ସରୁନି ଦୀର୍ଘ ବର୍ଷର ବାଉଁଶ ପୋଲ କାହାଣୀ

Key Points
ସରୁନି ଦୀର୍ଘ ବର୍ଷର ବାଉଁଶ ପୋଲ କାହାଣୀ
ପାଣି ମଝିରେ ପ୍ରତିଦିନ ବାଜିରେ ଲାଗୁଛି ଜୀବନ
୨୦୧୦ ମସିହାରୁ ଭାଙ୍ଗି ଯାଇଛି ପୁରୁଣା ବ୍ରିଜ୍
ଗତ ସରକାରରୁ ନୂଆ ବ୍ରିଜ୍ ଖଣ୍ଡିଏ ଲାଗି ହୋଇଆସୁଛି ଦାବି
କେବେ ପଡିବ ଭଦ୍ରକ ଖଣ୍ଡତଡାବାସୀଙ୍କ ଯାତାୟତ ଦୁଃଖରେ ଫୁଲଷ୍ଟପ୍ ?
ଖଣ୍ଡିଏ ବାଉଁଶରେ ପାଦ, ଖଣ୍ଡିଏ ବାଉଁଶରେ ହାତ । ତଳେ ଅଥଳ ପାଣି । ଚାଲିଲେ ମାତ୍ରେ ଦୋହଲୁଛି ପୋଲ । କେତେବେଳେବି ବାଉଁଶ ପୋଲ ଭୁଶୁଡି ଯାଇପାରେ ନଚେତ୍ ମଣିଷ ପାଣିରେ ପଡିଯାଇପାରେ । ଏସବୁ ଜାଣିବି ପ୍ରତିଦିନ ନିଜ ଜୀବନକୁ ବାଜିରେ ଲଗାଉଛନ୍ତି ଏମାନେ । ଭଦ୍ରକ ଜିଲ୍ଲା ଖଣ୍ଡତଡ଼ା ପଞ୍ଚାୟତର ୮ ନଂ ୱାର୍ଡ ରଘୁପତି ବିନ୍ଧା । ୧୦୦ରୁ ଅଧିକ ପରିବାର ବସବାସ କରୁଥିବାବେଳେ ନାହିଁ ଗମନାଗମନ ସୁବିଧା । ୨୦୧୦ ମସିହାରୁ ବ୍ରିଜ୍ ଭାଙ୍ଗି ଯାଇଥିବାବେଳେ ନୂଆ ବ୍ରଜ୍ ଖଣ୍ଡିଏ ଦୀର୍ଘ ବର୍ଷ ପରେ ବି ନିର୍ମାଣ ହୋଇପାରିଲା ନାହିଁ । ଯାହାର ସଜ୍ଜା ଭୋଗୁଛନ୍ତି ଏହି ନୀରିହ ଗରିବ ପରିବାର ।
ସାଳନ୍ଦୀ ନଦୀ ଗୋଟେପାଖେ ରଘୁପତି ବିନ୍ଧା ରହିଥିବାବେଳେ ଆରପାଖରେ ରହିଛି ଆହାରପଦା । ସେଠାରେ ଏମଇ ସ୍କୁଲ, ଭଦ୍ରକାଳୀ ହାଇସ୍କୁଲ ସମେତ ଅଙ୍ଗନବାଡ଼ି କେନ୍ଦ୍ର ଅଛି । ଯେଉଁଥିପାଇଁ ସ୍କୁଲ ପିଲାଙ୍କୁ ପ୍ରତିଦିନ ଏହି ବାଉଁଶ ପୋଲ ଉପରେ ବିପଦସଙ୍କୁଳ ଅବସ୍ଥାରେ ଯାତାୟତ କରିବାକୁ ପଡେ । ନଚେତ୍ ୩ କିମି ବୁଲି ଅଧିକ ବାଟ ଯିବାକୁ ହେବ । ଯାହାକି ଲୋକମାନେ ଏତେ ବାଟ ବୁଲିବା ଅପେକ୍ଷା ବାଉଁଶ ପୋଲକୁ ସାହାରା କରିଛନ୍ତି ।
ଗତ କିଛି ଦିନ ତଳେ ଏହି ବାଉଁଶ ପୋଲରୁ ଖସି ପଡି ଜଣେ ଛାତ୍ର ଗୁରୁତର ହୋଇଥିଲେ । ସେହିପିର ଏକ ବୃଦ୍ଧ ପୋଲରୁ ଖସି ପଡି ନିଖୋଜ ହୋଇଯାଇଥିଲେ । ପରଦିନ ପାଣିରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସାଳନ୍ଦୀ ଜଳସମ୍ପଦ ବିଭାଗ ଅଧୀନରେ ଏହି ପୋଲ ନିର୍ମାଣ ଦାୟିତ୍ଵ ରହିଥିବାବେଳେ କେହି କେହ କର୍ଣ୍ଣପାତ କରୁ ନାହାନ୍ତି । ଅନ୍ୟପଟେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି, ସମସ୍ୟାର ହେବ ସମାଧାନ । ବିଜେଡି ସରକାରରୁ ବ୍ରିଜ୍ ପାଇଁ କଲବଲ ହେଉଥିବାବେଳେ ଏଥର ଦୁଃଖ ଶୁଣିବେ ବିଜେପି ସରକାର ଏଇ ଆଶା ବାନ୍ଧିଛନ୍ତି ରଘୁପତି ବିନ୍ଧାବାସୀ ।