ଗ୍ରୀଷ୍ମ ନଆସୁଣୁ ଚିନ୍ତାବଢ଼ାଇଲା ଲୋ-ଭୋଲଟେଜ୍ ସମସ୍ୟା

ବିଦ୍ୟାଳୟରେ ପିଲା ପାଠ ପଢୁଛନ୍ତି । ହେଲେ ତାର ସାଲୁବାଲୁ ହୋଇ କାହିଁକି ପଡିଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଛେଳିଡଙ୍ଗରି ସ୍ଥିତ ଉଚ୍ଚ ବିଦ୍ୟାଳୟର। ଅଞ୍ଚଳରେ ଲୋ-ଭୋଲଟେଜ୍ ରହୁଥିବାରୁ ବିଦ୍ୟାଳୟରେ ସ୍ମାର୍ଟବୋର୍ଡରେ ପାଠପଢ଼ା ସମ୍ଭବ ହୋଇପାରୁନି। ଫଳରେ ବିଦ୍ୟାଳୟ ପକ୍ଷରୁ ଏକ ଜେନେରେଟରର ବ୍ୟବସ୍ଥା କରାଯାଇ ପିଲାଙ୍କୁ ପାଠ ପଢ଼ାଯାଉଛି। ଗ୍ରୀଷ୍ମ ନଆସୁଣୁ ନବବରଙ୍ଗପୁର ଜିଲ୍ଲାରେ ବିଦ୍ୟୁତ ସମସ୍ୟା ଗମ୍ଭୀର ରୂପ ନେଲାଣି। ଅଞ୍ଚଳରେ ବିଦ୍ୟୁତ କାଟ୍ ତ ଏକ ମୁଖ୍ୟ ସମସ୍ୟା ଏହା ବାଦ୍ ଯେତିକି ସମୟ ବିଦ୍ୟୁତ ରହୁଛି ତା ବି ଲୋ ଭୋଲଟେଜର। ନା ବଲ୍ ଜଳୁଛି ନା ପଙ୍ଖା ଘୁରୁଛି। ଏମିତିରେ ଏବେ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ଚାଲିଥିବା ବେଳେ ଲୋ-ଭୋଲଟେଜ୍ ସମସ୍ୟା ଚିନ୍ତା ବଢ଼ାଇଛି।
ଖାଲି ଛାତ୍ରୀଛାତ୍ରୀ କାହିଁକି ଲୋଭୋଲଟେଜ୍ ସମସ୍ୟାକୁ ନେଇ ମୁଣ୍ଡରେ ହାତ ଦେଇଛନ୍ତି ଅଞ୍ଚଳର ଚାଷୀ। ରାଇଘର ବ୍ଲକରେ ଏକର ଏକର ଜମିରେ ମକା ଓ ପରିବା ଚାଷ ହୋଇଥିବା ବେଳେ ଏହି ସବୁ କ୍ଷେତକୁ ପାଣି ଯୋଗାଇବା ଏବେ ଚାଷୀଙ୍କ ପାଇଁ ଚ୍ୟାଲେଞ୍ଜ ସାଜିଛି। ଲୋଭୋଲଟେଜ୍ କାରଣରୁ ଚାଷ ଜମିକୁ ଜଳସେଚନ ହୋଇପାରୁନଥିବାରୁ ମକା ଓ ପରିବା ଚାଷ ଗଭୀର ଭାବେ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଲାଣି।
ଘଟଣାକୁ ନେଇ ବିଦ୍ୟୁତ ବିଭାଗର ଉପଖଣ୍ଡ ଅଧିକାରୀ କହିଛନ୍ତି ଏହି ସମସ୍ୟା ଦୀର୍ଘ ଦିନର ତେଣୁ ଏହାର ସମାଧାନ ପାଇଁ ବ୍ଲକର ତିନୋଟି ପ୍ରକଳ୍ପ କାର୍ଯ୍ୟ ଯୁଦ୍ଧ କାଳୀନ ଭିତିରେ ଜାରି ରହିଛି। ଆଉ ଏକରୁ ଦୁଇ ମାସ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି ବିଦ୍ୟୁତ ବିଭାଗ ଉପଖଣ୍ଡ ଅଧିକାରୀ।