Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ... ଅଣସର ଘରେ କେମିତି ଚାଲେ ଗୁପ୍ତ ଚିକିତ୍ସା ?

Odisha

Lord Jagannath / ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ... ଅଣସର ଘରେ କେମିତି ଚାଲେ ଗୁପ୍ତ ଚିକିତ୍ସା ?

Rashmita Mishra
Browse all articles by Rashmita Mishra
·2 hours ago·3 min read
ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ... ଅଣସର ଘରେ କେମିତି ଚାଲେ ଗୁପ୍ତ ଚିକିତ୍ସା ?
Lord Jagannath

Key Points

ଶ୍ରୀମନ୍ଦିରରେ କେଉଁଠି ଥାଏ ଅଣସର ପିଣ୍ଡି...
ଅଣସର ସମୟରେ ଲାଗେ ନାହିଁ କୌଣସି ଅନ୍ନ ଭୋଗ..
କ'ଣ ସେବନ କରନ୍ତି ମହାପ୍ରଭୁ ?

ତାତିରେ ଫୁଟୁଛି କାଳିଆ ଦେହ... ୧୦୮ ଗରା ଜଳରେ ସ୍ନାନ କରିବାରୁ ଆମ ମହାପ୍ରଭୁଙ୍କୁ ଜ୍ୱର ହେଇଛି । ସେଥିପାଇଁ ଆମ ଠାକୁରମାନେ ଅଣସର ଘରେ ରହିଛନ୍ତି । ଯେଉଁଠି ତାଙ୍କୁ ସୁସ୍ଥ କରିବାକୁ ନାନା ପ୍ରକାରର ଉପଚାର କରୁଛନ୍ତି ଦଇତାପତି ସେବକ ଓ ଅନ୍ୟ ସେବକମାନେ । ହେଲେ ଶ୍ରୀମନ୍ଦିରରେ ଅଣସର ପିଣ୍ଡି କେଉଁଠି ଥାଏ ? ଛପନ ପଉଟି ଭୋଗ ଖାଉଥିବା ଆମ କାଳିଆ ଅଣସର ସମୟରେ କଣ ସେବନ କରେ ।

ଦେବସ୍ନାନ ପୂର୍ଣ୍ଣିମା ପରଦିନଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜ୍ୱରରେ ପୀଡ଼ିତ ହୋଇ ଉପଚାର ଘେନୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତିନାହିଁ । ଏହି କାଳକୁ ଅଣସର ବା ଅନବସର କୁହାଯାଏ । ଏହି ସମୟରେ ଅଣସର ଗୃହରେ ମହାପ୍ରଭୁଙ୍କର ଗୁପ୍ତ ନୀତିମାନ କରାଯାଏ । ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପାରିକ ଉପଚାର କରାଯାଏ । ହେଲେ ଶ୍ରୀମନ୍ଦିରରେ ଏହି ଅଣସର ଗୃହ ଥାଏ କେଉଁଠି ?

ଶ୍ରୀମନ୍ଦିରରେ, ରତ୍ନସିଂହାସନ ତଳେ ଅର୍ଥାତ୍ ଗର୍ଭଗୃହର ଦକ୍ଷିଣ ପାର୍ଶ୍ୱରେ ଥିବା 'କଳାହାଟ ଦ୍ୱାର' ଏବଂ 'ଭିତର କାଠ' ମଧ୍ୟରେ ଥିବା ସ୍ଥାନକୁ ଅଣସର ଘର କୁହାଯାଏ । ରତ୍ନବେଦୀ ସମ୍ମୁଖରେ ବାଉଁଶ ତାଟି ପରିବେଷ୍ଠିତ ଅସ୍ଥାୟୀ ଗୃହକୁ ଅଣସର ଗୃହ ବା ନିରୋଧନ ଗୃହ କୁହାଯାଏ । ଗୃହରେ ପରିବେଷ୍ଠିତ ତାଟିକୁ ଅଣସର ତାଟି କୁହାଯାଏ।

ଅଣସର ଗୃହରେ ସମ୍ପାଦିତ ନୀତିକୁ ଅଣସର ନୀତି କୁହାଯାଏ । ଅଣସର ଗୃହକୁ ଗୁପ୍ତ ନୀତି ନିମନ୍ତେ ପ୍ରବେଶ ପାଇଁ ଏକ ଛୋଟ ତାଟି ଦ୍ୱାର ଥାଏ ଏହାକୁ ଧୁକୁଡ଼ି ଦ୍ୱାର କୁହାଯାଏ । ଏହି ଦୁଆର ଦେଇ ଦଇତା ଓ ପତି ମହାପାତ୍ର ସେବକ ଅଣସର ଗୃହକୁ ଗୁପ୍ତ ନୀତି ନିମନ୍ତେ ପ୍ରବେଶ କରିଥାନ୍ତି ।

ଦେବସ୍ନାନ ପୂର୍ଣ୍ଣିମା ପରଦିନଠାରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଏହି ସ୍ଥାନରେ ଶ୍ରୀଜୀଉମାନଙ୍କୁ ଗୁପ୍ତ ଚିକିତ୍ସା କରାଯାଏ । ଅଣସର ଗୃହରେ ଦାରୁ ମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ପୂଜା କରାଯାଇଥାଏ । ବଳଭଦ୍ରଙ୍କ ପଟିଦିଅଁ ବାସୁଦେବ, ଦେବୀ ସୁଭଦ୍ରାଙ୍କର ପଟିଦିଅଁ ଭାବେ ଯାଜ୍ଞସେନୀ ବା ଭୁବନେଶ୍ୱରୀ ଓ ଜଗନ୍ନାଥଙ୍କ ପଟିଦିଅଁ ଭାବେ ନାରାୟଣ ପୂଜା ପାଆନ୍ତି ।

ସେହିପରି ଅଣସର ସମୟରେ କୌଣସି ଅନ୍ନ ଭୋଗ ଲାଗେ ନାହିଁ । ଏହି ସମୟରେ ଠାକୁରଙ୍କୁ ସୁସ୍ଥ କରିବାକୁ ବୈଦ୍ୟଙ୍କ ପରାମର୍ଶ କ୍ରମେ ସ୍ୱତନ୍ତ୍ର ପଥି ଭୋଗ ଅର୍ପଣ କରାଯାଇଥାଏ । ଯେମିତିକି ଅଣସର ପଣା, ଚକଟା ଭୋଗ ଓ ଫଳମୂଳ ।

ଅଣସର ପ୍ରଥମ ଦିନରୁ ପଞ୍ଚମୀ ପର୍ଯ୍ୟନ୍ତ କେବଳ ମଠ ମାନଙ୍କର ଚକଟା ମଇଲମ ଭୋଗ ହୋଇଥାଏ । ଏଥିରେ ପାପୁଡି, ସର, ଛେନା ମିଶିଥାଏ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚକଟା ଭୋଗ ପାଇଁ ବହୁ ପରିମାଣର ଛେନା, ସର, ଚିନି ଇତ୍ୟାଦି ଯୋଗାଯାଇଥାଏ ।

ସେହିପରି ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଦଇତାପତି ଓ ଭକ୍ତମାନଙ୍କ ପକ୍ଷରୁ କଦଳୀ, ସପୁରୀ, ପଣସ, ଆମ୍ବ, ଛେନା, ରାବିଡି, ସର, ଛେନାକଟା, ଛେନା ଖଇ, ଶୁଆପେଡା, ଖୁଆ ବରଫି, ଲିଆଛତୁ , ଗୁଡ ଖଇ , ଲିଆ ଆଦି ଭୋଗ ଲାଗେ । ଏକାଦଶୀ ଦିନ ଠାରୁ ଠାକୁରଙ୍କ ଭୋଗ ରୂପେ ବିଭିନ୍ନ ସୁସ୍ୱାଦୁ ଫଳ, ଖିସ୍ ମିସ୍ , ଖୁଆ ପେଡା, ଖୁଆ ମଣ୍ଡା ଏବଂ କ୍ଷୀର ଜାତୀୟ ମିଠା ସମେତ ବୈଦ୍ୟ ସେବକଙ୍କ ଘରୁ ଆସିଥିବା ଦଶମୂଳ ମୋଦକ ଭୋଗ ହୋଇଥାଏ ।

ଯେମିତି କୁହନ୍ତି ନା ପ୍ରକୃତ ବନ୍ଧୁ ସିଏ, ଯିଏ ତମର ଅସୁବିଧା ବେଳେ ଠିଆ ହୁଏ । ଠିକ୍ ସେମିତି ଆମ ଜଗାର ଏବେ ଦେହ ଭଲ ନାହିଁ । ଆମେ ସୁଖ, ଦୁଃଖରେ ସବୁବେଳେ ତା ପାଖକୁ ଦଉଡେ.. ତା ଦରଶନ ଲୋଡେ । ହେଲେ ଏବେ ଜଗା ଅଣସର ଘରେ । ଥରୁଟେ ତା ଦେହ ପା କଥା ବୁଝିବାକୁ ଯିବା କଣ ଆମର ଦାୟିତ୍ୱ ନୁହେଁ...ଏହି ସମୟରେ ଥରୁଟେ ଯାଆନ୍ତୁ ...ଆଉ ପଚାରନ୍ତୁ...ସାଆନ୍ତେ ଦେହ କେମିତି ଅଛି ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored