ପାଣ୍ଡିଆନ ଫ୍ଲପ୍, ନବୀନଙ୍କ ଉପରେ ନେତାଙ୍କ ବିଶ୍ଵାସ !

Key Points
- ପାଣ୍ଡିଆନ ଫ୍ଲପ୍, ନବୀନଙ୍କ ଉପରେ ନେତାଙ୍କ ବିଶ୍ଵାସ
- ନଭେମ୍ବରରୁ ରାଜ୍ୟ ସାରା ବୁଲିବେ ନବୀନ
- ଶଙ୍ଖରେ ଆମୂଳଚୂଳ ବଦଳିବ
ଅର୍ଗସ ବ୍ୟୁରୋ : କେବଳ ଜଣଙ୍କ ପାଇଁ ଶାସକ ଦଳରୁ ବିରୋଧୀ ଆସନରେ ବସିଲା ବିଜେଡି । ଭୁଲ ନିଷ୍ପତ୍ତି, ବାହାପିଆ କଥା, ଆତ୍ମଗର୍ବ ପାଇଁ ଦଳ ହାରିଲା ବୋଲି ଏବେ ଅନେକ ନେତା କହିବାକୁ ପଛାଉନାହାନ୍ତି । ଖାସ୍ କରି ପାଣ୍ଡିଆନଙ୍କ ଅତ୍ୟଧିକ କ୍ଷମତା ଉପଭୋଗ ଦଳ ପାଇଁ କାଳ ହୋଇଛି । ଖାଲି ପାଣ୍ଡିଆନ କାହିଁକି ? ବରଂ ବବି ବି କୁଆଡେ ସମପରିମାଣରେ ଦାୟୀ ବୋଲି ଲୋକେ କହିଲେଣି । ସେଇଥି ଲାଗି ତ ନୂଆ କମିଟିରେ ବବିଙ୍କ ନାଁ ବି ନଥିଲା । ଯେଉଁଥିରୁ ଗୋଟିଏ କଥା ସ୍ପଷ୍ଟ ଦଳୀୟ ନେତା ବବି-ପାଣ୍ଡିଆନଙ୍କ ଯୋଡିକୁ ଗ୍ରହଣ କରିପାରୁନାହାନ୍ତି ।
ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନଙ୍କୁ ନେଇ ଏବେ ଦଳରେ ପ୍ରବଳ ଆଲୋଚନା । କାରଣ ପୂର୍ବ ନିର୍ବାଚନରେ ନବୀନ ନୁହେଁ ବରଂ ଅନେକ ସ୍ଥାନରେ ପାଣ୍ଡିଆନ ହିଁ ସଭାସମିତି କରିଥିଲେ । ଯାହାର ଫଳ କଣ ହେଲା ତାହା ପୁରା ରାଜ୍ୟ ଦେଖିଲା । ସେଇଥି ଲାଗି ତ ପାଣ୍ଡିଆନ ଦଳର କୌଣସି ନିଷ୍ପତ୍ତି କିମ୍ବା ହସ୍ତକ୍ଷେପ ନକରିବାକୁ ଦାବି ଜୋର ଧରିଛି । ଏମିତିକି ପୂର୍ବରୁ ଯେମିତି ସବୁ ନିଷ୍ପତ୍ତି କେବଳ ନବୀନ ନେଉଥିଲେ, ବର୍ତ୍ତମାନ ସେହି ଭିତ୍ତିରେ ହିଁ ଦଳ ଚାଲୁ ବୋଲି ବରିଷ୍ଠ ନେତାମାନେ କହିଛନ୍ତି । ତେଣୁ ଆସନ୍ତା ନଭେମ୍ବର ମାସରୁ ପୁରା ରାଜ୍ୟକୁ ଗସ୍ତ କରିବାକୁ ବିଜେଡି ସୁପ୍ରିମୋଙ୍କୁ ଅନୁରୋଧ କରିଛନ୍ତି ଦଳୀୟ ନେତା । ଅବଶ୍ୟ ଏନେଇ ନିଷ୍ପତ୍ତି ନେବେ ।
ସୂଚନା ଅନୁସାରେ, ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସାଙ୍ଗଠନିକ ପୁନର୍ଗଠନ ପାଇଁ ସଭାପତିଙ୍କୁ ପ୍ରସ୍ତାବ ଦେଇଥିଲେ । ଖାସ କରି ଗଞ୍ଜାମ ଜିଲ୍ଲାକୁ ଦୁଇଟି ସାଙ୍ଗଠନିକ ଜିଲ୍ଲାରେ ପରିଣତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏହା ସହିତ ଦଳର ଛାତ୍ର, ଯୁବ ମହିଳା ଆଦି ଛାମୁଆ ସଂଗଠନକୁ ଗଠନ କରିବା ଓ ଅକ୍ଟୋବର ୨ ତାରିଖରୁ ପଦଯାତ୍ରା ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାବାସୀ ବିଜୁ ଜନତା ଦଳକୁ ୨୪ ବର୍ଷଧରି ନିରନ୍ତର ଭାବରେ ଆର୍ଶୀବାଦ ଦେଇଆସିଛନ୍ତି, ସେଥିପାଇଁ ଆମେ ସମସ୍ତେ ଓଡ଼ିଶାବାସୀଙ୍କ ନକଟରେ ଋଣୀ । ଆଗାମୀ ଦିନରେ ମଧ୍ୟ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି ନବୀନ ପରାମର୍ଶ ବି ଦେଇଛନ୍ତି ।
📱 Get Argus News App
✨ମୋଟ୍ ଉପରେ, ବିଜେଡି ଦଳରେ ଏବେ ନେତାଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ । କାରଣ କିଛି ବ୍ୟକ୍ତିଙ୍କ ମନମାନି ପାଇଁ ଦଳ ମାଟି କାମୁଡ଼ି ପକାଇଲା । ତେଣୁ ଯେଉଁମାନେ ଦୋଷୀ, ସେମାନଙ୍କ ବିରୋଧରେ ଆକ୍ସନ ନେବାକୁ ନବୀନଙ୍କୁ କୁଆଡ଼େ ଅନୁରୋଧ କରିଛନ୍ତି ବରିଷ୍ଠ ନେତା । ହେଲେ ଏନେଇ କିନ୍ତୁ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ନା ଦଳ ରଖିଛି ନା ନେତା ରଖିଛନ୍ତି । ତେବେ ସମୟ କହିବ ଆଗାମୀ ଦିନରେ ନବୀନ କି ନିଷ୍ପତ୍ତି ନେଉଛନ୍ତି ।