|
logo
Live

Argus News - ସୁରକ୍ଷିତ ତ ଶ୍ରୀମନ୍ଦିର ? କଟକଣା ସତ୍ତ୍ଵେ କେମିତି ଉତ୍ତୋଳନ ହେଉଛି ଫଟୋ, ଭିଡିଓ

Odisha

ସୁରକ୍ଷିତ ତ ଶ୍ରୀମନ୍ଦିର ? କଟକଣା ସତ୍ତ୍ଵେ କେମିତି ଉତ୍ତୋଳନ ହେଉଛି ଫଟୋ, ଭିଡିଓ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ସୁରକ୍ଷିତ ତ ଶ୍ରୀମନ୍ଦିର ? କଟକଣା ସତ୍ତ୍ଵେ କେମିତି ଉତ୍ତୋଳନ ହେଉଛି ଫଟୋ, ଭିଡିଓ

ପୁରୀ: ପ୍ରଥମେ ମନ୍ଦିର ଭିତରର ଫଟୋ, ଆଉ ଏବେ ଶ୍ରୀମନ୍ଦିର ଚଉହଦିର ଡ୍ରୋନ୍ ଭିଡିଓ । ସୋସିଆଲ୍ ମିଡିଆରେ ଅପଲୋଡ୍ ହୋଇଛି ନିଷିଦ୍ଧାଞ୍ଚଳର ଫଟୋ ଓ ଭିଡିଓ । ସମସ୍ତ କଟକଣାକୁ ଫୁ କରି, ସବୁ ସୁରକ୍ଷା ପ୍ରାଚୀର ଭେଦି ଭିଡିଓ ଓ ଫଟୋ ଉଠା ଯାଇଥିବାରୁ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ଵରେ ଥିବା ମାଳ ମାଳ ପୋଲିସ କ'ଣ କରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।


ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଣ ଉପରେ କଟକଣା ରହିଛି । ତଥାପି ସବୁ ନିୟମ, କଟକଣାକୁ ଦଳି ଦେଇ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିଛି । ମନ୍ଦିରର ଚାରିପାର୍ଶ୍ଵର ଭିଡିଓ ଆକାଶ ମାର୍ଗରୁ ଉତ୍ତୋଳନ କରାଯାଇଛି । ଆଉ ଏହି ଭିଡିଓକୁ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଅପଲୋଡ୍ ବି କରାଯାଇଛି ।


ମନୀଷ ସୋଲାଙ୍କି ଭ୍ଲଗ ନାମକ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଶ୍ରୀମନ୍ଦିର ଉପରେ ଉଡ଼ାଇ ନିଆ ଯାଇଥିବା ଭିଜୁଆଲକୁ ଅପଲୋଡ୍ କରାଯାଇଛି । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ମନ୍ଦିର ବାହାର ଓ ଭିତର ସରଞ୍ଚନାକୁ କଏଦ କରାଯାଇଛି । ଭ୍ଲଗର ଜଣକ ଶ୍ରୀମନ୍ଦିର ବିଷୟରେ ଅନେକ ସୂଚନା ମଧ୍ୟ ଭିଡିଓରେ ଦେଇଛନ୍ତି । ଶ୍ରୀମନ୍ଦିର ଭିତର ବେଢ଼ା ଦୃଶ୍ୟମାନ ହେଉଛି । ଭିଡିଓଟି ୟୁଟ୍ୟୁବ୍‌ରେ ୭ ଦିନ ତଳେ ଅପଲୋଡ୍ ହୋଇଥିବା ବେଳେ କେବେ ଉତ୍ତୋଳନ ହୋଇଛି ଜଣା ପଡ଼ିନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ଶନିବାର ଶ୍ରୀମନ୍ଦିର ଭିତରେ ଫଟୋ, ଭିଡିଓ ଉତ୍ତୋଳନ କରୁଥିବା ଜଣେ ଯୁବକଙ୍କୁ ଅଟକ ରଖିଥିଲା ସିଂହଦ୍ଵାର ଥାନା ପୋଲିସ । ୨୬ ବର୍ଷୀୟ ଯୁବକ ଜଣଙ୍କ ଶ୍ରୀମନ୍ଦିର ଭିତରେ ଏକ ଡିଜେଆଇ ସ୍ପାଏ କ୍ୟାମେରାରେ ଫଟୋ, ଭିଡିଓ ଉଠାଉ ଥିଲେ । ମେମୋରୀ ଯାଞ୍ଚ ପରେ ଜଣା ପଡ଼ିଥିଲା, ଯୁବକ ଜଣଙ୍କ ଜଗନ୍ନାଥ ମନ୍ଦିର ଆଇନ-୧୯୫୪ର ଧାରା ୩୦(ଏ) ୪ (ସି) ଉଲ୍ଲଂଘନ କରିଛନ୍ତି ।


ଏହା ପରେ ପୋଲିସ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଯୁବକଙ୍କୁ ସିଂହଦ୍ୱାର ଥାନାକୁ ନେଇ ପଚରାଉଚରା କରିଥିଲା । କ୍ୟାମେରାକୁ ପୋଲିସ ଜବତ କରିଥିବା ବେଳେ ମେମୋରିରୁ ମିଳିଥିଲା ମନ୍ଦିର ଭିତରର ଫଟୋ ଓ ଭିଡିଓ ।


ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଣ ଉପରେ କଟକଣା ରହିଥିବା ବେଳେ ମନ୍ଦିର ଭିତରକୁ ମୋବାଇଲ୍ ଓ କ୍ୟାମେରା ବାରଣ ରହିଛି । ମନ୍ଦିର ପ୍ରବେଶ ପୂର୍ବରୁ ପୋଲିସ ଜଗି ରହିଥିବା ବେଳେ ମେଟାଲ୍ ଡିଟେକ୍ଟର ବି ଲାଗିଛି । ସନ୍ଦେହ ହେଲେ ପୋଲିସ ଶ୍ରଦ୍ଧାଳୁଙ୍କ ପକେଟ୍ ସହ ବ୍ୟାଗ୍ ବି ଯାଞ୍ଚ କରୁଛି । ତଥାପି ତମାମ୍ ସୁରକ୍ଷା ବ୍ୟବସ୍ଥା ସତ୍ତ୍ଵେ କିଭଳି ମନ୍ଦିର ଭିତରକୁ କ୍ୟାମେରା ନେଇ ଯିବାରେ କେହି ସଫଳ ହେଉଛି ? ଶ୍ରୀମନ୍ଦିର ସୁରକ୍ଷାରେ ପୋଲିସ ଢିଲା ମାରୁଛି ନା କିଛି ଅର୍ଥ ଆଶାରେ ସୁରକ୍ଷାକୁ ବଳି ଦିଆ ଯାଉଛି ?

Sponsored
ସୁରକ୍ଷିତ ତ ଶ୍ରୀମନ୍ଦିର ? କଟକଣା ସତ୍ତ୍ଵେ କେମିତି ଉତ୍ତୋଳନ ହେଉଛି ଫଟୋ, ଭିଡିଓ | Argus News