ଲଘୁଚାପ ବର୍ଷାରେ ଭିଜିବ ଓଡ଼ିଶା, ୧୩ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

Key Points
ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା
୧୬ ପର୍ଯ୍ୟନ୍ତ ବର୍ଷା ଓ ବଜ୍ରପାତ ପୂର୍ବାନୁମାନ
ସମୁଦ୍ରକୁ ମତ୍ସ୍ୟଜୀବୀମାନଙ୍କ ପ୍ରବେଶ ବାରଣ
ବିଭିନ୍ନ ଜିଲ୍ଲାକୁ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ଵର: ଭିଜିବ ଓଡ଼ିଶା, ଆସୁଛି ଲଘୁଚାପ । ଲଘୁଚାପ ପ୍ରଭାବରେ ଓଡ଼ିଶାରେ ୧୬ ତାରିଖ ପର୍ଯ୍ୟନ୍ତ ବର୍ଷା ଓ ବଜ୍ରପାତ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏନେଇ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ବଙ୍ଗୋପସାଗର ସମୁଦ୍ରକୁ ମତ୍ସ୍ୟଜୀବୀମାନଙ୍କ ପ୍ରବେଶ ବାରଣ କରାଯାଇଛି ।
ଏବେ ଦକ୍ଷିଣ ବିହାରରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ସମୁଦ୍ର ପତ୍ତନରୁ ଦେଢ଼ କି.ମି. ଉଚ୍ଚତା ପର୍ଯ୍ୟନ୍ତ ଏକ ଟ୍ରଫ୍ ରହିଛି । ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶ ଉପରେ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପୃଷ୍ଠରୁ ୩.୧ରୁ ୫.୮ କିଲୋମିଟର ମଧ୍ୟରେ ରହିଛି । ପ୍ରଭାବରେ ଆସନ୍ତାକାଲି ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାକି ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇପାରେ ।
ଫଳରେ ରାଜ୍ୟର ୧୬ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି । ୧୩, ୧୪ ଓ ୧୫ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଥିବା ବେଳେ ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଜପତି, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
📱 Get Argus News App
✨
ସେହିଭଳି ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଏ ସବୁ ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କି.ମି. ବେଗରେ ଝଟକା ପବନ ବହିବା ସହ ବଜ୍ରପାତ ଆଶଙ୍କା ରହିଛି ।