ସୁରଙ୍କ ଶେଷ ବିଧାନସଭା; ମୁଣ୍ଡିଆ ମାରିଲେ, ଭାବବିହ୍ୱଳ ହେଲେ...

ଭୁବନେଶ୍ୱର: ନିଆରା ବ୍ୟକ୍ତିତ୍ୱ । ଯାହାଙ୍କ କଥା ସମସ୍ତଙ୍କର ସବୁବେଳେ ମନେ ରହିବ ମନେ ପଡିବ । ମିଡିଆର ଏକ ଚର୍ଚ୍ଚିତ ଚେହେରା । ଯିଏ ସବୁ ପ୍ରସଙ୍ଗରେ ମନଖୋଲି ନିଜର ମତ ରଖନ୍ତି । ଲୋକଙ୍କୁ ହସାନ୍ତି ।
ଆଜି ବିଧାନସଭା ବଜେଟ୍ ଅଧିବେଶନର ଶେଷ ଦିନ । ଆଉ ସୁରଙ୍କ ଶେଷ ବିଧାନସଭା । ବିଧାନସଭାରୁ ବାହାରିଲା ବେଳେ ମୁଣ୍ଡିଆ ମାରିଲେ । ଭାବବିହ୍ୱଳ ହେଲେ । ପୁରୁଣା କଥା ମନେ ପକାଇଲେ ।
80 ବର୍ଷ ହେଇଗଲା । ବୁଢା ହେଇଗଲିଣି । ଶକ୍ତି କମିଗଲାଣି । ମୋ ଦୁଇ ପୁଅ ରାଜନୀତି କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ସାନ ପୁଅ ଜଟଣୀ ଲୋକଙ୍କ ସେବା କରିବ । ବଡ ପୁଅ ନିମାପଡା ମାମୁଁ ଘରେ ବଢିଛି । ତାକୁ ନିମାପଡା ଛାଡିଛି । ସେ ସେଠି ଲୋକଙ୍କ ସେବା କରିବ । ମୋ ଦୁଇ ପୁଅ ଏଥର ନିର୍ବାଚନରେ ଲଢିବେ । ଆଶା କରିବି ଜନସାଧାରଣ ମୋ ଦୁଇ ପୁଅକୁ ସାହାଯ୍ୟ କରିବେ ।
📱 Get Argus News App
✨ଏତିକି କହିବାବେଳେ ତାଙ୍କ ସ୍ୱରରେ ଗମ୍ଭୀରତା ବାରି ହୋଇପଡୁଥାଏ । 1977 ମସିହାରୁ ଲଗାତାର ଭାବେ ଆଜି ପର୍ଯ୍ୟନ୍ତ ବିଧାନସଭାରେ ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି ସୁର । ଜାନକୀ ପଟ୍ଟନାୟକ, ନବୀନ ପଟ୍ଟନାୟକ, ଗିରିଧାରୀ ଗମାଙ୍ଗ, ନନ୍ଦିନୀ ଦେବୀ, ବିନାୟକ ଆଚାର୍ଯ୍ୟ ସମସ୍ତଙ୍କ ନେତୃତ୍ୱରେ କାମ କରିଛନ୍ତି । ଜଟଣୀ ପାଇଁ କାମ କରିଛି । ସେଥିପାଇଁ ମୁଁ ବହୁତ ଖୁସି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।
ବିଧାନସଭାରେ ଯେତେବେଳେ ଯେଉଁ ପ୍ରସଙ୍ଗକୁ ନେଇ ସ୍ୱର ଉଠାଇଛି ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ନେତା ମନ୍ତ୍ରୀ, ଚିଫ୍ ସେକ୍ରେଟାରୀ, ଆଇଏଏସ, ଓଏଏସ, ଆଇପିଏସ ସମସ୍ତେ ଖୁବ ସହଯୋଗ କରିଛନ୍ତି । ଆଉ ସେଥିପାଇଁ ମୁଁ ସମସ୍ତଙ୍କ ପାଖରେ ଋଣି ।
ବିଧାନସଭା ମିସ୍ କରିବି । କଂଗ୍ରେସରେ ମୁଁ ମଲା ପର୍ଯ୍ୟନ୍ତ ରହିଛି...ରହିବି । ଜନସାଧାରଣଙ୍କ ସେବା କରୁଛି...କରିବି । ହେଲେ ବିଧାନସଭାରେ ଆଉ ମତେ ଦେଖିବାକୁ ମିଳିବନି । ବିଧାନସଭା ଆସିବିନି ଏଥିପାଇଁ ଦୁଃଖ ଲାଗୁଛି ବୋଲି କହିଛନ୍ତି ସୁର ।