Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Makar Sankranti Significance / ରାଜ୍ୟବାସୀଙ୍କର ବଡ଼ ପର୍ବ 'ମକର' ସଂକ୍ରାନ୍ତି, ଛୋଟ ହେବ ଦିନ ବଡ ହେବ ରାତି

Ritu Das
Browse all articles by Ritu Das
·6 months ago·2 min read
ରାଜ୍ୟବାସୀଙ୍କର ବଡ଼ ପର୍ବ 'ମକର' ସଂକ୍ରାନ୍ତି, ଛୋଟ ହେବ ଦିନ ବଡ ହେବ ରାତି
india

Key Points

ସୂର୍ଯ୍ୟ ଉତ୍ତର ଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରୁଥିବାରୁ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ, ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଏହି ସମୟରେ ଅନୁଷ୍ଠିତ ହୋଇଥାଏ। ଖାଲି ସେତିକି ନୁହେଁ, ମକର ସଂକ୍ରାନ୍ତି ଓଡ଼ିଆମାନଙ୍କ ପାଇଁ ବନ୍ଧୁତ୍ବର ଦିନ।
ସରିଲା ଦିନ ଛୋଟ ଓ ରାତି ବଡ଼ର ଋତୁ। ମକର ସଂକ୍ରାନ୍ତି ଠାରୁ ଦିନ ବଡ଼ ଓ ରାତି ଛୋଟ ହେବା ପ୍ରକ୍ରିୟା ଆରମ୍ଭ ହୋଇଯିବ। ଓଡ଼ିଆରେ ଏକ କଥା ଅଛି, ‘ମକରଠାରୁ ଦିନ ହୁଏ ବକର’। ଅର୍ଥାତ ଏହି ତିଥି ଠାରୁ ଦିନ କ୍ରମଶଃ ବଡ଼ ହୁଏ। ମକରଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଯାଉଥିବାରୁ ଖରା ଧୀରେ ଧୀରେ ପ୍ରଖର ହୁଏ।

ସୂର୍ଯ୍ୟ ଉତ୍ତର ଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରୁଥିବାରୁ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ, ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଏହି ସମୟରେ ଅନୁଷ୍ଠିତ ହୋଇଥାଏ। ଖାଲି ସେତିକି ନୁହେଁ, ମକର ସଂକ୍ରାନ୍ତି ଓଡ଼ିଆମାନଙ୍କ ପାଇଁ ବନ୍ଧୁତ୍ବର ଦିନ। ଏହି ଦିନ ପରସ୍ପରକୁ ‘ମକର ଚକଟା’ ଖୁଆଇ, ମକର ବସି ସମ୍ପର୍କର ସେତୁ ମଜବୁତ କରନ୍ତି ଆମ କିଶୋର-କିଶୋରୀ ଓ ତରୁଣ ତରୁଣୀ।ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆ ଫସଲ ଅମଳ ହୋଇଥାଏ।

ଏଣୁ ଏହି ଦିନ ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ନୂଆଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଓ ଗୋଲ୍ମରିଚ ଗୁଣ୍ଡ ଇତ୍ୟାଦି ଚକଟା ହୋଇ ଏକ ସୁମିଷ୍ଟ ଭୋଗ ପ୍ରସ୍ତୁତ କରାଯାଏ। ଏହି ଚକଟାକୁ ଗୃହଦେବତାଙ୍କୁ ଓ ଧାନଖଳାରେ ଭୋଗ ଲଗାଯାଏ। ଏହା ‘ମକର ଚାଉଳ’ ଭାବେ ପରିଚିତ। ଏହି ଭୋଗ ପରସ୍ପରକୁ ଖୁଆଖୋଇ ହୋଇ ପୁଅ/ଝିଅମାନେ ‘ମକର’ ବସନ୍ତି। ପୁରୀ ଶ୍ରୀମନ୍ଦିରରେ ଏହି ଦିନଟିରେ ମା’ ଲକ୍ଷ୍ମୀ ବାପଘର ବରୁଣାଳୟରୁ ଫେରନ୍ତି। ଏହିଦିନ ଘରେ ଘରେ ଖେଚୁଡ଼ି, ରାଶିଜାଉ, ବାଦାମଜାଉ, ମଣ୍ଡା କାକରା ଓ କ୍ଷୀରି ଇତ୍ୟାଦି ସହ ମକର ଚାଉଳ ପ୍ରସ୍ତୁତ ହୁଏ। ଖେଚୁଡ଼ି ଖିଆ ଓ ଗୁଡ଼ିଉଡ଼ା ଏହି ପର୍ବର ଅନ୍ୟ ଏକ ସୁଖଦ ଅନୁଭୂତି।

ବୁଧବାର ଶ୍ରୀମନ୍ଦିରରେ ସମ୍ପନ୍ନ ହେବ ପବିତ୍ର ମକର ସଂକ୍ରାନ୍ତି ପର୍ବ । ଏଣୁ ମଙ୍ଗଳବାର ଅପରାହ୍ଣରେ ଆଲାମଚଣ୍ଡୀ ମନ୍ଦିରରୁ ପଟୁଆରରେ ବଡ଼ଦେଉଳରେ ପହଞ୍ଚିଛି ମକର ତାଡ଼ । ଏଥିସହ ଠାକୁରଙ୍କ ସନ୍ଧ୍ୟାଧୂପ ଓ ଚନ୍ଦନଲାଗି ସରିବାରେ ଚାଉଳ ମେଲାଣ ଓ ଅଧିବାସ ନୀତି ସମ୍ପନ୍ନ ହୋଇଛି । ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ । ଠାକୁରଙ୍କୁ ମକର ଚାଉଳ ଓ ଧନୁମୁଆଁ ଭୋଗ ଅର୍ପଣ କରାଯିବ । ଘଣ୍ଟ ଛତାର ପଟୁଆରରେ ମକରବେଢା ଅନୁଷ୍ଠିତ ହେବ ।

ସଂକ୍ରାନ୍ତିରେ ମହାପ୍ରଭୁଙ୍କ ଅବକାଶ ନୀତି ବଢ଼ିଲେ ମହାପ୍ରଭୁଙ୍କ ବେଶ ଅନୁଷ୍ଠିତ ହେବ । ସକାଳ ଧୂପ ସରି ମହାସ୍ନାନ ନୀତି ହେବ । ଠାକୁରେ ନୂଆ ଲୁଗା, ଚୂଳମାଳ ଓ ୬ମୂର୍ତ୍ତି ଅଳଙ୍କାର ଲାଗି ହୋଇ ସ୍ୱତନ୍ତ୍ର ବେଶରେ ବିଭୂଷିତ ହେବେ । ଦ୍ୱିପହର ଧୂପରେ ରୋଷ ଘରୁ ଘଣ୍ଟା, ଛତି ଓ କାହାଳୀର ପଟୁଆରରେ ଯାତ୍ରା ଭୋଗ ଆସିବ । ଷୋଡ଼ଶ ଉପଚାରରେ ଶ୍ରୀବିଗ୍ରହଙ୍କୁ ମଣୋହି କରାଯିବ । ପରେ ଘଣ୍ଟଛତା ସହ ମକର ବେଢ଼ା, ଭୋଗ ଓ ବନ୍ଦାପନା ନୀତି ଅନୁଷ୍ଠିତ ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Makar Sankranti 2026: Auspicious Festival Marks Seasonal Change in India | Argus News