ମହାନଦୀ କୂଳରେ ରହି ମଧ୍ୟ ମିଳୁନି ପିଇବାକୁ ପାଣି

ଅଢେଇ ହଜାର ଲୋକଙ୍କ ଭରସା ଖୋଲା କୂଅ। ଲକ୍ଷଲକ୍ଷ ଟଙ୍କାର ପ୍ରକଳ୍ପ ଥାଇବି ଉପାନ୍ତରେ ଶୋଷ ମେଣ୍ଟାଉଛି କୂଅ ପାଣି। ବୌଦ୍ଧ ହରଭଙ୍ଗା ବ୍ଲକ ସୁରୁଣ୍ଡି ଗାଁରେ ବାଟବଣା ବସୁଧା ଯୋଜନାର ନଗ୍ନ ଚିତ୍ର। ବସୁଧା ଯୋଜନାରେ ଗ୍ରାମ୍ୟ ପାନୀୟଜଳ ଯୋଗାଣ ଓଭରହେଡ୍ ଟ୍ୟାଙ୍କ ରହିଛି l ଗାଁ ସାରା ପାଇପ ବିଛାଯାଇଛି, ପ୍ରତି ଘର ସମ୍ମୁଖରେ ଷ୍ଟାଣ୍ଡପୋଷ୍ଟ ବସାହୋଇଛି। ହେଲେ ସେଥିରୁ ପାଣି ମୁନ୍ଦେ ଆସୁନାହିଁ, ଫଳରେ ଗାଁର ମହିଳାମାନେ ରୋଷେଇବାସ ଏବଂ ପାନୀୟଜଳ ସଂଗ୍ରହ ପାଇଁ ଏକ କିଲୋମିଟର ସ୍କୁଲ ନିକଟରେ ଥିବା ଏହି ଖୋଲା କୂଅ ଉପରେ ନିର୍ଭର କରୁଛନ୍ତି ।
ହରଭଙ୍ଗା ମୁଖ୍ୟାଳୟ ଠାରୁ ମାତ୍ର ୩ କିମି ଦୂରରେ ରହିଛି ସୁରୁଣ୍ଡି । ଗାଁରେ ଲୋକ ସଂଖ୍ୟା ପ୍ରାୟ ଅଢ଼େଇ ହଜାର ହେବ। ମହାନଦୀ କୂଳରେ ରହିଥିଲେ ମଧ୍ୟ ଏହି ଗ୍ରାମବାସୀ ବିଶୁଦ୍ଧ ପାନୀୟଜଳ ପାଇବାରୁ ବଂଚିତ l ଗାଁରେ ଅନେକ ନଳକୂପ ସ୍ଥାପନ ହୋଇଛି ସତ ହେଲେ କଳଙ୍କି ଯୁକ୍ତ ପାଣି ବାହାରୁ ଥିବାରୁ ପିଇବା ପାଣି ବ୍ୟବହାର ହୋଇ ପାରୁନି। ଦଶ ବର୍ଷ ତଳେ ଗାଁ ମୁଣ୍ଡରେ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେଲା କିଛି ଦିନ ଜଳ ଯୋଗାଣ ମଧ୍ଯ ହେଲା। ମାତ୍ର ନିମ୍ନମାନର କାମ ଯୋଗୁଁ ଅଚଳ ହୋଇଗଲା ପ୍ରକଳ୍ପ। ଫଳରେ ଗାଁ ମୁଣ୍ଡରେ ଥିବା ଏକ ଖୋଲା କୂଅରୁ ବିପଦସଙ୍କୁଳ ଅବସ୍ଥାରେ ପାଣି କାଢୁଛନ୍ତି ମହିଳା। ଏହି ପାଣି ପିଇ ଗାଁରେ କୀଡନି ରୋଗ ବ୍ୟାପୁଥିବା ମଧ୍ୟ ଅଭିଯୋଗ ହୋଇଛି।
ଖାଲି ସୁରୁଣ୍ଡି କାହିଁକି ଖରାଦିନ ଆରମ୍ଭରୁ ହରଭଙ୍ଗା ଅଂଚଳରେ ପିଇବା ପାଣି ସମସ୍ୟା ଉତ୍କଟ ରୂପ ନେଉଛି l ଏହି ଅଞ୍ଚଳମାନଙଅକ ଭିତରୁ ଅନେକ ଅଞ୍ଚଳରେ ପ୍ରକଳ୍ପ ଥାଇବି ଲୋକଙ୍କ କାମରେ ଆସୁଛି। ତେବେ ଏହାର ମରାମତି କରି ଲୋକଙ୍କୁ ପାଣି ଯୋଗାଇବା ପାଇଁ ସାଧାରଣରେ ଦାବି ହୋଇଛି।