ଚାଷୀଙ୍କୁ ଫେରସ୍ତ ହେବ ବିଶ୍ବବିଦ୍ୟାଳୟ ପାଇଁ ବେଦାନ୍ତ ନେଇଥିବା ଜମି

Key Points
- ଚାଷୀଙ୍କୁ ଫେରସ୍ତ ହେବ ବିଶ୍ବବିଦ୍ୟାଳୟ ପାଇଁ ବେଦାନ୍ତ ନେଇଥିବା ଜମି
- 2006ରେ ପୁରୀରେ ବିଶ୍ବବିଦ୍ୟାଳୟ ପାଇଁ ସରକାରଙ୍କ ସହ ବେଦାନ୍ତ କରିଥିଲା ବୁଝାମଣା ପତ୍ର
- 3 ଥର ବଦଳିଲା ନାଁ ହେଲେ ହେଲାନି ବିଶ୍ବବିଦ୍ୟାଳୟ
- ବାସଚ୍ୟୁତ 9 ପରିବାର ହାଇକୋର୍ଟ ଗଲେ...କୋର୍ଟ କହିଲେ ଜମି ଅଧିଗ୍ରହଣ ତ୍ରୁଟିପୂର୍ଣ୍ଣ
- ଲୋକଙ୍କ ଜମିକୁ ଚଞ୍ଚକତା କରି ବେଦାନ୍ତ ହାତକୁ ଟେକିଦେଇଥିଲେ ବିଜେଡି ସରକାର
- ଏବେ ବଦଳିଛି ସରକାର...ସରିଛି ଚଞ୍ଚକତାର ଯୁଗ
- ଲୋକଙ୍କ ପାଖକୁ ଫେରିବ ଲୋକଙ୍କ ଜମି
ଅର୍ଗସ ବ୍ୟୁରୋ: ବେଦାନ୍ତ ବିଶ୍ବବିଦ୍ୟାଳୟ ନାଁରେ ଜମି ହରାଇଥିବା ଲୋକଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ବେଦାନ୍ତ ନେଇଥିବା ଜମି ଫେରିପାଇବେ ଲୋକ । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ଜିଲ୍ଲା ପ୍ରଶାସନ ଲୋକଙ୍କୁ ଜମି ଫେରାଇବା ପାଇଁ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ କରିବେ । ଏହି ପ୍ରକ୍ରିୟା ପାଇଁ ଲୋକଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବନି । ପୂର୍ବରୁ ମିଳିଥିବା କ୍ଷତିପୂରଣ ରାଶି ଫେରାଇବା ପରେ ଜମି ମାଲିକଙ୍କ ନାଁରେ ଜମି ଫେରିବ । ଯେଉଁମାନେ କ୍ଷତିପୂରଣ ନେଇ ନାହାନ୍ତି ସେମାନଙ୍କୁ କିଛି କରିବାକୁ ପଡ଼ିବନି । ଏହାସହ ସରକାରୀ ଜମି ବି ସରକାରୀ ଖାତାକୁ ଫେରିବ । ତେବେ ଜମି ଦୁର୍ନୀତିର ଗନ୍ଧ ଥିଲେ ସରକାର ତଦନ୍ତ କରିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।
୨୦୦୬ ଜୁଲାଇ ୧୯ ତାରିଖରେ ବେଦାନ୍ତ ଫାଉଣ୍ଡେସନ ସହ ଚୁକ୍ତିନାମା ସ୍ବାକ୍ଷର କରିଥିଲା ପୂର୍ବ ବିଜେଡ଼ି ସରକାର । ବେଦାନ୍ତ ଦ୍ଵାରା ପୁରୀରେ ବିଶ୍ବସ୍ତରୀୟ ବହୁମୁଖୀ ଆଧୁନିକ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନେଇ ଘୋଷଣା ହୋଇଥିଲା । କିନ୍ତୁ MOU ହେବା ପରେ ତିନି ଥର ନାଁ ପରିବର୍ତ୍ତନ କରିଥିଲା ବେଦାନ୍ତ । ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୨୨ଟି ଗାଁ ସହ ସରକାରୀ ଜମି ଦେବାକୁ ଚୁକ୍ତି ହୋଇଥିଲା । ୪୧୭୮.୮୪ ଏକର ଘରୋଇ ଜମି ଅଧିଗ୍ରହଣ କରାଯାଇଥିବା ବେଳେ ୩୩୪୨.୫୩ ଏକର ଜମି ଦଖଲକୁ ନେଇଥିଲା ବେଦାନ୍ତ । ସେହିପରି ବିଶ୍ଵବିଦ୍ୟାଳୟ ପାଇଁ ୬୯୨.୦୨ ଏକର ସରକାରୀ ଜମିକୁ ଅନୁମୋଦନ ମିଳିଥିବା ବେଳେ ୪୯୪.୯୮ ଏକର ଦଖଲକୁ ନେଇଥିଲା ବେଦାନ୍ତ । ଏହା ବାଦ ଜଗନ୍ନାଥ ମହାପ୍ରଭୁଙ୍କ 13 ଶହ ଏକର ଜମି ବି ନେଇଥିଲା ବେଦାନ୍ତ
ହେଲେ ବାସଚ୍ୟୁତ ଲୋକଙ୍କ ମଧ୍ୟରୁ ୯ ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାରୁ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନେଇ ପ୍ରଶ୍ନ ଉଠିଥିଲା । 2010ରେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଖାରଜ କରିଥିଲେ ହାଇକୋର୍ଟ । ଲୋକଙ୍କ ଜମି ଫେରାଇବା ସହ ସରକାରୀ ଜମି ଫେରସ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏହାକୁ ବିରୋଧ କରି ବେଦାନ୍ତ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା । ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାୟମ ରଖିଥିଲେ । ପୂର୍ବ ବିଜେଡ଼ି ସରକାର କୋର୍ଟଙ୍କ ଆଦେଶ ମାନିନଥିଲେ କି ଲୋକଙ୍କୁ ତାଙ୍କ ଜମି ଫେରାଇନଥିଲେ । କିନ୍ତୁ ବିଜେପି ସରକାର ଆସିବା ପରେ ଲୋକ ନିଜ ଫେରିପାଇବାର ବାଟ ଫିଟିଛି । 17 ବର୍ଷ ଧରି ଜମିରେ ଚାଷ କରିପାରି ନଥିବାରୁ କ୍ଷତି ପୂରଣ ଦାବି କରିଛନ୍ତି ଜମି ହରାଇଥିବା ଲୋକେ ।
📱 Get Argus News App
✨ପୁରୀରେ ବିଶ୍ବବିଦ୍ୟାଳୟ କରିବାକୁ ବେଦାନ୍ତକୁ ଶାଗମାଛ ଦରରେ ହଜାର ହଜାର ଏକର ଜମି ଟେକିଦେଇଥିଲେ ପୂର୍ବ ସରକାର । ହାଇକୋର୍ଟ ଏହି ଅଧିଗ୍ରହଣକୁ ବେଆଇନ କହି ବେଦାନ୍ତକୁ 5 ଲକ୍ଷ ଟଙ୍କା ଜୋରିମାନା ବି କରିଥିଲା । ଏବେ ଏହି ଅଧିଗ୍ରହଣରେ ଦୁର୍ନୀତିର ଗନ୍ଧ ବାରି ତଦନ୍ତ ଇଶାରା ଦେଇଛନ୍ତି ସରକାର ।