ରବିବାର ସନ୍ଧ୍ୟାରେ ମୁଣ୍ଡଳୀରେ ପହଞ୍ଚିବ ବନ୍ୟା ଜଳ, ତଳିଆ ଅଞ୍ଚଳରେ ପଶିବ ପାଣି

Key Points
ଆସନ୍ତାକାଲି ସନ୍ଧ୍ୟାରେ ମୁଣ୍ଡଳୀରେ ପହଞ୍ଚିବ ବନ୍ୟା ଜଳ । ଅବବାହିକାରେ ଥିବା ତଳିଆ ଅଞ୍ଚଳରେ ପଶିବ ପାଣି ।
ଭୁବନେଶ୍ଵର: ମହାନଦୀରେ ଆସୁଛି ଛୋଟ ଧରଣର ବନ୍ୟା । ଆସନ୍ତାକାଲି ସନ୍ଧ୍ୟାରେ ମୁଣ୍ଡଳୀରେ ପହଞ୍ଚିବ ବନ୍ୟା ଜଳ । ଅବବାହିକାରେ ଥିବା ତଳିଆ ଅଞ୍ଚଳରେ ପଶିବ ପାଣି । ଜିଲ୍ଲା ପ୍ରଶାସନକୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ।
ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ଉପର ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦର ଗେଟ୍ ଖୋଲିଥିଲୁ । ଏବେ ହୀରାକୁଦ ଜଳସ୍ତର ୬୨୬.୩୫ ଫୁଟ୍ ଅଛି । ୩ ଲକ୍ଷ ୮୫ ହଜାର କ୍ୟୁସେକ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୨୪ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ପାଣି କମୁଥିବାରୁ ହୀରାକୁଦର ୪ଟି ଗେଟ୍ ବନ୍ଦ କରାଯାଇଛି, ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।
ଆସନ୍ତାକାଲି ସନ୍ଧ୍ୟା ୬ଟାରେ ୫ ଲକ୍ଷ ୫୦ ହଜାର କ୍ୟୁସେକ୍ ଜଳ ମୁଣ୍ଡଳୀରେ ପ୍ରଭାବିତ ହେବ । ଛୋଟ ଧରଣର ବନ୍ୟା ମୁଣ୍ଡଳୀକୁ ଆସିବ । କୌଣସି ନଦୀରେ ବନ୍ୟା ସ୍ଥିତି ନଥିବା ନେଇ ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । କେବଳ ଜଳକା ବିପଦ ସଂକେତ ଉପରେ ଅଛି । ହେଲେ ଧିରେ ଧିରେ ହ୍ରାସ ପାଉଛି ଜଳସ୍ତର । ଆଗାମୀ ୭ ଦିନ ଯାଏଁ ବର୍ଷା ନଥିବାରୁ ସ୍ଥିତିରେ ଆହୁରି ସୁଧାର ଆସିବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।