ଭଦ୍ରକରେ ଲୁଟେରାଙ୍କ ଦୌରାତ୍ମ୍ୟ

Key Points
ଭଦ୍ରକରେ ଲୁଟେରାଙ୍କ ଦୌରାତ୍ମ୍ୟ
ପୋଲିସ ଆଖିରେ ହାତ ଗେଞ୍ଜି ନିର୍ଭୟରେ କରୁଛନ୍ତି ଲୁଟ୍ ତରାଜ
ଘର, ଦୋକାନ ଆଦିରେ ବୁଲାଉଛନ୍ତି କଳା କନା
ଗୋଟିଏ ପରେ ଗୋଟିଏ ମନ୍ଦିରକୁ ବି କରୁଛନ୍ତି ଟାର୍ଗେଟ୍
ଜିଲ୍ଲା ପୋଲିସର ପାରିବାପଣିଆ ଉପରେ ବଡ଼ ପ୍ରଶ୍ନ
ଜୁନ୍ ୨୪, ଭଦ୍ରକ ରାଣୀତାଲ ବଜାରରେ ସୁନା ଦୋକାନରୁ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ । ଜୁନ୍ ୧୦, ଆରଡ଼ି ଛକ ଅଞ୍ଚଳରେ ନଣନ୍ଦ ଭାଉଜଙ୍କ ଘରେ କଳା କନା ବୁଲାଇଲେ ଲୁଟେରା। ଲୁଟିନେଲେ କୋଟିଏରୁ ଅଧିକ ଟଙ୍କାର ସୁନା ଅଳଙ୍କାର। ମେ ୩୦ ଭଣ୍ଡାରିପୋଖରୀ ଥାନାଠାରୁ ମାତ୍ର ୩୦୦ ମିଟର ଦୂର ବଜାରରେ ଥିବା ମୋବାଇଲ ଦୋକାନରୁ ଲୁଟିନେଲେ ୮୦ ଲକ୍ଷ ଟଙ୍କା ମୂଲ୍ୟର ୪୦୦ରୁ ଅଧିକ ମୋବାଇଲ୍। ଜୁନ ୨ ତାରିଖ।
ଭଦ୍ରକ ସହର ସାଳନ୍ଦୀ କଲୋନୀରୁ ଲୁଟ୍। ମେ ୩୦। ଗ୍ରାମାଞ୍ଚଳ ଥାନା ରାଜପୁର ଅଞ୍ଚଳରେ ସିରିଜ୍ ଚୋରି। ମେ ୨୧, ଭଦ୍ରକ ଗ୍ରାମାଞ୍ଚଳ ଥାନା ତରପଦା ଗାଁରେ ମଦନ ଜେନାଙ୍କ ଘରୁ ଲୁଟ୍। ଇଏ ତ କେତୋଟି ଉଦାହରଣ ମାତ୍ର। ଭଦ୍ରକ ଜିଲ୍ଲାରେ ପ୍ରାୟ ପ୍ରତିଦିନ କେଉଁଠି ନା କେଉଁଠି ମାତୁଛନ୍ତି ଲୁଟେରା। ଅଭିଯୋଗ ପାଇ ପୋଲିସ ଆସୁଛି, ଛାନଭିନ୍ କରୁଛି କିନ୍ତୁ ହାତ ଗଣତି କେତୋଟି ମାମଲାକୁ ଛାଡ଼ି ଦେଲେ ବାକି ସବୁ ମାମଲାରେ ପୋଲିସର ହାତ ଖାଲି। ଲୁଟେରାଙ୍କୁ ଧରିବା ଦୂରର କଥା ସେମାନଙ୍କ ଟେର ବି ପାଉନାହିଁ ଭଦ୍ରକ ପୋଲିସ।
କେବଳ ଘର କି ଦୋକାନ ନୁହେଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ମନ୍ଦିରକୁ ବାରମ୍ବାର ଟାର୍ଗେଟ୍ କରୁଛନ୍ତି ଲୁଟେରା। ଠାକୁରଙ୍କ ଅଳଙ୍କାର ସହ ମନ୍ଦିରରୁ ଅନ୍ୟାନ୍ୟ ସାମଗ୍ରୀ ବି ଲୁଟି ନେଉଛନ୍ତି। ଭଦ୍ରକରେ ଯେମିତି ଚାଲିଛି ଲୁଟେରାଙ୍କ ରାଜ୍। ଅନ୍ୟପଟେ ପୋଲିସର ନିଷ୍କ୍ରିୟତା ବିରୋଧରେ ବଢୁଛି ଜନତାଙ୍କ ଅସନ୍ତୋଷ। ରାତିରେ ପୋଲିସ ପାଟ୍ରୋଲିଂ ହେଉନଥିବାରୁ ଲୁଟେରାଙ୍କ ସାହସ ବଢୁଥିବା କହୁଛନ୍ତି ଲୋକେ।
ବିଭିନ୍ନ ଥାନା ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବା ମାନିଛନ୍ତି ଖୋଦ୍ ଅତିରିକ୍ତ ଏସପି। ଲୁଟେରାଙ୍କୁ ଧରିବାକୁ ନାକାବନ୍ଦୀ କରାଯାଉଥିବା କହିଛନ୍ତି। ଅନ୍ୟପଟେ ଘର ଛାଡ଼ି ବାହାରକୁ ଯାଉଥିବା ଲୋକେ ପଡ଼ୋଶୀ କିମ୍ବା ସମ୍ପର୍କୀୟଙ୍କ ଦ୍ବାରା ନିଜ ଘର ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି। ଲାଗୁଛି ଯେମିତି ଲୁଟେରାଙ୍କ ଆଗରେ ଅସହାୟ ହୋଇପଡ଼ିଛି ଭଦ୍ରକ ପୋଲିସ।