Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ପ୍ରବଳ ଭିଡ଼, ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ପ୍ରବଳ ଭିଡ଼, ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

ପବିତ୍ର ମାଘ ସପ୍ତମୀ ପାଇଁ ଚଳଚଂଚଳ ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗା । ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ । ବିଶ୍ବାସ ରହିଛି, ଏହି ଦିନ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଅସାଧ୍ୟ ରୋଗ ଦୂର ହୋଇଥାଏ । ପଞ୍ଜିକାନୁଯାୟୀ ମାହେନ୍ଦ୍ରବେଳାରେ ତିନି ଠାକୁର କରିଥିଲେ ମହାସ୍ନାନ ।

କୋଣାର୍କ ବେଳାଭୂମିରେ ସନାତନର ବୈଭବ। ମାଘ ସପ୍ତମୀରେ ଚନ୍ଦ୍ରଭାଗା ପାଲଟିଲା ଜନସମୁଦ୍ର। ହଜାର ହଜାର ଲୋକ ପକାଇଲେ ପବିତ୍ର ବୁଡ଼। କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଆସ୍ଥା ଓ ବିଶ୍ବାସର ଅପୂର୍ବ ସମାବେଶ। ସୋମବାର ସଞ୍ଜରୁ ମଙ୍ଗଳବାର ସକାଳ ରାତି ତମାମ ତପୋକ୍ଷେତ୍ର ଚନ୍ଦ୍ରଭାଗା ବେଳାଭୂମିରେ ମାଘସପ୍ତମୀ ବୁଡ଼ ଅପେକ୍ଷାରେ ଏମିତି ଥିଲା ଭାବ ଭକ୍ତିର ପରିବେଶ। ଅସ୍ଥାୟୀ ତମ୍ବୁ କୁଡିଆରୁ ଥାଇ ଭକ୍ତଙ୍କ ଅପେକ୍ଷା ଥିଲା ମାହେନ୍ଦ୍ର ସ୍ନାନ ସମୟକୁ। ତା ଭିତରେ ଅନେକ ଶ୍ରଦ୍ଧାଳୁ ବାଲି ଉପରେ ଚୁଲି ତୋଳି ମାଟି ହାଣ୍ଡିରେ ରାନ୍ଧି ପିତୃ ପୁରୁଷଙ୍କ ଉଦେଶ୍ୟରେ ପିଣ୍ଡ ଅର୍ପଣର ବିଧିଥିଲା ବେଶ୍ ଅନନ୍ୟ।

ଶୁକ୍ଳ ପକ୍ଷ ଷଷ୍ଠୀ ରାତି ୯ଟା ୪୫ରୁ ମାଧିପୁର ଗ୍ରାମର ଶ୍ରୀଶ୍ରୀ ତ୍ରିବେଣୀଶ୍ବର, ସନ୍ଥପୁର ଗାଁର ଇସାନେଶ୍ବର, କୁରୁଜଙ୍ଗ ଗାଁର ଦକ୍ଷିଣେଶ୍ବର ଦେବଙ୍କ ଚଳନ୍ତି ପ୍ରତିମା ବିମାନରେ ବସି ନିଜ ନିଜ ଆସ୍ଥାନରୁ ବାହାରିଲେ। ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ କୋଣାର୍କ ଏନଏସି ମଣ୍ଡପ, ତହସିଲ କାର୍ଯ୍ୟାଳୟ, ଆଇବି ପରିସରରେ ପୂଜାର୍ଚ୍ଚନା ସମାପନ ପରେ ଭୋର ରାତି ୪ ସୁଦ୍ଧା ଚନ୍ଦ୍ରଭାଗାର ପାପନାଶୀନି ମଣ୍ଡପରେ ବିରାଜ ମାନ କଲେ ତିନି ମହାଦେବ।


ପାରମ୍ପରିକ ରୀତିନୀତିରେ ଚଳନ୍ତି ପ୍ରତିମାଙ୍କ ପୂଜାହୋମ କର୍ମ ସମ୍ପାଦନ ପରେ ସପ୍ତମୀ ତୀଥିରେ ମାହେନ୍ଦ୍ରବେଳା ୪ଟା ୩୭ ମଧ୍ୟରେ ପବିତ୍ର ତୀର୍ଥ ଜଳରେ ସ୍ନାନ କଲେ ତିନି ଠାକୁର। ସାଦ୍ଧୁ ସନ୍ଥଙ୍କ ଦ୍ବାରା ତୀର୍ଥ ପୁଷ୍କରିଣୀ ଆଳତିରେ ସୃଷ୍ଟି ହେଲା ଆଧ୍ୟତ୍ମିକତାର ଅସରନ୍ତି ଅନୁଭବ। ରାତି ୪ଟା ୪୧ରୁ ସ୍ନାନ କରିବାର ସୁଯୋଗ ପାଇଲେ ସାଧୁସନ୍ଥ ଓ ଅପେକ୍ଷା ରତ ଶ୍ରଦ୍ଧାଳୁ। ଭୋରୁ ଭୋରୁ ସୂର୍ଯ୍ୟ ଦେବାତାଙ୍କୁ ଦର୍ଶନ କରି ଅର୍ଘ୍ୟ ଅର୍ପଣ କଲେ।

ଚନ୍ଦ୍ରଭାଗାରେ ମାଘ ସପ୍ତମୀ ଭିଡ଼କୁ ନଜରରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ୩୩ ପ୍ଲାଟୁନ ପୋଲିସ ଫୋର୍ସ, ୬ ଜଣ ଅତିରିକ୍ତ ଏସ୍‌ପିଙ୍କ ସହ ୧୩ ଡିଏସ୍‌ପି, ୩୯ ଇନ୍ସପେକ୍ଟର ନିୟୋଜିତ ହୋଇଥିଲେ । ବୁଡ଼ ସ୍ଥାନ ଓ ସମୁଦ୍ର କୂଳରେ ଲାଇଫ୍ ଗାର୍ଡ ମୁତୟନ ରହିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Magha Saptami In Konark Chandrabhaga | Argus News