ପୂଣ୍ୟତୋୟା ଚନ୍ଦ୍ରଭାଗାରେ ସପ୍ତମୀ ବୁଡ ଦେଲେ ଶ୍ରଦ୍ଧାଳୁ

Key Points
ଓଁ ଐହୀ ସୂର୍ଯ୍ୟଦେବ ସହସ୍ତ୍ରାଂଶୋ ତେଜୋ ରାଶି ଜଗତ୍ପତେ
ଅନୁକମ୍ପୟ ମାଂ ଭକତ୍ୟା ଗୃହଣାର୍ଘ୍ୟ ଦିବାକରଃ
ଓଁ ସୂର୍ଯ୍ୟାୟ ନମଃ, ଓଁ ଆଦିତ୍ୟାୟ ନମଃ, ଓଁ ନମୋ ଭାସ୍କରାୟ ନମଃ, ଅର୍ଘ୍ୟ ସମର୍ପୟାମି
ପୁରୀ: ଚଳଚଞ୍ଚଳ ହେଲା ଅର୍କକ୍ଷେତ୍ର । ମନରେ ଅପୂର୍ବ ଉତ୍ସାହ ଓ ଆନନ୍ଦ ନେଇ ପୂଣ୍ୟତୋୟା ଚନ୍ଦ୍ରଭାଗାରେ ସପ୍ତମୀ ବୁଡ ଦେଲେ ଶ୍ରଦ୍ଧାଳୁ । ମାଘ ସପ୍ତମୀର ପବିତ୍ର ତିଥିରେ ଅର୍କକ୍ଷେତ୍ର କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗାରେ ବୁଡ ଦେଇ ନିଜକୁ ଧନ୍ୟ ମନେ କରିଛନ୍ତି ଲକ୍ଷାଧିକ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ । ସକାଳୁ ସକାଳୁ ବ୍ରାହ୍ମ ମୁହୂର୍ତ୍ତରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ତୀର୍ଥଜଳରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବାର ରହିଥାଏ ପରମ୍ପରା । ଦାନ ଧର୍ମ କରି ପୁଣ୍ୟ ଅର୍ଜନ କରିବାର ବିଶ୍ଵାସକୁ ପ୍ରତିପାଦିତ କରିଥାନ୍ତି ରାଜ୍ୟର ବିଭିନ୍ନ କୋଣରୁ ଆସିଥିବା ଭକ୍ତ । ପଦ୍ମପୁରାଣର ପ୍ରାଚୀ ମାହାତ୍ମ୍ୟରେ ଅର୍କ ତୀର୍ଥର ମାହାତ୍ମ୍ୟ ବର୍ଣ୍ଣନା କରାଯାଇଛି ।
ତିଥି ନିର୍ଘଣ୍ଟ ଅନୁସାରେ ଭୋର ୪ଟା ୩୪ ମିନିଟ୍ ରେ ନୀତି କାନ୍ତି, ସାଧୁସନ୍ଥଙ୍କ ଦ୍ୱାରା ମହାଆଳତି ପରେ ବୁଡ଼ ପକାଇଥିଲେ ଶ୍ରଦ୍ଧାଳୁ । ତିନି ଠାକୁର ତ୍ରିବେଣୀଶ୍ୱର, ଦକ୍ଷିଣେଶ୍ୱର ଓ ଐଶାନେଶ୍ୱର ମହାପ୍ରଭୁ ରାତ୍ର ୩ ଟା ୩୦ ରେ ପାରମ୍ପରିକ ଶୋଭାଯାତ୍ରାରେ ବାହାରି ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚି ମହାସ୍ନାନ କରିବା ପରେ ଶ୍ରଦ୍ଧାଳୁ ବୁଡ଼ ପକାଇଇଥିଲେ । ଏହା ପୂର୍ବରୁ ମାଧିପୂରର ତ୍ରିବେଣୀଶ୍ୱର ମହାପ୍ରଭୁ, କୁରୁଜଙ୍ଗର ଦକ୍ଷିଣେଶ୍ୱର ଓ ସନ୍ତପୁରର ଐଶାନେଶ୍ୱର ମହାପ୍ରଭୁ ତିନି ଠାକୁରଙ୍କୁ ଗତକାଲି ରାତିରେ ବିମାନବିଜେ କରିଥିବା ବେଳେ ରାତ୍ର ୧୨ଟାରେ ତିନିଠାକୁର କୋଣାର୍କ ଏନଏସି ମଣ୍ଡପରେ ଏକତ୍ରିତ ପରେ ଭୋଗ ଲାଗି ହୋଇଥିଲେ ।
ଏହାପରେ ଚନ୍ଦ୍ରଭାଗା ଅଭିମୁଖେ ବାହାରିଥିଲେ ୩ ଠାକୁର । ସେଥିପାଇଁ ପୂର୍ବରୁ ପବିତ୍ର ତୀର୍ଥ ପୁଷ୍କରିଣୀ ଖନନ ସହ ବିଶୋଧନ କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ୩୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ । ସମଗ୍ର ଅଞ୍ଚଳ ସିସିଟିଭି ବଳୟରେ ରହିବା ସହ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଅଧିକାରୀ କାର୍ଯ୍ୟରେ ନିୟୋଜିତ ରହିଥିଲେ।
ସେପଟେ ଏହି ମାଘ ସପ୍ତମୀଠାରୁ ଆରମ୍ଭ ହୋଇଛି ଐତିହାସିକ ଖଣ୍ଡଗିରି ମେଳା । ସେଥିପାଇଁ ଖଣ୍ଡଗିରିରେ ଜମିଲାଣି ସାଧୁସନ୍ଥ ଓ ନାଗା ବାବାଙ୍କ ଭିଡ । ଦେଶର କୋଣ ଅନୁକୋଣରୁ ଯଜ୍ଞ କରିବା ପାଇଁ ଖଣ୍ଡଗିରିକୁ ସାଧୁସନ୍ଥ ଧାଇଁ ଆସିଥିବା ବେଳେ ନାଗା ବାବା ଓ ସାଧୁସନ୍ଥଙ୍କ ମନ୍ତ୍ର ଧ୍ଵନୀରେ ପ୍ରକମ୍ପିତ ହେଉଛି ପୁରା ଖଣ୍ଡଗିରି ପାହାଡ ।