Videos
|
Odisha

ସ୍ଵର୍ଗଦ୍ଵାରରେ ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ ସମ୍ପନ୍ନ, ଦିଆଗଲା ଗାର୍ଡ ଅଫ୍ ଅନର୍

Sushanta Sahoo
Browse all articles by Sushanta Sahoo
·1 year ago·2 min read
ସ୍ଵର୍ଗଦ୍ଵାରରେ ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ ସମ୍ପନ୍ନ, ଦିଆଗଲା ଗାର୍ଡ ଅଫ୍ ଅନର୍

ପୁରୀ: ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତରେ ଆଉ ଏକ ଯୁଗର ଅନ୍ତ ହୋଇଛି । ଦୀପ ଭଳି ଜଳି ଜଳି ସମାଜକୁ ଆଲୋକିତ କରୁଥିବା ଦେବେନ୍ଦ୍ର ପ୍ରଧାନ ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ଵର୍ଗଦ୍ଵାରରେ ସମ୍ପନ୍ନ ହୋଇଛି ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ । ଶେଷକୃତ୍ୟ ପୂର୍ବରୁ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କୁ ଗାର୍ଡ ଅଫ୍ ଅନର ଦିଆ ଯାଇଥିଲା ।


ଦେବେନ୍ଦ୍ରଙ୍କ ଅନ୍ତିମ ସଂସ୍କାରରେ ଯୋଗ ଗୁରୁ ବାବା ରାମଦେବଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଏକାଧିକ ମନ୍ତ୍ରୀ, ସାଂସଦ ଓ ବିଧାୟକ ଉପସ୍ଥିତ ରହିଥିଲେ । ରାଜ୍ୟ ବାହାରର ଅନେକ ନେତା ବି ସାମିଲ୍ ହୋଇଥିଲେ । ଲୋକାରଣ୍ୟ ହୋଇ ଉଠିଥିଲା ସ୍ଵର୍ଗଦ୍ଵାର । ସମସ୍ତଙ୍କ ଲୋତକରେ ଝରି ଆସୁଥିଲା ଲୁହ । ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ ଏକାଠି ହୋଇଥିବା ଜନଗଣ । ଦଳମତ ନିର୍ବିଶେଷରେ ସମସ୍ତେ ସାମିଲ୍ ହୋଇଥିଲେ ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟରେ ।


ମଙ୍ଗଳବାର ସକାଳୁ ଭୁବନେଶ୍ଵର ଚନ୍ଦ୍ରଶେଖରପୁର ସ୍ଥିତ ବାସଭବନରୁ ଦେବେନ୍ଦ୍ର ପ୍ରଧାନଙ୍କ ମରଶରୀରକୁ ପୁରୀ ଅଭିମୁଖେ ନିଆ ଯାଇଥିଲା । ଦେବେନ୍ଦ୍ରଙ୍କ ଶେଷ ଯାତ୍ରାରେ ସାମିଲ୍ ହୋଇଥିଲେ ହଜାର ହଜାର ଲୋକ । ପାର୍ଥିବ ଶରୀରକୁ ପୁରୀ ନେବା ରାସ୍ତାରେ ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଲୋକେ ।


ସୋମବାର ୮୪ ବର୍ଷ ବୟସରେ ଦିଲ୍ଲୀରେ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ ହୋଇଥିଲା । ଡାକ୍ତରୀ ପେଶାରୁ ରାଜନୀତିକୁ ଆସି ଅଟଳ ବିହାରୀ ବାଜପେୟୀ ସରକାରରେ କେନ୍ଦ୍ର ପରିବହନ ମନ୍ତ୍ରୀ ହୋଇଥିଲେ ଦେବେନ୍ଦ୍ର ପ୍ରଧାନ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ଵ ମଧ୍ୟ ତୁଲାଇ ଥିଲେ । ମଣ୍ଡଳ ସଭାପତିରୁ ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରିଥିଲେ । ଓଡ଼ିଶାରେ ବିଜେପିର ସଂଗଠନର ମୂଳ ଦୁଆ ପକାଇବାରେ ଥିଲା ତାଙ୍କର ପ୍ରମୁଖ ଭୂମିକା । ଦେବେନ୍ଦ୍ରଙ୍କ ଶରୀର ସିନା ପଞ୍ଚଭୂତରେ ବିଲୀନ ହୋଇଛି, ସେ କିନ୍ତୁ ଓଡ଼ିଆଙ୍କ ପ୍ରାଣରେ ଘର କରି ନେଇଛନ୍ତି ଚିର ଦିନ ପାଇଁ । 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: