ବାହୁଡ଼ାଯାତ୍ରା ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ଜାରି: ରଥାରୁଢ଼ ଶ୍ରୀଜିଉଙ୍କ ଅପେକ୍ଷାରେ ଶ୍ରଦ୍ଧାଳୁ

Key Points
ଆଜି ପବିତ୍ର ବାହୁଡ଼ା ଯାତ୍ରା
ଶ୍ରୀଜିଉମାନେ ଶ୍ରୀମନ୍ଦିର ଅଭିମୁଖେ ଫେରିଆସିବେ
ଜନ୍ମବେଦୀରୁ ବାହାରି ଧାଡ଼ି ପହଣ୍ଡିରେ ଆସି ଶରଧାବାଲିରେ ପ୍ରସ୍ତୁତ ଥିବା ରଥ ଉପରେ ବିରାଜିବେ
ଏଥିପାଇଁ ବଡ଼ଦାଣ୍ଡ ପୁଣି ଥରେ ଜନସମୁଦ୍ର ଆରମ୍ଭ ହୋଇଯାଇଛି
ଆଜି ପବିତ୍ର ବାହୁଡ଼ା ଯାତ୍ରା। ଶ୍ରୀଜିଉମାନେ ଶ୍ରୀମନ୍ଦିର ଅଭିମୁଖେ ଫେରିଆସିବେ। ଜନ୍ମବେଦୀରୁ ବାହାରି ଧାଡ଼ି ପହଣ୍ଡିରେ ଆସି ଶରଧାବାଲିରେ ପ୍ରସ୍ତୁତ ଥିବା ରଥ ଉପରେ ବିରାଜିବେ। ଏଥିପାଇଁ ବଡ଼ଦାଣ୍ଡ ପୁଣି ଥରେ ଜନସମୁଦ୍ର ଆରମ୍ଭ ହୋଇଯାଇଛି। ଲକ୍ଷଲକ୍ଷ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ବନୀରେ ବଡ଼ଦାଣ୍ଡ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବାରେ ଲାଗିଛି। ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ହେବ। ଏବେ ପହଣ୍ଡି କରି ସୁଦର୍ଶନଙ୍କୁ ପ୍ରଥମେ ରଥକୁ ନିଆଯାଉଥିବାବେଳେ ଶରଧାବାଲିରେ ଭକ୍ତଙ୍କର ଗହଳି ହୋଇଛି। ଆଡ଼ପ ମଣ୍ଡପରେ ନବମୀ ଅବସରରେ ଶୁକ୍ରବାର ଦିନସାରା ଶ୍ରୀଜିଉମାନଙ୍କୁ ଲକ୍ଷାଧିକ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ। ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିଛନ୍ତି। ମୁଣ୍ଡିଆ ମାରି ମନର କଥା କହିଥିଲେ। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ସମ୍ମୁଖରେ ବ୍ୟାରିକେଡ କରାଯାଇଥିବା ବେଳେ ନୀତିକୁ ଶୃଙ୍ଖଳିତ କରାଯାଇଛି।
ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ନୀତିକାନ୍ତି ମୁତାବକ, ଠିଆ ପହୁଡ଼ ହୋଇଥିବାରୁ ୫ ତାରିଖ ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ସାଢ଼େ ୪ଟାରେ ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ବେଶ ଶେଷ ହୋଇ ଭୋର ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳ ଧୂପ ଖେଚୁଡ଼ି ଭୋଗ ଶେଷ ହେବ। ସକାଳ ୭ଟାରୁ ସେନାପଟା ଲାଗି ହେବ। ଶ୍ରୀମନ୍ଦିର ପ୍ରଶାସନ ପୁସ୍ତିକା ମୁତାବକ, ସାଢ଼େ ୨ଟା ପହଣ୍ଡି ଶେଷ ହୋଇ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ସାରିବା ଲକ୍ଷ୍ୟ ରହିଛି। ପରେ ଚାରମାଳ ଫିଟି, ଘୋଡ଼ା ଲାଗି ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ। ମହାପ୍ରଭୁ ରଥରେ ଶ୍ରୀନଅର ନିକଟରେ ପହଞ୍ଚିବା ପରେ ବାହୁଡ଼ା ଦଶମୀରେ ଲକ୍ଷ୍ମୀନାରାୟଣ ଭେଟ ନୀତିକାନ୍ତି ରହିଥିବାରୁ ସନ୍ଧ୍ୟା ସାଢ଼େ ୭ଟା ପୂର୍ବରୁ ରଥ ପହଞ୍ଚିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
📱 Get Argus News App
✨ବାହୁଡ଼ା ଯାତ୍ରାରେ ଶୃଙ୍ଖଳା ପାଇଁ ୨୦୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ନିୟୋଜିତ ହେବେ। ଭକ୍ତଙ୍କ ଯାତାୟାତ ପାଇଁ ସ୍ବତନ୍ତ୍ର ଟ୍ରାଫିକ ରୁଟ୍ ନିର୍ଦ୍ଧାରିତ ହୋଇଛି। ଭୁବନେଶ୍ବର, କୋଣାର୍କ ଓ ବ୍ରହ୍ମଗିରି ପଟୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଚାରିଚକିଆ ଓ ଦୁଇଚକିଆ ଯାନ ରଖିବା ପାଇଁ ସ୍ବତନ୍ତ୍ର ସ୍ଥାନ ସ୍ଥିରୀକୃତ ହୋଇଛି।