୧୮ରୁ ଦେବେ କହିଲେ ଏଯାଏଁ ଦେଲେନି ?

Key Points
- ୨୦୧୮ ରୁ ମାଗଣାରେ ମହାପ୍ରସାଦ ଦେବେ କହିଥିଲେ
- ୨୪ ହେଲା କିନ୍ତୁ ମିଳିଲାନି
- ବାଲେଶ୍ଵର ଦାତାଙ୍କ ୨୦ ଲକ୍ଷ ଟଙ୍କା ଗଲା କୁଆଡ଼େ ?
- ଶ୍ରୀମନ୍ଦିରରେ ଚାଲିଛି ହରିଲୁଟ୍ !
ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ଓ ମହାପ୍ରସାଦକୁ ନେଇ ତେଜିବାରେ ଲାଗିଛି ରାଜନୀତି । ୧୮ ମସିହାରୁ ମାଗଣାରେ ମହାପ୍ରସାଦ ଦେବାକୁ ବଜେଟ୍ରେ ଦେଢକୋଟି ଟଙ୍କାର ଅର୍ଥରାଶି ବ୍ୟୟବରାଦ ହୋଇଥିଲା । ପୂର୍ବରୁ ଭକ୍ତଙ୍କ ହାତରେ କାଣିଚାଏ ମହାପ୍ରସାଦ ଦିଆଯାଉଥିବା ବେଳେ ୨୦୧୯ ରେ ଖଲି ଦନାରେ ଦିଆଯିବା ପାଇଁ ଖଲି ଦନା ବି କିଣାଯାଇଥିଲା । ତେବେ କେମିତି ଭକ୍ତମାନେ ମାଗଣାରେ ମହାପ୍ରସାଦ ପାଇବେ ସେଥିଲାଗି ବାଲେଶ୍ଵର ଖଇରା ଗୋବିନ୍ଦପୁର ଗାଁର ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର କୁମାର ଦାସ ୨୦ଲକ୍ଷ ଟଙ୍କା ଦାନ ଦେଇଥିଲେ, ଆଉ କହିଥିଲେ ଏହି ଟଙ୍କାକୁ ବ୍ୟାଙ୍କରେ ଡିପୋଜିଟ୍ କରି ସୁଧରେ ମହାପ୍ରସାଦ ଦେବାକୁ । କିନ୍ତୁ ଏହାରି ଭିତରେ ୬ ବର୍ଷ ବିତିଗଲା କିନ୍ତୁ ମାଗଣାରେ ମହାପ୍ରସାଦ ମିଳୁନଥିବା ବେଳେ ଅର୍ପଣ ରଥ ଚାଉଳରେ ଏବେ ଭକ୍ତଙ୍କୁ କାନିଆ କରି ଦିଆଯାଉଛି । ହେଲେ ବର୍ଷକ ବାରମାସ କେମିତି ମାଗଣାରେ ମହାପ୍ରସାଦ ମିଳିବ ସେନେଇ କିଛି ବ୍ୟବସ୍ଥା ହେଉନଥିବାରୁ ଭକ୍ତଙ୍କ ମଧ୍ୟରେ ତେଜିବାରେ ଲାଗିଛି ଅସନ୍ତୋଷ ।
ଶ୍ରୀମନ୍ଦିର...କୋଟି କୋଟି ଓଡ଼ିଆଙ୍କ ବିଶ୍ଵାସ ଓ ଆସ୍ଥାର କେନ୍ଦ୍ର । ବିଶ୍ଵ ନିୟନ୍ତାଙ୍କର ଟିକେ ପ୍ରସାଦ ପାଇଁ ବ୍ୟାକୁଳ ଭକ୍ତ ମନ ଓ ପ୍ରାଣ । ପରିକ୍ରମା ପ୍ରକଳ୍ପରେ କୋଟି କୋଟି ଟଙ୍କା ଖର୍ଚ୍ଚ କଲା ରାଜ୍ୟ ସରକାର । କିନ୍ତୁ କେମିତି ଭକ୍ତଟିଏ ଭଲରେ ମହାପ୍ରସାଦ ପାଇବ ସେନେଇ କୌଣସି ବ୍ୟବସ୍ଥା କଲେନି ନବୀନ ବାବୁ । ଯଦି ୧୮ ମସିହାରୁ ମାଗଣା ମହାପ୍ରସାଦର ଯୋଜନା ହେଉଛି ତାହାଲେ ଆଜିଯାଏଁ କାର୍ଯ୍ୟକାରୀ ହେଲା ନାହିଁ କାହିଁକି ? ଭକ୍ତ କୋଟି କୋଟି ଦାନ ଦେଉଛନ୍ତି, ପ୍ରଶାସନ ଯୋଜନା କଲେ ଅସୁବିଧା କେଉଁଠି ? କିଛି ଏମିତି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବା ବେଳେ ଦଇତାପତି ନିଯୋଗର ସଭାପତି କହିଛନ୍ତି ଏନେଇ ଖୁବଶୀଘ୍ର ମନ୍ଦିର ପ୍ରଶାସନ ସହ ଆଲୋଚନା ହେବ । ସେପଟେ ସୁଆରମହାସୁଆର ନିଯୋଗ ସମ୍ପାଦକ ଭକ୍ତଙ୍କ ପାଇଁ ମାଗଣା ମହାପ୍ରସାଦ ବ୍ୟବସ୍ଥା ତୁରନ୍ତ ଲାଗୁ କରିବାକୁ ରାଜ୍ୟ ସରକାର,ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟିକୁ ଅନୁରୋଧ କରିଛନ୍ତି । ତେବେ ପୂର୍ବରୁ ୨୨ ପାହାଚରେ ଭକ୍ତଙ୍କୁ ଯେଉଁ ମହାପ୍ରସାଦ ଦିଆଯାଉଥିଲା ତାହା କାହିଁକି ବନ୍ଦ ହେଲା ବୋଲି ଉଠିଛି ପ୍ରଶ୍ନ ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା ଦେଶର ଅନେକ ବଡବଡ ମନ୍ଦିରରେ ପ୍ରସାଦ ମାଗଣାରେ ବଣ୍ଟନ ହେଉଥିବା ବେଳେ ଶ୍ରୀଜଗନ୍ନାଥ ମନ୍ଦିରରେ ବି ମାଗଣା ମହାପ୍ରସାଦ ଦେବା ପାଇଁ ଅନେକବାର ଦାବି ହୋଇଛି । ଖାଲି ଦାବି ହୋଇଛି ତାହା ନୁହେଁ ବରଂ ବଜେଟ୍ ବି ହୋଇଥିଲା । କିନ୍ତୁ କାର୍ଯ୍ୟକାରୀ ହେଲାନାହିଁ । ଏହାରି ଭିତରେ ପରିକ୍ରମା ପ୍ରକଳ୍ପ ପାଇଁ ୩୧୪ ବ୍ଲକରୁ ଯେଉଁ ଚାଉଳ ଆସିଛି ସେହି ଚାଉଳରେ ଏବେ ପ୍ରସାଦ କରି ଭକ୍ତଙ୍କୁ ମାଗଣା ଦିଆଯାଉଛି । କିନ୍ତୁ ଭକ୍ତଙ୍କର ଦାବି ମନ୍ଦିର ଭିତରେ ବର୍ଷକ ୧୨ ମାସ ମାଗଣାରେ ମିଳୁ ମହାପ୍ରସାଦ । ତେବେ ଦେଖିବାକୁ ବାକି ରହିଲା କେବେ ନବୀନ ସରକାର ଶୁଣୁଛି ଭକ୍ତଙ୍କ ଦାବି ।