ଅସୁସ୍ଥ ଦିଅଁ ଏବେ ଛପନ ପଉଟି ଭୋଗ ନୁହେଁ, ଫଳ-କ୍ଷୀର-ଚକଟା ଖାଇବେ

Key Points
ଛପନ ପଉଟି ଭୋଗ ଖାଉଥିବା ମହାପ୍ରଭୁଙ୍କୁ ନାନାଦି ଫଳମୂଳ ସହ କ୍ଷୀର, ଛେନା ଆଦିରେ ପ୍ରସ୍ତୁତ ପଣା ଓ ଚକଟା ଭୋଗ ଲାଗି ହେଉଛି।
ଶ୍ରୀମନ୍ଦିରରେ ଏବେ ପଟିଦିଅଁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।
ବ୍ରହ୍ମଗିରି ଅଲାରନାଥ ପୀଠରେ ଅଣସର ଦର୍ଶନ ଆରମ୍ଭ ହୋଇସାରିଛି ।
ସ୍ନାନଯାତ୍ରାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ। ଆୟୁର୍ବେଦ ଚିକିତ୍ସାର ପ୍ରୟୋଗଶାଳା ପାଲଟିଛି ଶ୍ରୀମନ୍ଦିର। ଦଇତାପତି ସେବକଙ୍କ ଦ୍ୱାରା ଚାଲିଛି ଅଣସର ପିଣ୍ଡିରେ ଗୁପ୍ତଚିକିତ୍ସା। ସ୍ନାନଯାତ୍ରାରେ ପରିଧାନ କରିଥିବା ଓଦା ବସ୍ତ୍ର ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଫିଟା ଯିବା ପରେ ଶ୍ରୀଅଙ୍ଗ ଫିଟା ନୀତି ଆଜି କରାଯିବ।
ତେବେ ଜ୍ୱର ଯୋଗୁଁ ଛପନ ପଉଟି ଭୋଗ ଖାଉଥିବା ମହାପ୍ରଭୁଙ୍କୁ ନାନାଦି ଫଳମୂଳ ସହ କ୍ଷୀର, ଛେନା ଆଦିରେ ପ୍ରସ୍ତୁତ ପଣା ଓ ଚକଟା ଭୋଗ ଲାଗି ହେଉଛି। ଅଣସର ପାଇଁ ମହାପ୍ରଭୁ ଶୁକ୍ଳ ବସ୍ତ୍ର ପରିଧାନ କରିଥିବା ବେଳେ କେବଳ ଶୁକ୍ଳ ଫୁଲ ଲାଗି ହେଉଛନ୍ତି। ପଞ୍ଚମୀରେ ବଡ଼ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ ଫୁଲୁରି ତେଲ ମହାପ୍ରଭୁଙ୍କ ଠାରେ ଲାଗି ହେବା ପରେ ଜ୍ବରରୁ ମହାପ୍ରଭୁ ସାମାନ୍ୟ ସୁସ୍ଥତା ଅନୁଭବ କରିବେ।
ଏପଟେ ଜ୍ବରରେ ଶ୍ରୀଜିଉ କମ୍ପୁଥିବା ବେଳେ ଶ୍ରୀମନ୍ଦିରରେ ଏବେ ପଟିଦିଅଁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସେପଟେ ବ୍ରହ୍ମଗିରି ଅଲାରନାଥ ପୀଠରେ ଅଣସର ଦର୍ଶନ ଆରମ୍ଭ ହୋଇସାରିଛି । ଦାରୁବ୍ରହ୍ମଙ୍କୁ ଦର୍ଶନ ନପାଇ ଭକ୍ତଙ୍କ ମନ ବ୍ୟାକୁଳ ହୋଇପଡିଛି । ଶ୍ରୀକ୍ଷେତ୍ର ଛାଡି ଶିଳାକ୍ଷେତ୍ରକୁ ଧାଇଁ ଆସୁଛନ୍ତି ଭକ୍ତ । ବ୍ରହ୍ମଗିରିର ପ୍ରଭୁ ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ଗହଳି ଲାଗିଛି । ସୁରକ୍ଷା ପାଇଁ ୮ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି ।
ତେବେ ଏହାରି ଭିତରେ ସବୁଠାରୁ ବଡ଼ ଖବର ସାମ୍ନାକୁ ଆସିଛି । ରଥଯାତ୍ରା ସମୟରେ ରତ୍ନଭଣ୍ଡାର ମରାମତି ବାକିଆ କାର୍ଯ୍ୟ ତ୍ବରିତ ସାରିବାକୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ରଥଯାତ୍ରା ପରଦିନଠୁ ୨୮ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଶ୍ରୀବିଗ୍ରହମାନେ ଗୁଣ୍ଡିଚା ଯାତ୍ରା କରିବେ । ରତ୍ନଭଣ୍ଡାରର ବାକିଆ କାମ କରିବା ପାଇଁ ଏହା ପ୍ରକୃଷ୍ଟ ସମୟ ବୋଲି ସେ କହିଛନ୍ତି । ଏହି ଅବଧି ମଧ୍ୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସାରିବାକୁ ଏଏସ୍ଆଇ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ଡ. ଅରବିନ୍ଦ ପାଢ଼ୀ।