ଆଜି ଆସ ବୁଲିଯିବା କୋରାପୁଟ

କୋରାପୁଟ ଜିଲ୍ଲାରେ ଥିବା ସବୁ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ ନନ୍ଦପୁର ବ୍ଲକର ପାଡ଼ୁଆ ନିକଟରେ ବଡ଼ଦେବତା ପୀଠ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ପିକ୍ନିକ୍ ଋତୁ ଆସିଲେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଅଞ୍ଚଳ ଲୋକାରଣ୍ୟ ହୋଇଉଠେ। ମନଲୋଭା ପରିବେଶ ସାଙ୍ଗକୁ ପାହାଡ଼, ବିଭିନ୍ନ ପ୍ରକାରର ଗଛ ଏବଂ ସମ୍ମୁଖରେ ଥିବା ପାଡ଼ୁଆ ଜଳଭଣ୍ଡାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହି ଅଞ୍ଚଳରେ ବଣଭୋଜିର ମଜା କିଛି ଅଲଗା। ଶାକାହାରୀଙ୍କ ପାଇଁ ନିକଟରେ ଥିବା ପାଡ଼ୁଆ ଗ୍ରାମର ପାହାଡ଼ିଆ ପରିବା
ସହଜରେ ଅଳ୍ପ ଦରରେ ମିଳୁଥିବା ବେଳେ ଜଳଭଣ୍ଡାରର ମାଛ ପର୍ଯ୍ୟଟକଙ୍କୁ ଏଠାକୁ ଟାଣି ଆଣିଥାଏ।
ପ୍ରାୟ ବର୍ଷ ସାରା ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ତେବେ ବିଶେଷ କରି ଶୀତ ଓ ଗ୍ରୀଷ୍ମ ଋତୁରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ କୋରାପୁଟ ଜିଲ୍ଲାର ଅନେକ ପର୍ଯ୍ୟଟକ ଏହି ସ୍ଥାନକୁ ଆସିଥାନ୍ତି। ୨ କିଲୋମିଟର ବ୍ୟବଧାନରେ କୌଣସି ଜନବସତି ନ ଥିବାରୁ ଏଠାରେ ପ୍ରାୟ ଅନେକ ସମୟରେ ଠେକୁଆ ଓ ବାରହା ଭଳି ଜଙ୍ଗଲୀ ଜୀବଜନ୍ତୁ ଦେଖିବାକୁ ମିଳିଥାନ୍ତି।
📱 Get Argus News App
✨କେମିତି ଯିବେ: ଏଠାକୁ ଯିବାକୁ ହେଲେ ସଡ଼କପଥ କିମ୍ବା ଟ୍ରେନ ଯୋଗେ ଆସି କୋରାପୁଟରେ ପହଞ୍ଚିବାକୁ ପଡ଼ିବ। ଏହାପରେ କୋରାପୁଟରୁ ୫୦ କିଲୋମିଟର ଗଲେ ନନ୍ଦପୁର ପଡ଼ିବ। ନନ୍ଦପୁରରୁ ୩୫ କିମି ଦୂରରେ ପାଡ଼ୁଆ ଗ୍ରାମ ନିକଟରେ ଏହି ପର୍ଯ୍ୟଟନସ୍ଥଳୀ ଅବସ୍ଥିତ। ଏହି ସ୍ଥାନକୁ ଯିବାପାଇଁ କୋରାପୁଟ ସହରରୁ ଭଡ଼ାସୂତ୍ରରେ ଛୋଟବଡ଼ ଗାଡ଼ି ଉପଲବଧ।