Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Mahanadi water dispute / ଓଡ଼ିଶା ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍, ଜଳ ବିବାଦ ସମାଧାନ ନେଇ ବଢିଲା ଆଶା

Bikash Mohanty
Browse all articles by Bikash Mohanty
·4 months ago·2 min read
ଓଡ଼ିଶା ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍, ଜଳ ବିବାଦ ସମାଧାନ ନେଇ ବଢିଲା ଆଶା
Mahanadi

Key Points

ଓଡ଼ିଶା ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍
୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଟିମ୍ 
ଆସନ୍ତା ୨୬ ତାରିଖରୁ ମାର୍ଚ୍ଚ ୨ ତାରିଖ ପର୍ୟ୍ୟନ୍ତ ଓଡ଼ିଶାରେ ରହିବେ
୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀ, ଟ୍ରିବ୍ୟୁନାଲର ସଦସ୍ୟ ଏବଂ ତାଙ୍କ ପରିବାର ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୨୬ ତାରିଖରୁ ମାର୍ଚ୍ଚ ୨ ତାରିଖ ପର୍ୟ୍ୟନ୍ତ ସେମାନେ ଓଡ଼ିଶାରେ ରହିବେ । ଟ୍ରିବ୍ୟୁନାଲ ଟିମର ଗସ୍ତକୁ ନେଇ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ଅଧିକାରୀଙ୍କୁ ଚିଠି ଲେଖାଯାଇଛି । ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଓ ସଦସ୍ୟମାନେ ଝାରସୁଗୁଡା, ସମ୍ବଲପୁର, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।  ସେଥିପାଇଁ ଏହି ୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଝାରସୁଗୁଡା, ସମ୍ବଲପୁର, ଖୋର୍ଦ୍ଧା ଗସ୍ତ ପରେ ଶେଷରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି । ଟ୍ରିବ୍ୟୁନାଲର ଗସ୍ତକୁ ନେଇ ରାଜ୍ୟର ଅନେକ ଆଶା ରହିଛି । ମହାନଦୀ ଜଳକୁ ନେଇ ଦୀର୍ଘଦିନ ଧରି ପଡୋଶୀ ଛତିଶଗଡ଼ ସହ ଲାଗି ରହିଥିବାର ବିବାଦର ସମାଧାନ ଶୀଘ୍ର ହେବ ବୋଲି ଆଶା କରାଯାଉଛି । 

ଉଲ୍ଲେଖଯୋଗ୍ୟ, ଓଡ଼ିଶା ଓ ଛତିଶଗଡ଼ ମହାନଦୀ ଜଳ ବଣ୍ଟନ ନେଇ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଚୁକ୍ତିନାମାରେ ପହଞ୍ଚି ପାରୁନଥିବାରୁ ଅନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ, ୧୯୫୬ ଅନୁଯାୟୀ ମାର୍ଚ୍ଚ ୨୦୧୮ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଗଠନ କରାଯାଇଥିଲା । ଦୀର୍ଘ ୯ ମାସ ଧରି ଏହାର ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବାରୁ ଟ୍ରିବ୍ୟୁନାଲ କାର୍ଯ୍ୟରେ ଅଗ୍ରଗତି ହୋଇପାରିନଥିଲା। ଚଳିତ ମାସ ୭ ତାରିଖରେ ହେବାକୁ ଥିବା ମହାନଦୀ ଜଳ ବିବାଦ ଶୁଣାଣି ଆସନ୍ତା ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଥିଲା। ଟ୍ରିବ୍ୟୁନାଲ୍ କ୍ଷେତ୍ର ପରିଦର୍ଶନ କରି ସାରିବା ପରେ ମାର୍ଚ୍ଚ ୧୪ ତାରିଖରେ ଶୁଣାଣି ହେବ। ଏପ୍ରିଲ ୧୩ ତାରିଖରେ ଟ୍ରିବ୍ୟୁନାଲ୍ ଅବଧି ଶେଷ ହେବାକୁ ଯାଉଛି। ଓଡ଼ିଶା ଓ ଛତିଶଗଡ଼ ଟ୍ରିବ୍ୟୁନାଲ୍ ଅବଧି ବୃଦ୍ଧି ପାଇଁ ଅନୁରୋଧ କରିସାରିଛନ୍ତି। ୨୦୨୭ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ୍ କାର୍ଯ୍ୟକାଳ ବୃଦ୍ଧି ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିବା ସୂଚନା ମିଳିଛି।

ମହାନଦୀ ଜଳ ବିବାଦକୁ ନେଇ ବର୍ଷ ବର୍ଷ ହୋଇଛି ଆଲୋଚନା ହେଲେ ଏଯାଏଁ ସମାଧାନର ବାଟ ବାହାରିନି । 2016ରେ ସେତେବେଳର କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ନେଇ ବୈଠକ ଡକାଇଥିଲେ। ହେଲେ ବୈଠକ ଅଧାରୁ ଉଠି ଚାଲିଆସିଥିଲେ ନବୀନ ପଟ୍ଟନାୟକ। ଖାଲି ସେତିକି ନୁହେଁ ସଂସଦରେ କେନ୍ଦ୍ରମନ୍ତ୍ରୀ ନିତୀନ ଗ଼ଡକରି ଓଡ଼ିଶାକୁ ଆପୋଷ ଆଲୋଚନା ପାଇଁ ପରାମର୍ଶ ଦେଇଥିଲେ। ହେଲେ ତାକୁ ଗ୍ରହଣ ନ କରି ଟ୍ରିବ୍ୟୁନାଲ ପାଇଁ ଜିଦି ଧରିଲେ ବିଜେଡି ସରକାର।

ଏଥିସହ ପଢ଼ନ୍ତୁ: ମହାନଦୀ ପ୍ରସଙ୍ଗରେ ପୁଣି ମୁହାଁ ମୁହିଁ ହୋଇଛନ୍ତି ଶାସକ ଓ ବିରୋଧି
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mahanadi water dispute | Mahanadi Tribunal Team Visit Odisha | Water Dispute Resolution Hope | Argus News