ଶରଧାବାଲିରେ ତିନି ରଥ, ଆଡ଼ପ ମଣ୍ଡପରେ ୬ ଦିନ ଯାଏ ଦର୍ଶନ ଦେବେ ମହାପ୍ରଭୁ

Key Points
ଶରଧାବାଲିରେ ଲାଗିଲେ ତାଳଧ୍ଵଜ, ଦେବଦଳନ ଓ ନନ୍ଦିଘୋଷ ।
ଯିବା ଆସିବା ଦୁଇ ଦିନ । ସାତ ଦିନ ମାତ୍ର ମଣ୍ଡପରେ ରହିବେ ।
ଶ୍ରୀକ୍ଷେତ୍ରରେ ପୁଣି ଉଠିଲା ଆସ୍ଥାର ଜୁଆର । ଜୟ ଜଗନ୍ନାଥ ଧ୍ବନିରେ ପୁଣି କମ୍ପିଲା ବଡ଼ ଦାଣ୍ଡ । ଶରଧାବାଲିରେ ଲାଗିଲେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ । ଆସନ୍ତାକାଲି ଅପରାହ୍ନରେ ଜନ୍ମବେଦୀକୁ ପହଣ୍ଡି । ସୋମବାରଠୁ ଆରମ୍ଭ ଆଡ଼ପ ଦର୍ଶନ ।
କାଲି କେଇ ପାଦ ଗଡ଼ି ଅଟକି ଯାଇଥିଲେ ନନ୍ଦିଘୋଷ । ପୁଣି କିଛି ବାଟ ଆଗରେ ଅଟକି ରହିଥିଲେ ଭଉଣୀ ଓ ବଡ଼ ଭାଇ। ଆଜି ସମସ୍ତେ ଆଗକୁ ବଢ଼ିଲେ। ଜଗତବାସୀଙ୍କୁ ବାର୍ତ୍ତା ଦେଲେ ଇଏ ନିୟତୀର ନିର୍ଦ୍ଦେଶ । ଇଏ ସମୟର କଥା । ଆପେକ୍ଷିକତ୍ୱରୁ ମୁକ୍ତ ଏ ସମୟ । ଏହା ସୃଜନର ଶେଷ ଶବ୍ଦ । ଆଉ ଅନନ୍ତ ପ୍ରବାହର ଧାରା । ଇଏ ସମୟର ରଙ୍ଗୀନ ପୃଷ୍ଠାର ବର୍ଣ୍ଣବୋଧ ଉପରେ ପ୍ରବାହିତ ଆମ ସମସ୍ତଙ୍କ ଜୀବନର ନନ୍ଦିଘୋଷ । ଆଉ ସେହି ନନ୍ଦିଘୋଷ ଯେତେବେଳେ ଗଡ଼େ ସେତେବେଳେ ଛାତି କୁଣ୍ଢେମୋଟ ହୋଇଯାଏ ।
ଯାତାୟାତର ଦ୍ୱର୍ୟ ମଧ୍ୟେ ସପ୍ତେତୁ ମଣ୍ଡପେ ସ୍ଥିତ । ଅର୍ଥାତ୍ ଯିବା ଆସିବା ଦୁଇ ଦିନ । ସାତ ଦିନ ମାତ୍ର ମଣ୍ଡପରେ ରହିବେ । ୟା ଭିତରେ ଆହୁରି ଗୋଟାଏ ଦିନ ବିଳମ୍ବ ହେଲାଣି । ଗତକାଲି ରଥଯାତ୍ରା ଦିନ ଟିକିଏ ଚାଲି ଅଟକି ଯାଇଥିଲେ । ସେପଟେ ଜନ୍ମବେଦୀରୁ ଆସିଲା ଡାକରା । ଅପେକ୍ଷା କରିଥିଲେ ଗୁଣ୍ଡିଚା ରାଣୀ । ସେ ବ୍ରହ୍ମା ଅପୂର୍ବ ଟାଙ୍ଗଣରେ ଗଢ଼ିଥିବା ବିଧିର ମୂର୍ତ୍ତିମନ୍ତ ରୂପ । ତପ୍ତ, କାଞ୍ଚନ, ଗୌରାଙ୍ଗୀ, ରାଧେ ବୃନ୍ଦାବନେଶ୍ବରୀ, ବୃଷଭାନୁ ପ୍ରିୟଜେମା । ସେ ଡାକରା ଦେଲେ । ଆଉ ବଡ଼ଦାଣ୍ଡରେ ଘର୍ଘର ନାଦ କରି ଗଡ଼ି ଚାଲିଲେ ତିନି ରଥ ।
ଗବେଷକଙ୍କ ଅନୁସାରେ ସେ ମଙ୍ଗଳ ମୟ ଭଗବାନ । ସଂସାର ମଙ୍ଗଳ ପାଇଁ ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି ମହାପ୍ରଭୁ । ଯାହା ହୋଇଛି ତାଙ୍କରି ଇଚ୍ଛାରେ । କୋଉଠି ଅଟକି ଯାଇଥିବେ ତାଙ୍କ ପ୍ରିୟ ଭକ୍ତ । ତେଣୁ ଭକ୍ତ ପାଇଁ ଅଟକି ଯାଇଥିଲେ ମହାପ୍ରଭୁ ।
ଜଣେ ପରେ ଜଣେ ଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଲାଗିଲେ ତାଳଧ୍ଵଜ, ଦେବଦଳନ ଓ ନନ୍ଦିଘୋଷ । ମୁଖ୍ୟ ପ୍ରଶାସକ କହିଛନ୍ତି ପ୍ରତି ବର୍ଷ ଏଭଳି ଦୁଇ ଦିନ ଧରି ରଥ ଟଣା ହୁଏ । ରଥ ପହଞ୍ଚିବା ପରେ ସମସ୍ତ ଦେବନୀତି ଶୃଙ୍ଖଳିତ ଚାଲିଛି । ଆସନ୍ତାକାଲି ହେବ ଜନ୍ମବେଦୀକୁ ପହଣ୍ଡି । ଆଗାମୀ ୬ ଦିନ ଯାଏଁ ଜନ୍ମବେଦୀରେ ଲୀଳା କରିବେ କାଳିଆ ଠାକୁର । ଅପୂର୍ବ ଦର୍ଶନ ଲାଭ କରି ଅପାର କରୁଣା ଲାଭ କରିବାକୁ ସେଠି ବି ଭିଡ଼ ଜମାଇବେ ସହସ୍ରାଧିକ ଭକ୍ତ ।