Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉତ୍ତରାଖଣ୍ଡ ଭଳି ଓଡ଼ିଶାକୁ ମଧ୍ୟ ଭୂସ୍ଖଳନ ଭୟ , ଏହି ଜିଲ୍ଲାକୁ ଚିହ୍ନଟ କଲେ ରାଜ୍ୟ ସରକାର

Swoyang prajna Mishra
Browse all articles by Swoyang prajna Mishra
·11 months ago·2 min read
ଉତ୍ତରାଖଣ୍ଡ ଭଳି ଓଡ଼ିଶାକୁ ମଧ୍ୟ ଭୂସ୍ଖଳନ ଭୟ , ଏହି ଜିଲ୍ଲାକୁ ଚିହ୍ନଟ କଲେ ରାଜ୍ୟ ସରକାର

Key Points

ଓଡ଼ିଶାକୁ ମଧ୍ୟ ରହିଛି ଉତ୍ତରାଖଣ୍ଡ ଭଳି ଭୂସ୍ଖଳନ ଭୟ
ଭୂସ୍ଖଳନ ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି ରାଜ୍ୟର ଗଜପତି ଜିଲ୍ଲା
ଜିଲ୍ଲାର ୧୨୯ ଟି ସ୍ଥାନକୁ ଭୂସ୍ଖଳନ ପ୍ରବଣ ବୋଲି ଚିହ୍ନଟ କରିଛନ୍ତି ରାଜ୍ୟ ସରକାର
କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ମଧ୍ୟ ଭୂସ୍ଖଳନ ନେଇଛି ଅନେକ ଜୀବନ
ବଡ ଅଘଟଣକୁ ରୋକିବା ପାଇଁ ଅମୃତା ବିଶ୍ୱ ବିଦ୍ୟାପୀଠମ ସହ ରାଜ୍ୟ ସରକାରଙ୍କ ଚୁକ୍ତି

କେରଳର ୱାଇନାଡ଼ ପରେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଘଟିଥିବା ଭୂସ୍ଖଳନ ସମଗ୍ର ଦେଶ କୁ ଦୋହଲାଇ ଦେଇଛି । ମାଟି ତଳୁ ଜୀବନକୁ ସାଉଁଟିବାକୁ ଚାଲିଛି ସଂଘର୍ଷ । ଏଭଳି ସ୍ଥିତିରେ ଆମ ରାଜ୍ୟ ଓଡ଼ିଶା ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟରୁ କେତେ ମୁକ୍ତ ତାକୁ ନେଇ ଆରମ୍ଭ ହୋଇଛି ଆଲୋଚନା । କାରଣ ସରକାରୀ ତଥ୍ୟ କହୁଛି ରାଜ୍ୟର ଗଜପତି ଜିଲ୍ଲାକୁ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି । ଜିଲ୍ଲାର ୧୨୯ ଟି ସ୍ଥାନରେ ରହିଛି ଭୂସ୍ଖଳନର ଭୟ । ଯାହାକୁ ଦୃଷ୍ଟିରେ ରଖି କେରଳ ଓ ଉତ୍ତରାଖଣ୍ଡ ଭଳି ବଡ଼ ଅଘଟଣ ଏଡାଇବାକୁ ବିଭିନ୍ନ ବିଭାଗ, ପାଣିପାଗ ନିର୍ଦ୍ଦେଶାଳୟ, କେରଳର ଅମୃତା ବିଶ୍ୱ ବିଦ୍ୟା ପୀଠମ ମଧ୍ୟରେ ଲଗାତାର ସମନ୍ୱୟ ବୈଠକ ବସୁଛି । ଅଧିକ ସର୍ଭେ ପାଇଁ ଓସଡ଼ମା ଏବଂ ଅମୃତା ବିଶ୍ୱ ବିଦ୍ୟାଳୟ ମଧ୍ୟରେ ଚୁକ୍ତିନାମା ସ୍ୱକ୍ଷର ହୋଇଥିବା କହିଛନ୍ତି ରାଜ୍ୟ ସରକାର ।

କେରଳ ଓ ଉତ୍ତରାଖଣ୍ଡ ଭଳି ଭୂସ୍ଖଳନ ଦେଖିଲେ ଆଜି ଭୟରେ ଥରି ଉଠନ୍ତି ଗଜପତି ଜିଲ୍ଲାର ଅନେକ ପଞ୍ଚାୟତବାସୀ । ୨୦୦୬ ମସିହାରେ ଗୁମ୍ମା ବ୍ଲକର ମିଞ୍ଜିରି ଠାରେ ହୋଇଥିବା ଭୂସ୍ଖଳନରେ ୪ଜଣଙ୍କ ଜୀବନ ଯାଇଥିଲା.. ୨୦୧୮ ଅକ୍ଟୋବର ମାସରେ ହୋଇଥିବା ତିତିଲି ବାତ୍ୟା ସମୟରେ ରାୟଗଡ ବ୍ଲକର ଗଙ୍ଗାବାଡ, ଲକ୍ଷ୍ମୀପୁର, କଇଁପୁର, ଗଣ୍ଡାହାତୀ ଆଦି ପଞ୍ଚାୟତ ସମେତ ରା.ଉଦୟଗିରି ଓ ନୂଆଗଡ ବ୍ଲକର କିଛି ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ୪୯ଜଣ ମୃତ୍ୟୁ ବରଣ କରିଥିଲେ । ଯାହାକୁ ଆଜି ବି ଭୁଲି ନାହାନ୍ତି ଗ୍ରାମବାସୀ ।

ଏସବୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଘଟିବାର ପ୍ରମୁଖ କାରଣଗୁଡ଼ିକ ହେଉଛି ଭୀଷଣ ବୃଷ୍ଟିପାତ, ବାତ୍ୟା, ମୃର୍ତ୍ତିକାକ୍ଷୟ ଓ ଜଙ୍ଗଲଧ୍ୱଂସ । ଖଣି ଖନନ ଓ ବେଆଇନ ପଥର ଖୋଳା, ନିମ୍ନମାନର ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ ମଧ୍ୟ ଅନ୍ୟତମ କାରଣ । ଜଙ୍ଗଲଧ୍ବଂସ ହେବା ଫଳରେ ଭୂମିର ନମନୀୟତା ବୃଦ୍ଧି ପାଇବା ସଂଗେ ସଂଗେ ଧସିବା ଭଳି ବିପଦ ବି ଉପୁଜି ଥାଏ । ତେବେ କେରଳ , ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଭୁସ୍ଖଳନ ଭଳି ଗଜପତିରେ ତିତିଲର ତିକ୍ତ ଅନୁଭୁତି ବି ରହିଛି... । ଏବେ ଠୁଁ ସାବଧାନ ନ ହେଲେ ଆଗକୁ ବଡ଼ ବିପର୍ଯ୍ୟୟକୁ ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Like Uttarakhand, Odisha is also at risk of landslides, the state government has identified these districts | Argus News