Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଶ୍ରୀଜୀଉଙ୍କ ଲକ୍ଷ୍ମୀନୃସିଂହ ବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ

Odisha

ଶ୍ରୀଜୀଉଙ୍କ ଲକ୍ଷ୍ମୀନୃସିଂହ ବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ

Smruti Parija
Browse all articles by Smruti Parija
·2 years ago·1 min read
ଶ୍ରୀଜୀଉଙ୍କ ଲକ୍ଷ୍ମୀନୃସିଂହ ବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ

ପୁରୀ: ପବିତ୍ର କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥି । ପଞ୍ଚୁକର ଚତୁର୍ଥ ଦିବସରେ ଶ୍ରୀମନ୍ଦିରରେ ଆଜି ଦୁର୍ଲଭ  ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ ।  ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ସୁନାବେଶ ପାଇଁ ପ୍ରସ୍ତୁତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେପଟେ ମହାପ୍ରଭୁଙ୍କ ଲକ୍ଷ୍ମୀ ନୃସିଂହ ବେଶ ଦେଖିବାକୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଗିଛି ଲମ୍ବା ଲାଇନ । 

ଇନ୍ଦ୍ରଦ୍ୟୁମ୍ନ ମହାରାଜା ଯେତେବେଳେ ରତ୍ନସିଂହାସନ ଉପରେ ପ୍ରଥମେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯାଇଥିଲେ ସେତେବେଳେ ମହାପ୍ରଭୁ ତାଙ୍କୁ ନୃସିଂହ ବେଶରେ ଦର୍ଶନ ଦେଇଥିଲେ ବୋଲି ସ୍କନ୍ଧ ପୁରାଣରେ ଉଲ୍ଲେଖ ରହିଛି। ତେଣୁ ସେହି ସ୍ମୃତିରେ କାର୍ତ୍ତିକ ମାସର ଏହି ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ଅବକାଶ ନୀତି ବଢ଼ିବା ପରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ପାଟବସ୍ତ୍ରରେ ବିଭୂଷିତ କରି ଏହି ବେଶ କରିଥାନ୍ତି । ଏହି ବେଶରେ ମହାପ୍ରଭୁ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର ଏବଂ ଚକ୍ର ସହ ରୌପ୍ୟର ଶଙ୍ଖ ଧାରଣ କରିଥାନ୍ତି । 

ପ୍ରଭୁ ବଳଭଦ୍ର ମଧ୍ୟ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର ଏବଂ ହଳମୂଷଳ ଧାରଣ କରିଥାନ୍ତି । ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପ୍ରଭୁ ବଳଭଦ୍ର ମସ୍ତକରେ ଯେଉଁ ଚୂଳ ଧାରଣ କରିଥାନ୍ତି ସେଥିରେ ସୁବର୍ଣ୍ଣର କିଆ ଗୁଡ଼ିକ ଆଡ଼ ବାଗିଆ ଲଗାଯାଇଥାଏ । ତେଣୁ ଏହି ବେଶକୁ ଡ଼ାଳିକିଆ ବେଶ ମଧ୍ୟ କୁହାଯାଏ । ତେବେ ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ବା ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଚୁଡାନ୍ତ ହୋଇଛି । ମହାପ୍ରଭୁଙ୍କ ଏହି ଦୁର୍ଲଭ ସୁନାବେଶ ଦର୍ଶନ କରିବା ପାଇଁ ଭକ୍ତମାନେ ମଧ୍ୟ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
lord-jagannath-balabhadra-and-subhadra-in-laxminrusingha-avatar | Argus News