Maa Dakshinakali / ମା’ ଦକ୍ଷିଣକାଳୀଙ୍କ ପୂଜା ସମୟରେ ୨ଜଣଙ୍କର ମୃତ୍ୟୁ

Key Points
ମା’ ଦକ୍ଷିଣକାଳୀଙ୍କ ପୂଜା ସମୟରେ ୨ଜଣଙ୍କର ମୃତ୍ୟୁ ଘଟିଛି
ମହିଳାଙ୍କ ବୟସ ୪୫ ବର୍ଷ ହୋଇଥିବା ବେଳେ ଯୁବକଙ୍କ ବୟସ ୩୫ ବର୍ଷ
ପୁରୀ ଜିଲା ସାକ୍ଷୀଗୋପାଳ ବୀରଗୋନ୍ଦପୁର ଗ୍ରାମରେ ମା’ ଦକ୍ଷିଣକାଳୀଙ୍କ ପୂଜା ସମୟରେ ଏକ ଅଘଟଣ ଘଟିଛି। ବିଦ୍ୟୁତ୍ ଆଘାତରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ପରିଚୟ ମିଳିପାରି ନାହିଁ। ମହିଳାଙ୍କ ବୟସ ୪୫ ବର୍ଷ ହେବ ବୋଲି ପୋଳିସ ଅନୁମାନ କରୁଥିବା ବେଳେ ଯୁବକଙ୍କ ବୟସ ୩୫ ବର୍ଷ ମଧ୍ୟରେ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ମା’ ଦକ୍ଷିଣକାଳୀଙ୍କ ମନ୍ଦିର ନିକଟରେ ଶନିବାର ରାତିରେ ଭଜନ ସମାରୋହ ଚାଲିଥିବା ସମୟରେ ଉଭୟ ନାଚଗୀତରେ ମସଗୁଲ ଥିବା ସ୍ଥାନୀୟ ଲୋକେ କହିଛନ୍ତି ଯେ ପୋଖରୀ ନିକଟରେ କରେଣ୍ଟ ଲାଗି ସେମାନେ ପଡ଼ିଯିବା ଦେଖି ଲୋକେ ପାଟିତୁଣ୍ଡ କରିଥିଲେ। ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସାକ୍ଷୀଗୋପାଳ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନାନୁଯାୟୀ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟବର୍ତ୍ତୀ ବୀରଗୋନ୍ଦପୁର ଗ୍ରାମରେ ସୋମବାର ମା’ ଦକ୍ଷିଣକାଳୀଙ୍କ ପୂଜା ପାଇଁ ଉତ୍ସବମୁଖର ହୋଇଉଠିଛି। ବର୍ଷ ତମାମ ମା’ଙ୍କ ଦେବୀପୀଠରେ ପଟିଦିଅଁ ପୂଜା ପାଇଥିବା ବେଳେ କାଳୀପୂଜା ସମୟରେ ଦେବୀଙ୍କ ମୃଣ୍ମୟୀ ମୂର୍ତ୍ତି ମହାଭୈରବୀ ବେଶରେ ପୂଜା ପାଆନ୍ତି। ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା ପାଇ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।
ଏହି ପରିପ୍ରେକ୍ଷୀରେ ରବିବାର ରାତିରେ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ଦେବଦେବ ମହାଦେବ ଏବଂ ଦକ୍ଷିଣକାଳୀଙ୍କ ଶରୀର ସହିତ ମସ୍ତକ ଯୋଡ଼ାଯାଇଥିବା ବେଳେ ଏବେ ମୂର୍ତ୍ତି ରଙ୍ଗ କରାଯାଉଛି । ସୁନା ରୁପା ଅଳଙ୍କାର ସହ ଜରି ଜମ୍ବୁରା ଆକର୍ଷଣୀୟ ମେଢ଼ ଲାଗିବା ବପରେ ମା’ ଦକ୍ଷିଣକାଳୀଙ୍କ ଦର୍ଶନ ବେଶ ଆକର୍ଷଣ ହୋଇଥାଏ।
ପରମ୍ପରା କ୍ରମେ ସୋମବାର ନିଶାର୍ଦ୍ଧରେ ମୃଣ୍ମୟୀ ମୂର୍ତ୍ତି ପ୍ରତିଷ୍ଠା ଯଜ୍ଞ ଆରମ୍ଭ ହେବ। ଚକ୍ଷୁଦାନ, ପ୍ରାଣପ୍ରତିଷ୍ଠା, ଜୀବନ୍ୟାସ, ମହାଭୈରବୀ ବେଶ, ଜପ, ବାମାଙ୍ଗୀପୂଜା, ଉପଚାର, ଆଳତି, ନୈଦ୍ୟେ, ବଳୀ ଅନୁଷ୍ଠିତ ହେବ। ମା’ଙ୍କ ଅତିପ୍ରିୟ ମହାପ୍ରସାଦ ଲାଗି, ପୋଡ଼ାବଳି ଅର୍ପଣ କରାଯାଇ ସତନ୍ତ୍ର ତନ୍ତ୍ରପୂଜା ପରେ ଶାନ୍ତିପଣା ଭୋଗଲାଗି କରାଯିବ ବୋଲି ନୀତି ନିର୍ଘଣ୍ଟ ହୋଇଛି।
ମଙ୍ଗଳବାର ପୂର୍ବାହ୍ନରେ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ହେବାର ଅନୁମାନ କରାଯାଉଛି। ଶୃଙ୍ଖଳିତ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ କଣ୍ଟ୍ରୋଲ ରୁମ ଖୋଲାଯିବ ସହିତ ମାଜିଷ୍ଟ୍ରେଟଙ୍କ ସହିତ ଅତିରିକ୍ତ ଏସ୍ପି , ୩ ଜଣ ଡିଏସ୍ପି, ୬ ଜଣ ଇନ୍ସପେକ୍ଟର, ୩ ପ୍ଲାଟୁନ ପୋଲିସ ଫୋର୍ସ, ୪୫ଜଣ କନେଷ୍ଟବଳ ଓ ୮୬ଜଣ ଗୃହରକ୍ଷୀ ମୁତୟନ ରହିବେ।
ଭକ୍ତଙ୍କ ଦର୍ଶନ ସହିତ ପାର୍କିଂ, ଅଗ୍ନି ନିରାପତ୍ତା, ଆଶୁଚିକିତ୍ସା, ପାନୀୟ ଜଳ, ପରିମଳ, ବିଦ୍ୟୁତ୍ ସେବା ଦିଗରେ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗ୍ରାମ କୋଠ କମିଟି ପକ୍ଷରୁ ମନ୍ଦିରରେ ଫୁଲ ସଜ୍ଜା ଓ ଆଲୋକ ସଜ୍ଜା କରାଯାଇଛି। ଦକ୍ଷିଣକାଳୀଙ୍କ ଅନ୍ୟ ଦୁଇ ଭଉଣୀ ସମଯାଜପୁର ଗ୍ରାମରେ ଉଗ୍ରତାରା ଓ ବୀରପ୍ରତାପପୁର ଗ୍ରାମରେ କାମରୁପାଙ୍କ ପୂଜାବିଧି ଆରମ୍ଭ ହୋଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories