Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 'ଭାଷା ଏବଂ ପୁସ୍ତକ ହେଉଛି ଆମର ସମ୍ପତ୍ତି'

Odisha

'ଭାଷା ଏବଂ ପୁସ୍ତକ ହେଉଛି ଆମର ସମ୍ପତ୍ତି'

Smruti Parija
Browse all articles by Smruti Parija
·2 years ago·3 min read
'ଭାଷା ଏବଂ ପୁସ୍ତକ ହେଉଛି ଆମର ସମ୍ପତ୍ତି'

Key Points

•    ପୁସ୍ତକ ସହିତ ମାନବ ଜାତିର ଅନାବିଳ ସୁସମ୍ପର୍କ ରହିଛି, ପୁସ୍ତକ ମନୁଷ୍ୟକୁ ସ୍ୱତନ୍ତ୍ର ପରିଚୟ ଦିଏ 
•    ଭାଷା ଏବଂ ପୁସ୍ତକ ହେଉଛି ଆମର ସମ୍ପତ୍ତି,  କୌଣସି ଭାଷା ଛୋଟ କିମ୍ବା ବଡ଼ ନୁହେଁ 
•    ଆମ ପୁସ୍ତକ ଗୁଡିକର ଲେଖକ ଏବଂ ପାଠକମାନଙ୍କ ପାଇଁ ଆମେ ଗର୍ବିତ 
•    ୨୨ଟି ଭାଷାରେ ପୁସ୍ତକ ପ୍ରକାଶିତ କରିବାରେ ସମ୍ଭବତଃ ଭାରତ ହେଉଛି ଏକ ମାତ୍ର ଦେଶ 
•    ‘ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା’ ବିଶ୍ୱର ସଂସ୍କୃତି, ସାହିତ୍ୟ ଏବଂ କଳାତ୍ମକ ଅଭିବ୍ୟକ୍ତିର ଉତ୍ସବ ହେବ 

ନୂଆଦିଲ୍ଲୀ/ଭୁବନେଶ୍ୱର:  ପୁସ୍ତକ ସହିତ ମାନବ ଜାତିର ସବୁବେଳେ ଅନାବିଳ ସୁସମ୍ପର୍କ ରହି ଆସିଛି । ଭାରତର ପ୍ରାଚୀନ ଗ୍ରନ୍ଥ ଓ ପୁସ୍ତକ ଗୁଡ଼ିକ କେବେ ବି ନିଜର ଚମକ ହରାଇନାହିଁ ବୋଲି ଶନିବାର ‘ନୂଆଦିଲ୍ଲୀ ୫୨ତମ ବିଶ୍ୱ ପୁସ୍ତକ ମେଳା ୨୦୨୪’କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।    

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ସହଯୋଗରେ ନ୍ୟାସନାଲ ବୁକ୍ ଟ୍ରଷ୍ଟ(ଏନବିଟି) ପକ୍ଷରୁ ଆୟୋଜିତ ଏହି ପୁସ୍ତକ ମେଳାରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଇଜିପ୍ଟର ପାପିରସ ହେଉ, ଭାରତର ତାଳପତ୍ର ଓ ଭୋଜପତ୍ର ପାଣ୍ଡୁଲିପି ହେଉ କିମ୍ବା ଚୀନର  ପେପର  ବୁକ୍ ହେଉ, ମନୁଷ୍ୟକୁ ସବୁବେଳେ ଲିଖିତ ଶବ୍ଦଟି ଅତ୍ୟନ୍ତ ଆକର୍ଷଣୀୟ ଲାଗିଥାଏ । ପୁସ୍ତକ ମନୁଷ୍ୟକୁ ସ୍ୱତନ୍ତ୍ର ପରିଚୟ ଦେଇଥାଏ । ଭାରତରେ ଆମେ ପୁସ୍ତକର ମୂଲ୍ୟକୁ ବହୁତ ଭଲ ଭାବରେ ବୁଝିଛୁ ।  ପ୍ରାଚୀନ ଓ ମଧ୍ୟବର୍ତ୍ତୀକାଳୀନ ଦୁନିଆର କେତେକ ଶ୍ରେଷ୍ଠ ଲାଇବ୍ରେରୀ ଭାରତରେ ଥିଲା । ନାଳନ୍ଦା, ତକ୍ଷଶିଳା, ରାଜଗିର ଓ ଉଜ୍ଜୈନରେ ଥିବା ଆମର ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟରେ ବିଶ୍ୱସ୍ତରୀୟ ପାଠାଗାରମାନ ଥିଲା । ବ୍ରିଟିଶ ଶାସନ କାଳରେ ଏହି ବିଶ୍ୱବିଦ୍ୟାଳୟ ଗୁଡ଼ିକର ଅବନତି ଘଟିଥିଲେ ମଧ୍ୟ ପୁସ୍ତକ ଗୁଡ଼ିକ କେବେ ବି ନିଜର ଚମକ ହରାଇନଥିଲା । ବେଦ, ଉପନିଷଦ, ପୁରାଣ, ଆୟୁର୍ବେଦ, ସଂସ୍କୃତ, ଜ୍ୟୋତିର୍ବିଜ୍ଞାନ, ଗଣିତ ଏବଂ ମେଡିସିନ ଉପରେ ଆମର ପ୍ରାଚୀନ ଗ୍ରନ୍ଥ ପୁସ୍ତକ ଜଗତକୁ ସମୃଦ୍ଧ କରିଥିଲା । ତାହା ଥିଲା ଆମର ଉଚ୍ଚ ପରମ୍ପରା । ଆମର ପୁସ୍ତକର ଲେଖକ ଏବଂ ପାଠକମାନଙ୍କ ପାଇଁ ଆମେ ଗର୍ବିତ ।    

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା ୨୦୨୪ର "ଫେଷ୍ଟିଭାଲ ଅଫ୍ ଫେଷ୍ଟିଭାଲ" ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ । ଏହି ଅନନ୍ୟ ପର୍ବ ସାରା ବିଶ୍ୱର ବିଭିନ୍ନ ସଂସ୍କୃତି, ସାହିତ୍ୟ ଏବଂ କଳାତ୍ମକ ଅଭିବ୍ୟକ୍ତିର ଉତ୍ସବ ହେବ । ଅନେକ ପୁସ୍ତକରେ ପରିପୂର୍ଣ୍ଣ ଏହି ମେଳା ସକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ । ସେ କହିଛନ୍ତି ଯେ  ୨୨ଟି ଭାଷାରେ ପୁସ୍ତକ ପ୍ରକାଶିତ କରିବାରେ ସମ୍ଭବତଃ ଭାରତ ହେଉଛି ଏକ ମାତ୍ର ଦେଶ । ବହୁ ଭାଷା ଆମର ବିବିଧତାକୁ ବାଖ୍ୟା କରେ, ଯାହା ଆମ ଜାତୀୟ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ଅଟେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚଳିତବର୍ଷର ବିଷୟବସ୍ତୁ “ବହୁଭାଷୀ ଭାରତ: ଏକ ଜୀବନ୍ତ ପରମ୍ପରା” ରହିବା ଖୁସିର ବିଷୟ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ଏକ ଉଲ୍ଲେଖନୀୟ ସାମାଜିକ-ଅର୍ଥନୈତିକ ଏବଂ ସାଂସ୍କୃତିକ ପୁନର୍ଜାଗରଣ ମାଧ୍ୟମରେ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟରେ ଅଗ୍ରସର ହେଉଛି । ଭାଷା ଏବଂ ପୁସ୍ତକ ହେଉଛି ଆମର ସମ୍ପତ୍ତି । ଦେଶର ବିଭିନ୍ନ ପ୍ରାନ୍ତରେ ଆମର ଭାଇ ଭଉଣୀମାନେ ସମସ୍ତ ଭାରତୀୟ ଭାଷା କହନ୍ତି । କୌଣସି ଭାଷା ଛୋଟ କିମ୍ବା ବଡ଼ ନୁହେଁ । ସମସ୍ତ ଭାରତୀୟ ଭାଷା ଆମର ରାଷ୍ଟ୍ରୀୟ ଭାଷା ବୋଲି ପ୍ରଧାନମନ୍ତ୍ରୀ  କହିଛନ୍ତି।    

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ହୋଇଥିବା ସକାରାତ୍ମକ ପରିବର୍ତ୍ତନ ଉପରେ ରଚିତ ପୁସ୍ତକ “ଇଗ୍ନିଟିଂ କଲେକ୍ଟିଭ୍ ଗୁଡନେସ୍ : ମନ୍ କି ବାତ @ ୧୦୦” ଓ ଶିଶୁଙ୍କୁ ଖେଳକୁଦରେ ପାଠ ପଢାଇବା ଉପରେ  ‘ଇ-ଯାଦୁଇ ପିଟାରା’ର ଉନ୍ମୋଚନ କରିଥିଲେ । ମନ୍ କି ବାତ୍ ଉପରେ ଉନ୍ମୋଚିତ ପୁସ୍ତକଟି ଲୋକଙ୍କ ସାମୂହିକ ଚେତନାକୁ ଜାଗ୍ରତ କରିବା ଦିଗରେ ଏକ ଯାତ୍ରା ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଥିଲେ । ଏହାବ୍ୟତିତ ଜାତୀୟ ଶିକ୍ଷା ନୀତିରେ ମାତୃଭାଷା ଉପରେ ଦିଆଯାଉଥିବା ଗୁରୁତ୍ୱ ଉପରେ ମଧ୍ୟ ଶ୍ରୀ ପ୍ରଧାନ ଚର୍ଚ୍ଚା କରିଥିଲେ । ସେ କହିଥିଲେ ଇଞ୍ଜିନିୟରିଂ ଏବଂ ବୈଷୟିକ ପୁସ୍ତକ ଗୁଡିକୁ ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ କରାଯାଉଛି ।  ଯାଦୁଇ ପିଟାରା ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ଏଗଜାମ ଓ୍ୱରିୟର୍ସ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । 

ଏହି କାର୍ଯ୍ୟକ୍ରମରେ ସାଉଦି ଆରବର ଏମ୍ବାସେଡର ସାଲେହ୍ ବିନ୍ ଇଦ୍ ଅଲ୍ ହୁସୈନୀ, ଭାରତ ସରକାରଙ୍କ ରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ଡାକ୍ଟର ଅନ୍ନପୂର୍ଣ୍ଣା ଦେବୀ ଓ ଏନବିଟିର ଚେୟାରମ୍ୟାନ ପ୍ରମୁଖ ଉପସ୍ଥିତ ଥିଲେ ।
 

Sponsored
'Language and books are our property'-said-dharmendra-pradhan-at-book-fair-delhi | Argus News