Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Jagannath Temple / ପଞ୍ଚୁକରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ତ୍ରିବିକ୍ରମ ବେଶ

Rashmita Mishra
Browse all articles by Rashmita Mishra
·8 months ago·3 min read
ପଞ୍ଚୁକରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ତ୍ରିବିକ୍ରମ ବେଶ

Key Points

ପଞ୍ଚୁକରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଆଡ଼ିକିଆ ବା ତ୍ରିବିକ୍ରମ ବେଶ।
ମହାପ୍ରଭୁଙ୍କ ଅବକାଶ ନୀତି ପରେ ବେଶ କଲେ ପୁଷ୍ପାଳକ ସେବକ ।
ତ୍ରିବିକ୍ରମ ବେଶ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ରହିଛି ବିଶ୍ଵାସ
  ।

ପଞ୍ଚୁକରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଆଡ଼ିକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକ ମାନେ ଏହି ବେଶ କରିଥାନ୍ତି। ଆଡ଼ିକିଆ ବା ତ୍ରିବିକ୍ରମ ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲାଗି କରାଯାଏ। ଏହି ଚୂଳ ଦୁଇଟି ସୋଲ, କନା, ବେତ, ଜରି, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ।

ଏହାସହ ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ। ମା ସୁଭଦ୍ରାଙ୍କ ସମେତ ଦୁଇ ଭାଇଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ। ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ଯଥା ଘାଗଡାମାଳି, ବରକୋଳିମାଳି, ପଦ୍ମମାଳି, ଗିନିମାଳି, ପଦକମାଳି, ଶ୍ରୀପୟର, ଶ୍ରୀଭୁଜ, ହରିଡ଼ାମାଳି, ବାହାଡାମାଳି ସମେତ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଇତ୍ୟାଦିରେ ବିଗ୍ରହମାନଙ୍କୁ ଆଡକିଆ ବା ତ୍ରିବିକ୍ରମ ବେଶରେ ଭୂଷିତ କରାଯାଇଥାଏ। ଏହି ବେଶ ଦର୍ଶନକୁ କଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ବିଶ୍ଵାସ ଥିବାରୁ ଶ୍ରୀମନ୍ଦିରରେ ଆଜି ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି।

କଥା ଅଛି ଯେ ତ୍ରିବିକ୍ରମ ବା ଆଡକିଆ ବେଶ ଅତିବଡୀ ସମ୍ପ୍ରଦାୟର ଅତ୍ୟନ୍ତ ପ୍ରିୟ ଅଟେ। ପଞ୍ଚସଖାବାଦୀ ତଥା ଅତିବଡୀ ସମ୍ପ୍ରଦାୟର ବହୁ ସଂଖ୍ୟକ ଶିଷ୍ୟ -ଭକ୍ତ ତଥା ମହନ୍ତମାନେ ଏହି ମନୋରମ ବେଶ ଦର୍ଶନକରି ନିଜକୁ ସୌଭାଗ୍ୟ ମଣିଥାନ୍ତି ।

ମହନ୍ତ ମହାରାଜ ରାମ ଜୟନ୍ତୀ ଦାସଙ୍କଦ୍ୱାରା ଏହି ବେଶର ପ୍ରଚଳନ ହୋଇଥିଲା । ଏହି ବେଶରେ ଶ୍ରୀଜୀଉମାନଙ୍କ ଶ୍ରୀମସ୍ତକରେ ସୋଲ, କନା, ବେତ, ଜମ୍ବୁରା ଓ କଇଁଥ ଅଠାରେ ତିଆରି ହୋଇଥିବା ଚୁଳ ଲଗାଯାଏ । ଏହି ଚୁଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡ଼ବାଗରେ ଖୋସାଯାଇଥିବା ବେଳେ ଶୀର୍ଷଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ଖୋସାଯାଇଥାଏ । 

ସେପଟେ ପବିତ୍ର ପଞ୍ଚୁକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ପଞ୍ଚୁକରେ କେବଳ ସିଂହଦ୍ଵାର ଦେଇ ଭକ୍ତଙ୍କ ପ୍ରବେଶ ଅନୁମତି ଥିବାବେଳେ ଅନ୍ୟ ୩ ଦ୍ଵାର ପ୍ରସ୍ଥାନ ବ୍ୟବସ୍ଥା ହୋଇଛି । ଅଥଚ ରବିବାର ସନ୍ଧ୍ୟାରେ ଉତ୍ତର ଦ୍ଵାରରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଥିଲା ।

ପୋଲିସର ତମାମ୍ ସୁରକ୍ଷା ସତ୍ତ୍ଵେ ଶ୍ରୀମନ୍ଦିରର ଉତ୍ତର ଦ୍ଵାରରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଗହଳି । ବ୍ୟାରିକେଡ୍‌ ଠେଲି ଭିତରକୁ ପଶି ଯାଇଥିଲେ ୫୦ରୁ ଊର୍ଦ୍ଧ୍ଵ ଶ୍ରଦ୍ଧାଳୁ । ଉତ୍ତର ଦ୍ଵାରରେ ଠେଲାପେଲା ସ୍ଥିତି ଭିତରେ ଦୁଇ ଜଣ ମହିଳା ଶ୍ରଦ୍ଧାଳୁ ତଳେ ପଡ଼ି ଯାଇଥିଲେ । ଠେଲାପେଲା ହୋଇ ଭିତରକୁ ବହୁସଂଖ୍ୟାରେ ଭକ୍ତ ଯାଇଥିଲେ ।

ଶ୍ରୀମନ୍ଦିର ଉତ୍ତର ଦ୍ଵାରରେ ଠେଲାପେଲା ସ୍ଥିତି ପରେ ପୋଲିସ ଡିଜି ୱାଇ.ବି ଖୁରାନିଆ ପୁରୀରେ ପହଞ୍ଚିଛନ୍ତି । ଶ୍ରୀମନ୍ଦିର ବାହାରେ ଠେଲାପେଲା ସ୍ଥିତି ଉପୁଜିବା ପରେ ସମୀକ୍ଷା କରିଛନ୍ତି ଡିଜିପି । କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକଙ୍କ ସହ ପୁରୀ ଏସପି ପ୍ରତୀକ ସିଂହ ଉପସ୍ଥିତ ଅଛନ୍ତି । ପଞ୍ଚୁକର ଅବଶିଷ୍ଟ ୩ ଦିନ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ଗହଳି ନିୟନ୍ତ୍ରଣ, ଉଭୟ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ଉପରେ ଡିଜିପି ଗୁରୁତ୍ଵ ଦେଇ ଆଲୋଚନା କରିଛନ୍ତି ।

ଆହୁରି ମଧ୍ୟ ୫ ଜଣ ଅତିରିକ୍ତ ଏସପି, ୧୬ ଡିଏସପି, ୩୫ ଇନ୍ସପେକ୍ଟର, ୧୩୮ ସବ ଇନସ୍ପେକ୍ଟର କିମ୍ବା ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର, ୨୪ ହାବିଲଦାର, ୧୪୭ କନଷ୍ଟେବଳ, ୩୩୪ ହୋମ ଗାର୍ଡ ଓ ୯୬ ସେକ୍ସନ ଫୋର୍ସ ନିୟୋଜିତ ହୋଇଛନ୍ତି । ବଡ଼ଦାଣ୍ଡ ମାର୍କେଟ ଛକରୁ ନୋ ଭେଇକିଲ୍ ଜୋନ କରାଯାଇଛି । ଦିଗବାରିଣୀ ଛକରୁ ଯାତ୍ରିକା ପାର୍କିଂ ପର୍ଯ୍ୟନ୍ତ ଗାଡ଼ି ଛଡ଼ା ଯାଉ ନାହିଁ । ଶ୍ରୀମନ୍ଦିର ଭିତରେ ଗରୁଡ଼ ସ୍ତମ୍ଭଠାରୁ ଭିତର କାଠ ପର୍ଯ୍ୟନ୍ତ ଭିଡ଼ ନିୟନ୍ତ୍ରଣ ପାଇଁ କ୍ଲିୟରାନ୍ସ ପାର୍ଟି ମୁତୟନ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jagannath Temple | Lord Jagannath’s Tribikram Besha Observed at Srimandir on Panchuka | Argus News