ଆସନ୍ତାକାଲି ଘୋଷଯାତ୍ରାରେ ବଡ଼ଦାଣ୍ଡକୁ ଓହ୍ଲାଇବେ କାଳିଆ ସାଆନ୍ତ

Key Points
15 ଦିନର ଅପେକ୍ଷାରେ ଘଟିଛି ଅନ୍ତ
ଚତୁର୍ଦ୍ଧା ମୂରତ୍ତିଙ୍କ ନବଯୌବନ ଦର୍ଶନ କରି ଭକ୍ତ ହେଲେ କୃତାର୍ଥ
କାଲି ଘୋଷଯାତ୍ରାରେ ବଡ଼ଦାଣ୍ଡକୁ ଓହ୍ଲାଇବେ କାଳିଆ ସାଆନ୍ତ
ବିଶ୍ୱନିୟନ୍ତାଙ୍କ ନବଦିନାତ୍ମକ ଯାତ୍ରା ପାଇଁ ରଥ, ପଥ ସବୁ ପ୍ରସ୍ତୁତ
ନିର୍ଦ୍ଧାରିତ ସମୟ ଅନୁସାରେ ସକାଳ ୯.୩୦ରୁ ଆରମ୍ଭ ହେବ ପହଣ୍ଡି
ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ପାଇଁ ଚୂଡ଼ାନ୍ତ ହୋଇଛି ନୀତି
ଭାବବିହ୍ୱଳ ଭକ୍ତ, ପୁଣି ଭକ୍ତଙ୍କ ଗହଳିରେ ଉଛୁଳିଛି ବଡ଼ଦାଣ୍ଡ। ୧୫ ଦିନର ଅନବସର ପରେ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ମୂରତ୍ତି। ରତ୍ନବେଦୀଙ୍କୁ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତଗଣ ହୋଇଛନ୍ତି କୃତାର୍ଥ। ୧୫ ଦିନଧରି କାଳିଆ ସାଆନ୍ତଙ୍କ ଦର୍ଶନରୁ ବଞ୍ଚିତ ଥିଲେ ଭକ୍ତ। ତେଣୁ ଆଜି ଯେତେବେଳେ ଦର୍ଶନର ସୁଯୋଗ ମିଳିଥିଲା ବଡ଼ଦାଣ୍ଡରେ ଦେଖିବାକୁ ମିଳିଥିଲା ଅସମ୍ଭବ ଭିଡ଼। ମରଚିକୋଟ ଛକ ଠାରୁ ଅଧିକ ବାଟ ପର୍ଯ୍ୟନ୍ତ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। ପ୍ରବଳ ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଛତା, ସେଡ୍, ପାନୀୟ ଜଳ ଓ ଅଗ୍ନିଶମ ବିଭାଗ ପକ୍ଷରୁ ପାଣି ସିଞ୍ଚନର ବ୍ୟବସ୍ଥା କରାଯାଇଥିଲା। ଆଜି ସକାଳ 7.40ରୁ ପ୍ରଥମେ ଆରମ୍ଭ ହୋଇଥିଲା ପରିମାଣିକ ଦର୍ଶନ। ଦକ୍ଷିଣ ଦ୍ୱାର ଦେଇ ଭକ୍ତମାନେ ପରିମାଣିକ ଟିକେଟ ଯୋଗେ ଶୃଙ୍ଖଳିତ ଦର୍ଶନ କରିଥିଲେ। ଏହାପରେ ସକାଳ 8 ଟାରେ ଆରମ୍ଭ ହୋଇଥିଲା ସାହାଣମେଲା ଦର୍ଶନ ବା ସର୍ବସାଧାରଣ ଦର୍ଶନ। ଭକ୍ତମାନେ ଏକପାଖିଆ ବ୍ୟାରିକେଡ଼ ଦେଇ ଶ୍ରୀମନ୍ଦିର ସିଂହଦ୍ଵାର ବାଟେ ପ୍ରବେଶ କରି ଅନ୍ୟ ତିନି ଦ୍ଵାର ଦେଇ ପ୍ରସ୍ଥାନ କରିଥିଲେ। ଏହା ସକାଳ 9.30 ପର୍ଯ୍ୟନ୍ତ ଚାଲିଥିଲା।
ସେପଟେ ୩ ରଥର ଦକ୍ଷିଣ ମୋଡ଼ ସମ୍ପନ୍ନ ହୋଇଛି। ଅପରାହ୍ନରେ ଶ୍ରୀମନ୍ଦିରରୁ 3 ଜଣ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଅଜ୍ଞାମାଳ ଧରି ରଥଖଳାରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ରଥଟଣା । ପ୍ରଥମେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ବଳଭଦ୍ରଙ୍କ ତଳଧ୍ଵଜ ରଥକୁ ଅଣାଯାଇଥିଲା ସିଂହ ଦ୍ବାର ସମ୍ମୁଖକୁ । ସେବାୟତଙ୍କ ମଧ୍ୟରେ ଉଚିତ୍ ସମନ୍ଵୟ ଯୋଗୁଁ ସମସ୍ତ ନୀତି ଶୃଙ୍ଖଳିତ ତଥା ଆଗୁଆ ହୋଇଥିଲା। କାଲି ବିଶ୍ବ ପ୍ରସିଦ୍ଧ ଘୋଷ ଯାତ୍ରା। ସେଥିପାଇଁ ରଥ, ପଥ, ପ୍ରସ୍ତୁତ। ସିଂହଦ୍ୱାରରେ ଦଣ୍ଡାୟମାନ ତିନି ରଥ ଏବେ ମହାପ୍ରଭୁଙ୍କ ଅପେକ୍ଷାରେ। ପୁରୀରେ ରାଜ୍ୟ ସମେତ ଦେଶ ବିଦେଶରୁ ଭକ୍ତମାନଙ୍କର ଆସିବ ମଧ୍ୟ ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ରଥଯାତ୍ରା ପାଇଁ ଯେଉଁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ଯେହି ଅନୁଯାୟୀ
ସକାଳ 6ଟାରେ ହେବ ମଙ୍ଗଳ ଆଳତୀ
ସକାଳଧୂପ ସକାଳ 8ଟାରୁ 9ଟା ମଧ୍ୟରେ ସମ୍ପନ୍ନ ହେବ
ରଥ ପ୍ରତିଷ୍ଠା ସକାଳ 9 ଟାରେ ହେବାକୁ ନୀତି ନିର୍ଘଣ୍ଟ ହୋଇଛି
ଏହାପରେ ସକାଳ 9.15 ମଙ୍ଗଳାର୍ପଣ ଶେଷ ହେବା ପରେ
ସକାଳ 9.30ରୁ ଆରମ୍ଭ ହେବ ପହଣ୍ଡି
ଦିନ 12.30ରେ ପହଣ୍ଡି ଶେଷ ହେବା ନେଇ ନୀତି ନିର୍ଘଣ୍ଟ ହୋଇଛି
ଛେରାପହଁରା ଦିନ 2.30 ରୁ 3.30 ମଧ୍ୟରେ ହେବ
ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗିବା ପରେ
ଅପରାହ୍ନ 4ଟାରେ ରଥଟଣା ଆରମ୍ଭ ହେବ
ଏହା ପୂର୍ବରୁ ଆଜି ମହାପ୍ରଭୁଙ୍କ ପହୁଡ ଆଳତୀ ପରେ ବିଳମ୍ବିତ ରାତିରେ ଦଇତାପତି ସେବାୟତମାନଙ୍କ ଦ୍ବାରା ଶ୍ରୀମୁଖ ଖଣ୍ଡୁଆ, ବାହୁଟକଣ୍ଟ, ସେନାପଟା ଲାଗି ନୀତି ସମ୍ପନ୍ନ କରାଯିବ।