ଚଳଚଞ୍ଚଳ ଜୁନାଗଡର ଅଧିଷ୍ଠାତ୍ରୀ ଦେବୀ ମା' ଲଙ୍କେଶ୍ବରୀଙ୍କ ପୀଠ

Key Points
ଚଳଚଞ୍ଚଳ ଜୁନାଗଡର ଅଧିଷ୍ଠାତ୍ରୀ ଦେବୀ ମା' ଲଙ୍କେଶ୍ବରୀଙ୍କ ପୀଠ ।
ମୂଳାଷ୍ଟମୀରୁ ଆରମ୍ଭ ହୋଇଛି ଖଣ୍ଡାବସା ଯାତ୍ରା । ୧୬ ଦିନ ଧରି ପାଳିତ ହେବ ଆଶା ଓ ବିଶ୍ବାସର ପ୍ରତୀକ ଖଣ୍ଡାବସା ପର୍ବ ।
ଚଳଚଞ୍ଚଳ ଜୁନାଗଡର ଅଧିଷ୍ଠାତ୍ରୀ ଦେବୀ ମା' ଲଙ୍କେଶ୍ବରୀଙ୍କ ପୀଠ । ମୂଳାଷ୍ଟମୀରୁ ଆରମ୍ଭ ହୋଇଛି ଖଣ୍ଡାବସା ଯାତ୍ରା । ୧୬ ଦିନ ଧରି ପାଳିତ ହେବ ଆଶା ଓ ବିଶ୍ବାସର ପ୍ରତୀକ ଖଣ୍ଡାବସା ପର୍ବ । ଢୋଲ, ନିଶାଣ ,ତାସା, ମହୁରୀ, ଶଙ୍ଖ, ଘଣ୍ଟ ବାଦ୍ୟରେ କମ୍ପୁଛି ପୂରା ପରିବେଶ । ମୂଳାଷ୍ଟମୀ ତିଥିରୁ କଳାହାଣ୍ଡି ଜିଲ୍ଲା ଜୁନାଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ଲଙ୍କେଶ୍ବରୀଙ୍କ ପୀଠରେ ଆରମ୍ଭ ହୋଇ ସାରିଛି ଷୋଡଶ ଉପଚାର ପୂଜା ।
ଏଠାରେ ମାଁଙ୍କ ବାରମାସରେ ତେର ପର୍ବ ପାଳିତ ହେଉଥିବାବେଳେ, ଖଣ୍ଡାବସା ଯାତ୍ରା ହେଉଛି ମାଙ୍କ ମୁଖ୍ୟ ପର୍ବ । କିମ୍ବଦନ୍ତୀ ଅନୁଯାୟୀ ପୁରାତନ କାଳରୁ ନାଗବଂଶୀୟ ରାଜା ଯୁଦ୍ଧକୁ ଯିବା ପୂର୍ବରୁ ଶତ୍ରୁକୁ ପରାସ୍ତ କରିବା ପାଇଁ ମା' ଲଙ୍କେଶ୍ବରୀଙ୍କୁ ସୁମରଣ କରୁଥିଲେ । ସେହି ଦିନଠାରୁ ଏହି ଖଣ୍ଡାବସା ଯାତ୍ରା ପାଳନ ହୋଇଆସୁଛି ।
କଳାହାଣ୍ଡି ମହାରାଜା ହେଉଛନ୍ତି ମାଁ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ଉତ୍ସବର ମୁଖ୍ୟ ପୁରୋଧା । ଖଣ୍ଡାବସା ପର୍ବ ଦିନ ଭବାନୀପାଟଣା ରାଜବାଟିରୁ ଜୁନାଗଡ଼ ସ୍ଥିତ ଡାକ ବଙ୍ଗଳାରେ ସେ ଉପସ୍ଥିତ ରହନ୍ତି । ମାଁଙ୍କର ଖଣ୍ଡାବସା ପର୍ବରେ କଳାହାଣ୍ଡିର ବିରବାଦ୍ୟ ଘୁମୁରା ହେଉଛି ଅବିଛେଦ ଅଙ୍ଗ । ଘୁମୁରା ହେଉଛି ମାଁ ଲଙ୍କେଶ୍ୱରୀଙ୍କ ପ୍ରିୟ ବାଦ୍ୟ । ଘୁମୁରା ବାଦ୍ୟରେ ମାଁ ଲଙ୍କେଶ୍ୱରୀ ଅଦୃଶ୍ୟରେ କନକଦୁର୍ଗା ମନ୍ଦିର, ଇନ୍ଦ୍ରଖୁଣ୍ଟି, ବୁଢାରଜା ମନ୍ଦିର ଓ ବଙ୍ଗଳାକୁ ପରିକ୍ରମା କରନ୍ତି । ପରେ ମାଁଙ୍କର ନିଶିପୂଜା ,ସନ୍ଧିପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ହୋଇଥାଏ ।
ଆଶା ଓ ବିଶ୍ବାସର ପ୍ରତୀକ ଖଣ୍ଡାବସା ପର୍ବ । ନିଶି ପୂଜା ଓ ସନ୍ଧି ପୂଜା ପରେ କଳାହାଣ୍ଡି ମହାରାଜାଙ୍କ ଦ୍ଵାରା ଚାଉଳ ଗଦାରେ ଖଣ୍ଡାକୁ ବସାଇବା କାର୍ଯ୍ୟ ସମ୍ପାଦିତ ହୁଏ ଓ ମହାପଶୁ ବଳି ପଡେ । ମହାପଶୁକୁ ଜେନାଖାଲରେ ସମାଧିସ୍ଥ କଲାପରେ ଖଣ୍ଡାବସା କାର୍ଯ୍ୟ ସମ୍ପନ୍ନ ହୋଇଥାଏ