କୃଷି ଭବନରେ ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍- ଉଷା)ର ଶୁଭାରମ୍ଭ

ଭୁବନେଶ୍ୱର: ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ- ପିଏମ୍ ଉଷା ଯୋଜନା ଲାଗୁ ପାଇଁ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ସଚିବ ଅରବିନ୍ଦ ଅଗ୍ରୱାଲ ଏବଂ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ସୁନୀଲ ବର୍ଣ୍ଣୱାଲଙ୍କ ମଧ୍ୟରେ ଏହି MOU ସ୍ବାକ୍ଷର ହୋଇଛି । ପିଏମ୍ ଉଷା ଅଭିଯାନ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
`ପିଏମ୍- ଉଷା' ଅଭିଯାନକୁ ପୂର୍ବ ସରକାର ସାମିଲ୍ କରିନଥିଲେ । ବର୍ତ୍ତମାନ କମ୍ ସମୟ ଭିତରେ ଆମକୁ ଅଧିକ କାମ କରିବାକୁ ହେବ । ଏହି ଅଭିଯାନ ଦ୍ବାରା ଜାତୀୟ ସ୍ତରରେ ଆମ ପିଲାମାନେ ନାଁ କରିବେ ବୋଲି କହିଛନ୍ତି ସିଏମ୍ । ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ପୂର୍ବ ସରକାରଙ୍କ ଆନ୍ତରିକତା ଅଭାବରୁ ରାଜ୍ୟରେ ଲାଗୁ ହୋଇପାରିନଥିଲା ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ- ପିଏମ୍ ଉଷା । ୩ ବର୍ଷ ପୂର୍ବରୁ ଏହା ଲାଗୁ ହେବାର ଥିଲା । ସଉତୁଣୀ ବିଧବା ହେଉ ନ୍ୟାୟରେ ଓଡ଼ିଆ ପିଲାଙ୍କୁ ଏହାର ଫାଇଦାରୁ ବଞ୍ଚିତ କରିଥିଲେ ପୂର୍ବ ସରକାର । ପିଏମ୍ ଉଷା ଯୋଜନା ପାଇଁ କେନ୍ଦ୍ର ସରକାର ୬୦ ଭାଗ ଅର୍ଥ ଓ ରାଜ୍ୟ ସରକାରଙ୍କୁ ୪୦ ଭାଗ ଅର୍ଥ ଦେବାକୁ ପଡ଼ିବ ।
ପିଏମ୍ ଉଷା ଯୋଜନାରେ ଏବେ ଓଡ଼ିଶା ପାଇବ ୫୦୦ କୋଟି ଟଙ୍କା । ମହାବିଦ୍ୟାଳୟ, ବିଶ୍ଵ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ସହ ଗବେଷଣା ଓ ଦକ୍ଷତା ବିକାଶ ଦିଗରେ ଖର୍ଚ୍ଚ ହେବ ଏହି ଅର୍ଥ । ରାଜ୍ୟର ୧ କୋଟି ପିଲା ଏହାର ଫାଇଦା ପାଇବେ । ରାଜ୍ୟକୁ ବୈଷୟିକ, ଦକ୍ଷତାଯୁକ୍ତ କରିବାରେ ପିଏମ ଉଷା ହେଉଛି ପ୍ରଥମ ପାହାଚ । ଅନ୍ୟ ପକ୍ଷରେ ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ ୨୦୨୦ ସଂଶୋଧନ କରି ଖୁବଶୀଘ୍ର ରାଜ୍ୟର ବିଶ୍ବ ବିଦ୍ୟାଳୟଗୁଡ଼ିକୁ ସେମାନଙ୍କୁ ପୂର୍ବରୁ ମିଳୁଥିବା ସ୍ବାୟତ୍ତତା ଫେରାଇ ଦିଆଯିବ।
📱 Get Argus News App
✨କୃଷି ଭବନରେ ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍- ଉଷା)ର ଶୁଭାରମ୍ଭ କଲି।
— Mohan Charan Majhi (@MohanMOdisha) August 31, 2024
ଓଡ଼ିଶାରେ ଉଚ୍ଚ ଶିକ୍ଷା କ୍ଷେତ୍ରର ସାମଗ୍ରିକ ଉନ୍ନତି ପାଇଁ ଭାରତ ସରକାରଙ୍କ @EduMinOfIndia ଏବଂ ଓଡ଼ିଶା ସରକାରଙ୍କ @DHE_Odisha ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର କରାଯାଇଛି।
ଓଡ଼ିଶାରେ ଶିକ୍ଷା କ୍ଷେତ୍ରର ବିକାଶକୁ ଉଭୟ କେନ୍ଦ୍ର… pic.twitter.com/XjJnXvlVDO