ବଳଭଦ୍ରଙ୍କ ପହଣ୍ଡି ବିଭ୍ରାଟ : ପ୍ରତିକାର ପୂଜା କରିବେ ରାଜ୍ୟ ସରକାର

Key Points
- ବଳଭଦ୍ରଙ୍କ ପହଣ୍ଡି ବିଭ୍ରାଟ
- ପ୍ରତିକାର ପୂଜା କରିବେ ରାଜ୍ୟ ସରକାର
- ସୂଚନା ଦେଲେ ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ
ଅର୍ଗସ ବ୍ୟୁରୋ : ଆଡପ ପହଣ୍ଡି ବେଳେ ଚାରରୁ ଝୁଙ୍କି ପଡ଼ିଥିଲେ ବଡ଼ ବାଡ଼ର ସାଆନ୍ତ ପ୍ରଭୁ ବଳଭଦ୍ର । ରସିକ ଡୋରି ଖସିଯିବାକୁ ଅତି କ୍ଷୀପ୍ର ଗତିରେ ଆଗକୁ ମାଡ଼ି ପଡ଼ିଥିଲେ ବଡଠାକୁର । ଯେଉଁଥିଲେ କିଛି ଦଇତାପତି ଆହତ ବି ହୋଇଥିଲେ । ହେଲେ କେମିତି ବଳଭଦ୍ର ଝୁଙ୍କିଲେ ? ତାହାକୁ ନେଇ ଚର୍ଚ୍ଚା ବଢିଥିବା ବେଳେ ବିଭ୍ରାଟର ତଦନ୍ତ ହେବାକୁ କମିଟି ଗଢାଯାଇଥିଲା, ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ବି ଦିଆଯାଇଥିଲା । ଏହାରି ଭିତରେ ଦେଢମାସ ପରେ ରିପୋର୍ଟ ଆସିବା ପରେ ପ୍ରତିକାର ପୂଜା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହେଉଥିବା ଆଇନମନ୍ତ୍ରୀ କହିଛନ୍ତି ।
ବଡ଼ ଠାକୁରଙ୍କ ପହଣ୍ଡି ବିଭ୍ରାଟ , ପ୍ରାୟଶ୍ଚିତ କରିବେ ରାଜ୍ୟ ସରକାର । ଆଡ଼ପ ପହଣ୍ଡି ମହାବିଭ୍ରାଟର ହେବ ପ୍ରତିକାର ପୂଜା । ଜୁଲାଇ ୯ ତାରିଖରେ ଆଡପ ପହଣ୍ଡି ହେବା ପରେ ହଠାତ୍ ରଥ ଚାରରୁ ଏମିତି ଖସିପଡ଼ିଥିଲେ ବଡ ଠାକୁର । ଆଉ ନୀତିରେ ବିଭ୍ରାଟ ହେବା ପରେ ପୁରା ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚା ବଢିଥିଲା । ଯାହାକୁ ନେଇ ମୁକ୍ତି ମଣ୍ଡପ ପଣ୍ଡିତ ସଭା ହୋଇଥିଲା, ଖାଲି ଏତିକି ନୁହେଁ ବରଂ ଆସିବାକୁ ଥିବା ଆସନ୍ନ ବିପଦ ପାଇଁ ପ୍ରତିକାର ବ୍ୟବସ୍ଥା କରିବାକୁ ପରାମର୍ଶ ବି ଦିଆଯାଇଥିଲା । ନୀଳାଦ୍ରି ମହୋଦୟରେ ଲିଖିତ ଉକ୍ତିକୁ ଉଦ୍ଧାର କରି ଏଭଳି ଅଘଟଣ ପାଇଁ ରାଜ୍ୟରେ ଦୁର୍ଭିକ୍ଷ, ଅନାବୃଷ୍ଟି ହେବା ସହ ରାଷ୍ଟ୍ର ମୁଖ୍ୟଙ୍କର ଅମଙ୍ଗଳ ଘଟିବ ଦର୍ଶାଇ ଏହାର ପ୍ରତିକାର ପାଇଁ ମୂଳ ମନ୍ତ୍ରରେ ଏକ ଲକ୍ଷ ପଚିଶି ହଜାର ଜପ କରିବା, ଜପର ଦଶାଂଶ ବିଧିରେ ହୋମ, ତର୍ପଣ, ମାର୍ଜନ, ସଦକ୍ଷିଣ ବ୍ରାହ୍ମଣ ଭୋଜନ କରାଇ ଆସନ୍ନ ବିପଦରୁ ରକ୍ଷା କରିବାକୁ ସେତେବେଳେ ପରାମର୍ଶ ଦିଆଯାଇଥିଲା।
ଶ୍ରୀଜିଉଙ୍କୁ ନେଇ କୋଟି କୋଟି ଓଡ଼ିଆଙ୍କ ଭାବାବେଗ ଯୋଡି ହୋଇରହିଛି । ହେଲେ ପହଣ୍ଡି ସମୟରେ ଯେଉଁ ଅଘଟଣ ହେଲା, ସେଇଥି ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ବି ହୋଇଛି । ହେଲେ ଏବେ ପ୍ରଶ୍ନ, ଏ ବିଭ୍ରାଟ, ଅବହେଳା ପାଇଁ ଦାୟୀ କିଏ ? ୟା ଭିତରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ତିନି ଜଣିଆ ତଦନ୍ତ କମିଟି ରିପୋର୍ଟ ଉପସ୍ଥାପିତ ହୋଇଥିଲେ ବି ରିପୋର୍ଟକୁ ଅସଂପୂର୍ଣ୍ଣ ଦର୍ଶାଇ ପୁଣି ଥରେ ତଦନ୍ତ କରି ତଥ୍ୟ ଦେବାକୁ କମିଟିକୁ କୁହାଯାଇଛି । ଅଘଟଣ ପାଇଁ ବୈଠକ ପରେ କାଲି ମୁଖ୍ୟ ପ୍ରଶାସକ କ୍ଷମା ପ୍ରାର୍ଥନା ବି କରିଥିଲେ ।
📱 Get Argus News App
✨ମୋଟ୍ ଉପରେ,ଶ୍ରୀଜିଉଙ୍କ କେମିତି ଭଲରେ ନୀତିକାନ୍ତି ହୋଇପାରିବ ସେନେଇ ରାଜ୍ୟ ସରକାର ସବୁ ପ୍ରକାର ବନ୍ଦୋବସ୍ତ କରୁଛନ୍ତି । ହେଲେ ନୀତିରେ ଯେଉଁପରି ବିଭ୍ରାଟ ହେଲା ତାହା କେମିତି ଆଗାମୀ ଦିନରେ ନହେବ ସେଇଥି ଲାଗି ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିବା ପରେ ଭକ୍ତ ମହଲରେ ଆନନ୍ଦ ବଢିଛି ।