Banda Ghati: ବଣ୍ଡା ଘାଟି ଯାଇ ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢ଼ାଇଲେ ଜିଲ୍ଲାପାଳ

Key Points
ସପ୍ତମ ଏବଂ ଅଷ୍ଟମ ଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଥିଲେ ଜିଲ୍ଲାପାଳ । ପଚାରି ବୁଝିଥିଲେ, କେମିତି ବିଦ୍ୟାଳୟରେ ଚାଲିଛି ପାଠପଢ଼ା ।
ଚିତ୍ରକୋଣ୍ଡା (ମାଲକାନଗିରି): ଉପାନ୍ତରେ କେମିତି ଚାଲିଛି ଶିକ୍ଷାଦାନ ? ଶିକ୍ଷକ ବିଦ୍ୟାଳୟ ଆସି ପାଠ ପଢ଼ାଉଛନ୍ତି ନା କେବଳ ଉପସ୍ଥାନ ପକାଇ ପଳାଉଛନ୍ତି ? କ୍ଷେତ୍ରରେ ସ୍ଥିତି ପରଖିବା ସହ ପିଲାମାନଙ୍କ ସହ ମିଶିଛନ୍ତି ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ । ବିଦ୍ୟାଳୟ ବୁଲିବା ସହ ପିଲାଙ୍କୁ ପାଠ ପଢ଼ାଇ ସଭିଁଙ୍କ ମନ ଜିଣିଛନ୍ତି ।
ବୁଧବାର ଖଇରପୁଟ ବ୍ଲକ ସ୍ଥିତ ବଣ୍ଡାଘାଟି ଅଞ୍ଚଳର ଅଣ୍ଡରାହାଲ ଓ ମୁଦୁଲିପଡ଼ା ଗସ୍ତ କରିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ । ଏହି ଗସ୍ତ ସମୟରେ ଜିଲ୍ଲାପାଳ ମୁଦୁଲିପଡ଼ା ଠାରେ ଥିବା ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ସେଠାରେ ସପ୍ତମ ଏବଂ ଅଷ୍ଟମ ଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଥିଲେ ଜିଲ୍ଲାପାଳ । ପଚାରି ବୁଝିଥିଲେ, କେମିତି ବିଦ୍ୟାଳୟରେ ଚାଲିଛି ପାଠପଢ଼ା ।
ସପ୍ତମ ଏବଂ ଅଷ୍ଟମ ଛାତ୍ରୀଙ୍କୁ ଇଂରାଜୀ ଓ ସଂସ୍କୃତ ପଢ଼ାଇବା ସହ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଜିଲ୍ଲାପାଳ । ବାଳିକାମାନଙ୍କୁ ଇଂରାଜୀ ବହି ଧରି ପଢ଼ିବା ପାଇଁ କହିବା ସହ ଛାତ୍ରୀମାନଙ୍କୁ କଷ୍ଟ ଇଂରାଜୀ ଶବ୍ଦଟିକୁ ନିଜେ ଜିଲ୍ଲାପାଳ ଉଚ୍ଚାରଣ କରି ବୁଝାଇଥିଲେ । ଏହାସହ ମୁଦୁଲିପଡ଼ା ଠାରେ ଥିବା ଏସଏସଡି ବାଳିକା ଓ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ କଥା ହୋଇ ସେମାନଙ୍କର ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ ।