Mahashivratri: ବେଲପତ୍ରକୁ ଏମିତି ତୋଳି ମହାଦେବଙ୍କୁ କରନ୍ତୁ ଅର୍ପଣ, ପୂରଣ ହେବ ମନସ୍କାମନା

ଆସୁଛି ମହାଶିବରାତ୍ରୀ । ମହାଶିବରାତ୍ରୀ ଭଗବାନ ଶିବଙ୍କର ପବିତ୍ର ଦିନ। ଚଳିତ ବର୍ଷ ମହାଶିବରାତ୍ରୀ ଫେବୃଆରୀ ୨୬, ବୁଧବାର ଦିନ ପଡୁଛି। ଏହି ଦିନ ମା’ ପାର୍ବତୀ, ଭଗବାନ ମହାଦେବଙ୍କ ସହିତ ଭକ୍ତମାନଙ୍କ ଉପରେ ସନ୍ତୁଷ୍ଟ ହୋଇ ସେମାନଙ୍କର ଇଚ୍ଛା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି।
ଆମେ ସମସ୍ତେ ଜାଣିଛନ୍ତି ଭଗବାନ ଶିବଙ୍କର ପ୍ରିୟ ଜିନିଷ ହେଉଛି ବେଲପତ୍ର । ଶିବ ଶଙ୍କରଙ୍କ ପୂଜା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଲା ଏହି ବେଲପତ୍ର। ବେଲପତ୍ର ବିନା ଭଗବାନ ଶିବଙ୍କ ଉପାସନା ଅଧୁରା ବୋଲି କୁହାଯାଏ। ଶିବପୁରାଣରେ ବେଲପତ୍ରର ମହତ୍ତ୍ୱ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। କୁହାଯାଇଛି ଯେ ଯେଉଁ ବ୍ୟକ୍ତି ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ବେଲପତ୍ର ଅର୍ପଣ କରିବେ ତାଙ୍କୁ ୧ କୋଟି କନ୍ୟାଦାନର ସମାନ ପୁଣ୍ୟ ପ୍ରାପ୍ତ ହେବ। ଧାର୍ମିକ ବିଶ୍ୱାସ ଅନୁଯାୟୀ ଶିବଙ୍କଠାରେ ବେଲପତ୍ର ଚଢେଇବା ଦ୍ୱାରା ଭଗବାନ ପ୍ରସନ୍ନ ହେବା ସହ ତାଙ୍କ ମୁଣ୍ଡ ବି ଥଣ୍ଡା ହୋଇଥାଏ।
ତେବେ କେମିତି ବେଲପତ୍ର ଚଢ଼ାଇଲେ ଖୁସି ହେବେ ମହାଦେବ । ଏନେଇ ମଧ୍ୟ ସମସ୍ତଙ୍କ ମନରେ ପ୍ରଶ୍ନ । କ'ଣ ରହିଛି ବେଲପତ୍ର ଅର୍ପଣର ନିୟମ । ବେଲପତ୍ର ଛିଣ୍ଡେଇବା ନିୟମ କ'ଣ ରହିଛି । କ'ଣ ଏହାର ଉପକାରିତା ? ଆସନ୍ତୁ ଜାଣିବା...
ବିଶ୍ୱାର ରହିଛି ଯେ ଭଗବାନ ଶିବଙ୍କୁ ବେଲପତ୍ର ଅର୍ପଣ କରିବା ଦ୍ୱାରା ଦାରିଦ୍ର୍ୟ ଦୂର ହୁଏ ଏବଂ ଧନ ବୃଦ୍ଧି ହୁଏ । ଯେଉଁ ମହିଳାମାନେ ଶିବ ପୂଜା ସମୟରେ ବେଲପତ୍ର ପ୍ରଦାନ କରନ୍ତି, ସେମାନେ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହୁଅନ୍ତି । ବେଲପତ୍ର ଉପରେ ଚନ୍ଦନରେ ରାମ କିମ୍ବା ଓମ୍ ନମଃ ଶିବାୟ ଲେଖି ଶିବଙ୍କୁ ଅର୍ପଣ କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ଭଗବାନ ଭୋଲେନାଥଙ୍କୁ ବେଲପତ୍ର ଅର୍ପଣ କଲେ ସଙ୍କଟ ଦୂର ହୁଏ ଏବଂ ସ୍ୱାସ୍ଥ୍ୟ ଭଲ ରହେ । ଯେଉଁମାନଙ୍କ ଘରେ ବେଲ ଗଛ ଥାଏ ସେମାନେ ପାପରୁ ମୁକ୍ତ ହୁଅନ୍ତି, ଏହି ଗଛ ମୂଳରେ ପୂଜାପଠ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ ।
ବେଲପତ୍ର ଅର୍ପଣର ନିୟମ:
ଭଗବାନ ଶିବଙ୍କୁ ସର୍ବଦା ତିନି-ପତ୍ର ବିଶିଷ୍ଟ ବେଲପତ୍ର ଅର୍ପଣ କରନ୍ତୁ । କଟା-ଫଟା, ଦାଗ ଥିବା ବା ଶୁଖିଲା ବେଲପତ୍ର ଶିବଲିଙ୍ଗରେ ଚଢାନ୍ତୁ ନାହିଁ । ବେଲପତ୍ରକୁ ବିଶୁଦ୍ଧ ପାଣିରେ ଧୋଇବା ପରେ ଏହାକୁ ଶିବଲିଙ୍ଗ ଉପରେ ଚଢାନ୍ତୁ । ପତ୍ରର ଚିକ୍କଣିଆ ଭାଗକୁ ତଳମୁହାଁ କରି ଓ ଖଦଡ ଭାଗକୁ ଉପରମୁହାଁ କରି ରଖନ୍ତୁ । ପୂଜା ସମୟରେ ଯଦି ଆପଣଙ୍କ ପାଖରେ ବେଲପତ୍ର ନାହିଁ, ତେବେ ପୂର୍ବରୁ ଚଢାଯାଇଥିବା ବେଲପତ୍ରକୁ ଆଣି ବିଶୁଦ୍ଧ ପାଣିରେ ଧୋଇ ପୁନର୍ବାର ଶିବଙ୍କୁ ଅର୍ପଣ କରିପାରିବେ। ବେଲପତ୍ର କେବେବି ବାସି ହୋଇ ନଥାଏ। ଭଗବାନ ଶିବଙ୍କୁ ଅତି କମରେ ଗୋଟାଏ ବେଲପତ୍ର ଦିଆଯାଇପାରେ। ଏହାଛଡା ୧୧ ଓ ୨୧ ସଂଖ୍ୟା ଅନୁସାରେ ବେଲପତ୍ର ମଧ୍ୟ ପ୍ରଦାନ କରାଯାଏ।
ବେଲପତ୍ର ଛିଣ୍ଡେଇବାର ନିୟମ
ବେଲପତ୍ର ଛୁଣ୍ଡେଇବା ପୂର୍ବରୁ ଭଗବାନ ଶିବଙ୍କୁ ସ୍ମରଣ କର। ଏହାକୁ ଛିଣ୍ଡେଇବା ପରେ ଗଛକୁ ନମସ୍କାର କର । ବେଲପତ୍ରର ପୁରା ଶାଖା ଭାଙ୍ଗିବା ଉଚିତ ନୁହେଁ । ଚତୁର୍ଥୀ, ଅଷ୍ଟମୀ, ନବମୀ ତିଥି, ପ୍ରଦୋଷ ବ୍ରତ, ଶିବରାତ୍ରୀ, ଅମାବାସ୍ୟା ଏବଂ ସୋମବାରରେ ବେଲପତ୍ର ଛିଣ୍ଡେଇବା ଉଚିତ ନୁହେଁ । ଯେତେବେଳେ ଗୋଟିଏ ତିଥି ଶେଷ ହୁଏ ଏବଂ ଅନ୍ୟ ଏକ ତିଥି ଆରମ୍ଭ ହୁଏ, ସେତେବେଳେ ମଧ୍ୟ ବେଲପତ୍ର ଛିଣ୍ଡେଇବା ଉଚିତ ନୁହେଁ ।