ବଡ଼ କେଳେଙ୍କାରୀ ! ଗରିବ ଧାଇଁ ଧାଇଁ ହାଲିଆ, ଭୂତ ଉଡ଼ାଇ ନେଉଥିଲେ ରାସନ...

ସାମ୍ନାକୁ ଆସିଲା ବଡ଼ କେଳେଙ୍କାରୀ । ଖୋଲିଲା ଗତ ସରକାରଙ୍କ ପୋଲ । ମୃତ ବ୍ୟକ୍ତିଙ୍କ ନାଁରେ ଲୁଟୁଥିଲେ ଗରିବଙ୍କ ରାସନ । ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୩ ଲକ୍ଷ ମଲା ଲୋକଙ୍କ ନାଁରେ ଲୁଟୁଥିଲେ ରାସନ । ଏକଥା ଆମେ କହୁନାହୁଁ ବରଂ ଖୋଦ ମନ୍ତ୍ରୀ କୃଷ୍ଣପାତ୍ର ବିଧାନସଭାରେ ରଖିଛନ୍ତି ଉତ୍ତର ।
ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣପାତ୍ରଙ୍କ ଉତ୍ତର ଖୋଲିଛି ଗତ ନବୀନ ସରକାରଙ୍କ ପୋଲ୍ । ସେ ଦେଇଥିବା ତଥ୍ୟ କହୁଛି ପୂର୍ବ ସରକାର ଅମଳରେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଥିଲା ରାସନ । ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଏବେ ସମସ୍ତେ ଆଶ୍ଚର୍ଯ୍ୟ । କାରଣ ଯେଉଁ ରାଜ୍ୟରେ ଗରିବ ହିତାଧିକାରୀଙ୍କୁ ରାସନ ମିଳୁନଥିଲା, ରାସନ କାର୍ଡ ପାଇଁ ସେମାନଙ୍କୁ ଏ ଅଫିସ୍ରୁ ସେ ଅଫିସ୍ ଧାଇଁବାକୁ ପଡ଼ୁଥିଲା । ସେହି ରାଜ୍ୟରେ ୩ ଲକ୍ଷରୁ ଅଧିକ ମଲା ଲୋକଙ୍କ ନାଁରେ ରାସନ ଚୋରି ହେଉଥିଲା । ତେବେ ଏହା ଏକ ଅତ୍ୟନ୍ତ ସାଂଘାତିକ ପ୍ରସଙ୍ଗ ବୋଲି କହିଛନ୍ତି ବୁଦ୍ଧିଜୀବୀ ।
ରାଜ୍ୟ ସରକାରଙ୍କ ପକ୍ଷରୁ ଯେତେବେଳେ E-KYC ପ୍ରକ୍ରିୟା ଆରମ୍ଭ ହେଲା, ସେତେବେଳେ ଏହି କେଳେଙ୍କାରୀ ପଦାକୁ ଆସିଥିଲା । E-KYC ପ୍ରକ୍ରିୟା ପରେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତବ୍ୟକ୍ତିଙ୍କ ନାଁକୁ ବାଦ ଦିଆଯାଇଛି । କେନ୍ଦୁଝରରେ ସର୍ବାଧିକ ୩୫ ହଜାର ୫୫୦ ଜଣ ମୃତ ବ୍ୟକ୍ତି ରାସନକାର୍ଡ ହାତେଇ ଥିବା ବେଳେ ଗଞ୍ଜାମରେ ୨୫ ହଜାର ୭୮୯, ମୟୁରଭଞ୍ଜରେ ୨୩ ହଜାର ୭୯୯, ରାୟଗଡ଼ାରେ ୨୨ ହଜାର ୪୧୧ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଥିଲା ରାସନ।
ଅନ୍ୟପଟେ ଗତ ଫେବ୍ରୁଆରୀ ୧୫ ତାରିଖ ସୁଦ୍ଧା ସମସ୍ତଙ୍କୁ E-KYC ଅପ୍ଡେଟ୍ କରିବାକୁ କୁହାଯାଇଥିଲା । କିନ୍ତୁ ପରେ ଏହି ଅବଧି ବୃଦ୍ଧି କରାଯାଇଛି । ଏବେ ୩୧ ମାର୍ଚ୍ଚ ସୁଦ୍ଧା ସମସ୍ତେ E-KYC ଅପ୍ଡେଟ୍ କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ନେଟ୍ୱାର୍କ ସମସ୍ୟା ପାଇଁ କିଛି ସ୍ଥାନରେ E-KYC ଅପଡେଟ୍ ହେଉନି । ୧୧୧ ସ୍ଥାନରେ ସ୍ଲୋ ନେଟୱର୍କ ଏବଂ ୨୩୦ ସ୍ଥାନରେ ନେଟୱର୍କ ନଥିବା କାରଣରୁ ଲୋକେ E-KYC ଅପଡେଟ୍ କରିପାରିନାହାନ୍ତି । ମୋଟ ୩୪୧ ସେଣ୍ଟରରେ ନେଟୱର୍କ ନଥିବା କାରଣରୁ ଇକେୱାଇସି କରିବାରୁ ବଞ୍ଚିତ ହୋଇଛନ୍ତି । ଏହି ତଥ୍ୟ ସାମ୍ନାକୁ ଆସିବା ପରେ ସରକାର ଅବଧି ବଢାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ତେଣୁ E-KYC ଅବଧିକୁ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି । ୯୦ ପ୍ରତିଶତ E-KYC ଅପଡେଟ୍ କରିସାରିଲେଣି । ୨ କୋଟି ୯୯ ଲକ୍ଷ ୮ ହଜାର ୪୫୭ ଜଣ E-KYC ଅପ୍ଡେଟ୍ କରିସାରିଲେଣି । ସମସ୍ୟା ଥିଲେ ଟୋଲ୍ ଫ୍ରି ନଂ '୧୯୬୭'କୁ କଲ୍ କରି ବୁଝିପାରିବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯେଉଁମାନେ ବି ଇ-କେୱାଇସି କରିନାହାନ୍ତି ସେମାନଙ୍କୁ ପୁଣି ଏକ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର । ଯେଉଁମାନେ E-KYC କରିନାହାନ୍ତି ସେମାନେ ମାର୍ଚ୍ଚ ୩୧ ସୁଦ୍ଧା କରାଇ ନିଅନ୍ତୁ ।