ନିର୍ବାଚନ ପାଇଁ ମିଛ କହିଥିଲେ ନବୀନ ?

Key Points
- ନିର୍ବାଚନ ପାଇଁ ମିଛ କହିଥିଲେ ନବୀନ ?
- କୁଆଡ଼େ ଗଲା ମାଲକାନଗିରିର ବିମାନବନ୍ଦର ?
- ଉଦଘାଟନ ତ ହେଲା, କାର୍ଯ୍ୟକ୍ଷମ କେବେ ?
ଅର୍ଗସ ବ୍ୟୁରୋ : ସ୍ଵପ୍ନ ଦେଖାଇବେରେ ମାହିର ଥିଲା ବିଜେଡି ସରକାର । ଭୋଟ୍ ଆସିବା ପୂର୍ବରୁ ଲୋକଙ୍କୁ ଏମିତି ବିକାଶର ମାୟା ଜାଲରେ ଛନ୍ଦି ଦେଉଥିଲା ଯେ ସାଧାରଣ ଲୋକ କିଛି ବୁଝିପାରୁନଥିଲେ । ଭାବୁଥିଲେ ଏଥର ଭୋଟ୍ ଦେଲେ ପୁଣି କିଛି ନୂଆ ବିକାଶ ଦେଖିବାକୁ ମିଳିବ । ହେଲେ ଭୋଟ୍ ନେବା ପରେ ଯୋଜନା ଯୋଜନା ବାଟରେ, ସରକାର ସରକାର ବାଟରେ ରହିଯିବା ପରି ଦେଖାଯାଉଥିଲା । ଖାସ କରି ବିଚ୍ଛିନ୍ନାଚଂଳ କୁହାଯାଉଥିବା ମାଲକାନଗିରିକୁ ଭୁବନେଶ୍ଵର ସହିତ ଆକାଶ ପଥରେ ଯୋଡ଼ିବାକୁ ମାଲକାନଗିରିରେ ବିମାନବନ୍ଦର କରିଥିଲା ତତ୍କାଳୀନ ବିଜେଡି ସରକାର । ତାହାକୁ ପୁଣି ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ଦୁର୍ଭାଗ୍ୟର କଥା ଏଯାଏଁ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ ବିମାନବନ୍ଦର । ଯାଗାକୁ ନେଇ ଚର୍ଚ୍ଚା ଜୋର ।
୯ ଜାନୁଆରୀ ୨୦୨୪ । ସାଧାରଣ ନିର୍ବାଚନର ମାସ କେଇଟା ପୂର୍ବରୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରିରେ ଏ ବିମାନ ବନ୍ଦରର ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଚାର କରାଗଲା ରୂପାନ୍ତର ଯାତ୍ରାରେ ଆଉ ଏକ ପାଦ ଆଗେଇଲା ମାଲକାନଗିରି । ଆକାଶ ପଥରେ ଯୋଡ଼ି ହୋଇ ଇତିହାସ ରଚିଲା ମାଲକାନଗିରି । କିନ୍ତୁ ଉଦଘାଟନ ପରେ ନା ଏ ବିମାନ ବନ୍ଦର କାର୍ଯ୍ୟକ୍ଷମ ହେଲା ନା କାର୍ଯ୍ୟକ୍ଷମ କରିବା ଅବସ୍ଥାରେ ଥିଲା।
RTI ରୁ ମିଳିଥିବା ସୂଚନା ଅନୁସାରେ, ମାଲକାନଗିରି ବିମାନ ବନ୍ଦରକୁ ନଥିଲା DGCA ଅନୁମତି । କେବଳ ରାଜ୍ୟର ୪ଟି ବିମାନ ବନ୍ଦର ଭୁବନେଶ୍ଵର, ରାଉରକେଲା, ଜୟପୁର, ଉତ୍କେଲା ଏୟାରପୋର୍ଟକୁ ହିଁ DGCAର ଅନୁମତି ରହିଛି । ତେବେ ବିନା ଅନୁମତିରେ କେମିତି ଏ ସବୁ ଏୟାରପୋର୍ଟ ତିଆରି ହେଲା ? ତାହାକୁ ନେଇ ଏବେ ପ୍ରଶ୍ନ । ଖାଲି ଏତିକି ନୁହେଁ ବରଂ କାହିଁକି ଲୋକଙ୍କୁ ମିଛ କହି ଭୋଟ୍ ରାଜନୀତି କଲେ ତାହା ବି ପ୍ରଶ୍ନ ଘେରରେ ।
📱 Get Argus News App
✨ସୂଚନା ଅନୁସାରେ, ୨୩୩ ଏକର ପରିବ୍ୟାପ୍ତ ଅଞ୍ଚଳର ବିମାନ ବନ୍ଦର, ୧୬୨୦ ମିଟର ଦୀର୍ଘ ରନୱେ ନିର୍ମାଣ କରାଯାଇଥିବା କୁହାଗଲା । ରାଜକୋଷରୁ ୭୦ କୋଟି ଟଙ୍କା ଖର୍ଚ୍ଚ ବି ହେଲା । ଉଦଘାଟନ ହେବା ପରେ ନବୀନ କହିଥିଲେ, ମାଲକାନଗିରିକୁ ଆକାଶପଥରେ ସଂଯୋଗ ଦ୍ଵାରା ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ଯୋଗାଯୋଗ, ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିବ । କିନ୍ତୁ DGCA ଅନୁମତି ନାହିଁ କି ବିମାନ ଚଳାଚଳ କରିପାରିବ ନାହିଁ ଜାଣିବା ପରେ ବି ମୁହଁ ଫିଟାଇନଥିଲେ ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା, ନିର୍ବାଚନ ପୂର୍ବରୁ ଯୋଜନା ପରେ ଯୋଜନା କରିବାରେ ବ୍ୟସ୍ତ ଥିଲେ ନବୀନ ବାବୁ । ଏନେଇ ରାଜ୍ୟ ରାଜକୋଷରୁ କୋଟି କୋଟ ଖର୍ଚ୍ଚ ବି ହେଉଥିଲା । ହେଲେ ଏବେ ସରକାର ବଦଳିବା ପରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସୁଛି ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
