । କଣ୍ଡକ୍ଟରକୁ ବଜାର ଭିତରେ କରାଇଲେ ଉଠ ବସ୍ । ମୟୂରଭଞ୍ଜ ବେତନଟୀ ବୈଶିଙ୍ଗା ବଜାରରେ ଘଟଣା । ବୈଶିଙ୍ଗା ଗାଁର ସରୋଜ ପୋଥାଳଙ୍କ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ନାବାଳକ ପୁଅ ପିୟୁଷ ଓ ନଡପୁର ଗାଁର ସରୋଜଙ୍କ ଭିଣୋଇ ବ୍ରଜମୋହନ ବେହେରାଙ୍କ ୭ମରେ ପଢ଼ୁଥିବା ପୁଅ ରୋହିତ ରବିବାର ଅପରାହ୍ନ ୨ଟାରେ ବୈଶିଙ୍ଗା ଆସିବା ପାଇଁ ନଡ଼ପୁର ଗାଁ ଛକରୁ ଏକ ଲକ୍ଷ୍ମୀ ବସରେ ଚଢ଼ିଥିଲେ ।
୨ ଭାଇ ବସରେ ଉଠିବା ସମୟରେ କଣ୍ଡକ୍ଟର ଦାୟିତ୍ୱରେ ଥିବା ଦାରିହା ଗାଁର ପ୍ରତାପ ବଇଠାଙ୍କୁ କହିଥିଲେ ଭଡା ଦେବାପାଇଁ ୧୦ଟଙ୍କା ନାହିଁ ଓ ବୈଶିଙ୍ଗା ବସଷ୍ଟାଣ୍ଡରେ ଥିବା ବାପା ଭଡା ଦେବେ । ତେବେ ବୈଶିଙ୍ଗା ପହଞ୍ଚିବା ପରେ ଷ୍ଟାଣ୍ଡରେ ସରୋଜ ନଥିବାରୁ ୨ଭାଇ ୧୦ଟଙ୍କା ଦେବାରେ ଅସମର୍ଥ ହୋଇଥିଲେ ଓ କଣ୍ଡକ୍ଟରକୁ ବସରୁ ଓହ୍ଲାଇ ଦେବାକୁ ଅନୁରୋଧ କରିଥିଲେ । ହେଲେ ମାନବିକତା ଭୁଲି ଯାଇଥିଲେ ଲକ୍ଷ୍ମୀ ବସ କଣ୍ଡକ୍ଟର ପ୍ରତାପ। ୨ଭାଇଙ୍କୁ ବୈଶିଙ୍ଗାରେ ନ ଓହ୍ଲାଇ ବସର ଲାଷ୍ଟ ଷ୍ଟୋପେଜ କଳମା ଅଞ୍ଚଳର କାନ୍ଥି ପର୍ଯ୍ୟନ୍ତ ନେଇଯାଇଥିଲେ ।
ତେବେ ରାସ୍ତାରେ ସରୋଜ ପିଲାଙ୍କୁ ବୈଶିଙ୍ଗାରେ ନଓହ୍ଲାଇବା ଦେଖି ଫୋନ କରିଥିଲେ ବି ସେ ତାଙ୍କୁ ଆମେ ପଳେଇ ଆସିଛୁ, କହି ବୈଶିଙ୍ଗାରେ ଅପେକ୍ଷା କରିବାକୁ କହିଥିଲେ ଓ ଫେରିଲେ ପିଲାଙ୍କୁ ନେବେ ବୋଲି ପରାମର୍ଶ ଦେଇଥିଲେ । ତେବେ ପରିବାର ବର୍ଗ ଦୀର୍ଘ ଦେଢ ଘଣ୍ଟା ପରେ ବସ ଫେରିବାରୁ ପିଲାଙ୍କୁ ପାଇଥିଲେ ଓ ୨ଭାଇଙ୍କ ମୁହଁରୁ ସବୁ କଥା ଶୁଣିଥିଲେ ।
ପରେ ବୈଶିଙ୍ଗା ବଜାର ମଝିରେ ବସକୁ ଅଟକେଇବା ସହିତ କଣ୍ଡକ୍ଟରକୁ ଏବାବଦରେ ପଚାରିଥିଲେ ପରିବାର ଲୋକ । ପରେ ସ୍ଥାନୀୟ ଲୋକ ମଧ୍ୟ ଘଟଣା ସ୍ଥଳରେ ଏକଜୁଟ ହୋଇଯାଇଥିଲେ ଓ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରେ ପ୍ରତାପ ଉଠବସ ହେବା ସହିତ ଅଭିଭାବକଙ୍କୁ ହାତ ଯୋଡି ଭୁଲ ମାଗିବା ପରେ ବସରେ ଅନ୍ୟ ଯାତ୍ରୀ ଥିବାରୁ ବସକୁ ଛାଡି ଦିଆଯାଇଥିଲା ।