Videos
|
Odisha

ସବୁଠି ହର ହର ମହାଦେବ, ଲୋକଙ୍କ ସହ ମିଶି ପୂଜାର୍ଚ୍ଚନା କଲେ ଜନପ୍ରତିନିଧି

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ସବୁଠି ହର ହର ମହାଦେବ, ଲୋକଙ୍କ ସହ ମିଶି ପୂଜାର୍ଚ୍ଚନା କଲେ ଜନପ୍ରତିନିଧି

ଚତୁର୍ଦିଗ ଶିବମୟ....ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହେଉଛି ଗଗନ ପବନ । ମହାଶିବରାତ୍ରିକୁ ନେଇ ସବୁଠି ଉତ୍ସବର ପରିବେଶ । ରାଜ୍ୟର ପ୍ରମୁଖ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ସବୁଠି ଶିବ ଆରାଧନାରେ ନିମଗ୍ନ ଭକ୍ତ । ଜାଗର ଜାଳି ମହାଦୀପ ଉଠିବାକୁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ । ଅନେକ ସ୍ଥାନରେ ଜନତାଙ୍କ ସହ ନେତା ବି ଏ ମହାଶିବରାତ୍ରିରେ ସାମିଲ ହୋଇଛନ୍ତି । ଏକାମ୍ରକ୍ଷେତ୍ର ହେଉ କି ଶ୍ରୀକ୍ଷେତ୍ର, ଆରଡ଼ି ହେଉ କି କପିଳାସ, ଧବଳେଶ୍ବର ହେଉ କି ପଞ୍ଚଲିଙ୍ଗେଶ୍ୱର.. ସବୁଠି ଶିବଙ୍କ ଆରାଧନାରେ ନିମଗ୍ନ ଭକ୍ତ । ଦିଅଁଙ୍କ ଦର୍ଶନ ପାଇଁ ରାତି ଅଧରୁ ଲାଇନ୍ ଲଗାଇଥିଲେ ଭକ୍ତ । 


ଭଦ୍ରକର ପ୍ରସିଦ୍ଧ ଆରଡ଼ି ପୀଠରେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମନ୍ଦିରର ଉନ୍ନତି ପାଇଁ ୧୦ କୋଟି ଟଙ୍କା ଘୋଷଣା କରିଛନ୍ତି ଉପମୁଖ୍ୟମ । ସାଙ୍ଗରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ବି ପୀଠରେ ବାବାଙ୍କ ଦର୍ଶନ କରିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜଧାନୀର ଆରାଧ୍ୟ ତଥା ଏକାମ୍ର କ୍ଷେତ୍ରର ଅଧୀଶ୍ବର ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପରିସରରେ ମହାଶିବରାତ୍ରି ପାଇଁ ଲାଗିଛି ପ୍ରବଳ ଗହଳି । ଭୋର ୩ଟା ସମୟରେ ଖୋଲିଥିଲା ପ୍ରଭୁ ଲିଙ୍ଗରାଜଙ୍କ ପହଡ଼ । ଦ୍ବାରଫିଟା, ମଙ୍ଗଳ ଆଳତୀ ଓ ଅବକାଶ ନୀତି ପରେ ପୂର୍ବାହ୍ନ ୧୧ଟା ଯାଏ ସାହାଣମେଲା ଦର୍ଶନ ଚାଲିଥିଲା । ଦିନ ତମାମ ସମସ୍ତ ନୀତିକାନ୍ତି ସଠିକ୍ ସମୟରେ ଶେଷ ହୋଇଥିବା ବେଳେ, ରାତି ୧୦ଟାରେ ମନ୍ଦିର ଚୂଡାକୁ ଉଠିବ ମହାଦୀପ‌ ।


ଐତିହାସିକ କୁମୁଡ଼ା ପାହାଡ଼ ଗୁମ୍ଫାରେ ବିଦ୍ୟମାନ ବାବା ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କ ମହାଶିବରାତ୍ର ନେଇ ଟିଟିଲାଗଡ଼ ଚଳଚଞ୍ଚଳ । ମନ୍ଦିରରେ ରୀତିନୀତି ମୁତାବକ ବାବା ଧବଳେଶ୍ୱରଙ୍କ ପୀଠରେ ପୂଜାର୍ଚନ ଚାଲିଛି । ବିଧାୟକ ନବୀନ ଜୈନ ମନ୍ଦିରରେ ବାବାଙ୍କ ଦର୍ଶନ କରିବା ସହ ଶୃଙ୍ଖଳିତ ଦର୍ଶନର ସମୀକ୍ଷା କରିଛନ୍ତି । ଯାଜପୁରର ମହାବିନାୟକଙ୍କ ଦର୍ଶନ କରିଛନ୍ତି ବଡ଼ଚଣା ବିଧାୟକ । ବିଧାୟକ ଅମର କୁମାର ନାୟକ ସପତ୍ନୀକ ବାବାଙ୍କ ଦର୍ଶନ କରିଛନ୍ତି । ବଡ଼ଚଣା ବାସୀଙ୍କ ମଙ୍ଗଳ କାମନା କରିବା ସହ ପବିତ୍ର ପଞ୍ଚଦେବଙ୍କ ପୂଜାର୍ଚ୍ଚନା କରି କୃପା ଲାଭ କରିଛନ୍ତି ।


ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଧିନରେ ଥିବା ଝୀଙ୍କେଶ୍ୱର ପୀଠରେ ଦେବ ଦେବ ମହାଦେବଙ୍କ ଦର୍ଶନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । କୁହାଯାଏ ଏଠି ମହାଦେବ ପାତାଳରୁ ବାହାରିଛନ୍ତି । ତେଣୁ ସେ ପାତାଳି ମହାଦେବ । ଢେଙ୍କାନାଳ ଜିଲ୍ଲା ପ୍ରସିଦ୍ଧ ଶୈବପୀଠ କପିଳାସରେ ଶ୍ରଦ୍ଧାଳୁଙ୍କ ଭିଡ଼ ଧିରେ ଧିରେ ବଢିବାରେ ଲାଗିଛି । ହରିବୋଲ ହୁଳହୁଳିରେ କମ୍ପୁଛି ଗଗନ ପବନ । ଶ୍ରଦ୍ଧାଳୁ ମାନେ ନିଜର ମାନସିକ ନେଇ ବାବାଙ୍କ ନିକଟରେ ଜାଗର ଜାଳୁଛନ୍ତି ।


ଓଡ଼ିଶାର ଆଦି ହିମାଳୟ, ପବିତ୍ର ତପସ୍ଥଳୀରେ ଦୁଇ ମନ୍ତ୍ରୀ । ମନ୍ତ୍ରୀ ବିଭୁତି ଭୂଷଣ ଜେନା ଓ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମହେନ୍ଦ୍ରଗିରିରେ ଭୋଳାବାବାଙ୍କ ଦର୍ଶନ କରିଛନ୍ତି । ସେହିଭଳି ନୟାଗଡ଼ର ପ୍ରସିଦ୍ଧ ଶୈବପୀଠ ଶରଣକୁଳର ବାବା ଲଡ଼ୁବାବାଙ୍କ ପୀଠରେ ଲାଗିଛି ଭକ୍ତଙ୍କ ଭିଡ଼ l ଭକ୍ତଙ୍କ ଦର୍ଶନ ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି l ମହାଶିବରାତ୍ରିରେ ବାବା ଲଡ଼ୁବାବାଙ୍କ ଦର୍ଶନ କରିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର ।


ମହାଶିବରାତ୍ରି ପାଇଁ 'X'ରେ ପୋଷ୍ଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିଜ ସୋସିଆଲ୍ ମିଡିଆରେ ମହାଶିବରାତ୍ରିର ଶୁଭ କାମନା ଜଣାଇଛନ୍ତି ।

Mahashivratri Celebrations In Odisha | Argus News