ସାଂସଦ ବିଜେଡିର କିନ୍ତୁ ହାତପାଣ୍ଠି ଟଙ୍କା ଖର୍ଚ୍ଚ କରିବାକୁ ନଥିଲା ଅନୁମତି ?

Key Points
- ସାଂସଦ ବିଜେଡିର
- କିନ୍ତୁ ହାତପାଣ୍ଠି ଟଙ୍କା ଖର୍ଚ୍ଚ କରିବାକୁ ନଥିଲା ଅନୁମତି ?
- ସବୁ ସାଂସଦଙ୍କ ପାଣ୍ଠି ଖର୍ଚ୍ଚ ହେଉଥିଲା ଯାଜପୁରରେ !
ଅର୍ଗସ ବ୍ୟୁରୋ : ଗୁମର ଖୋଲିଲା ବିଜେଡି ସାଂସଦଙ୍କର । କେମିତି ଜନପ୍ରତିନିଧି ଭାବରେ ନିର୍ବାଚିତ ହୋଇଥିବା ପରେ ବି ହାତପାଣ୍ଠି ଖର୍ଚ୍ଚ ଉପରେ ରୋକ ଲାଗିଥିଲା ତାହା ଏବେ ସ୍ପଷ୍ଟ ହୋଇଛି । ସଜସଜ ରାଜ୍ୟସଭା ସାଂସଦରୁ ଇସ୍ତଫା ଦେବା ସହିତ ବିଜେଡି ଛାଡିଥିବା ମମତା ମହାନ୍ତ ଏନେଇ ଗୁମର ଖୋଲିଛନ୍ତି । କାରଣ ଯାଜପୁରରେ କେମିତି ଏତେ ମାତ୍ରାରେ ଏମପିଙ୍କ ଲ୍ୟାଡ୍ ଫଣ୍ଡ ଖର୍ଚ୍ଚ ହେଲା ତାହାକୁ ନେଇ ଚର୍ଚ୍ଚା ଚାଲିଛି ।
ମିଛ କହିନାହାନ୍ତି ମମତା । ଯାହା ସତ ସେଇୟା ହିଁ କହିଥିଲେ । କାରଣ ନିଜ ଇଚ୍ଛାରେ ଟଙ୍କାଟିଏ ବି ଖର୍ଚ୍ଚ କରିପାରୁନଥିଲେ ମମତା । ଖାଲି ମମତା କାହିଁକି ? ବରଂ ଦଳର କୌଣସି ସାଂସଦ ନିଜ ଇଚ୍ଛାରେ ଟଙ୍କାଟିଏ ବି ଖର୍ଚ୍ଚ କରିପାରୁନଥିଲେ । କାରଣ ସେମାନେ ନିର୍ବାଚିତ ଜନପ୍ରତିନିଧୀ ଥିଲେ ସତ ହେଲେ ସ୍ଵାଧୀନତା ନଥିଲା । ଦଳର ମୁଣ୍ଡି ନେତାଙ୍କ କଥାରେ ସେମାନେ ଉଠବସ ହେଉଥିଲେ । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଏହା ପ୍ରମାଣ କରୁଛି । କେବଳ ମମତାଙ୍କ ସାଂସଦ ପାଣ୍ଠି ଖର୍ଚ୍ଚ ହେଉନଥିଲା ଯାଜପୁର ଜିଲ୍ଲାରେ । ୪ ବର୍ଷରେ ୧୧ ସାଂସଦ ଯାଜପୁରରେ ଖର୍ଚ୍ଚ କରିଛନ୍ତି ୧୩ କୋଟି ଟଙ୍କାର ସାଂସଦ ପାଣ୍ଠି ।
୨୦୨୧-୨୨ରେ ବିଜେଡି ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ସାଂସଦ ପାଣ୍ଠିରୁ ବିଦ୍ୟାଳୟର ଶ୍ରେଣୀଗୃହ ନିର୍ମାଣ ପାଇଁ ୩ଟି କିସ୍ତିରେ ଯାଜପୁର ବିଡିଓଙ୍କ ନାଁରେ ମଞ୍ଜୁର ହୋଇଛି ୨୫ ଲକ୍ଷ ଟଙ୍କା । ସେହିପରି ସାସଂଦ ମୁଜିବୁଲ୍ଲା ଖାଁ ଓରଫ ମୁନ୍ନା ଖାଁ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ସୁବାସ ସିଂଙ୍କ ସାଂସଦ ପାଣ୍ଠିରୁ ବି ଯାଜପୁର ବିଡିଓଙ୍କ ନାଁରେ ମଞ୍ଜରୁ ହୋଇଛି ଟଙ୍କା । କେବଳ ଏହି ୩ ସାଂସଦ ନୁହନ୍ତି ୨୦୧୯-୨୦ରେ ବିଜେଡି ସାଂସଦ ସସ୍ମିତ ପାତ୍ର, ପୂର୍ବତନ ସାଂସଦ ନରେନ୍ଦ୍ର କୁମାର ସ୍ଵାଇଁ, ଭାସ୍କର ରାଓ, ଅମର ପଟ୍ଟନାୟକ ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ ସାସଂଦ ପାଣ୍ଠିରୁ ବି ଯାଜପୁରର ବିଭିନ୍ନ ପ୍ରକଳ୍ପ ପାଇଁ ଯାଜପୁର ବିଡିଓଙ୍କ ନାଁରେ ମଞ୍ଜରୁ ହୋଇଛି କୋଟି କୋଟି ଟଙ୍କା। ସେହପିର ୨୦୨୨-୨୩ରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସୁଲତା ଦେଓଙ୍କ ସାସଂଦ ପାଣ୍ଠିରୁ ଯାଜପୁର ବ୍ଲକ୍ ପାଇଁ ମଞ୍ଜୁର ହୋଇଛି ଅର୍ଥ । ଯାହା ଜଣାପଡ଼ିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି ।
📱 Get Argus News App
✨ଓଡ଼ିଶାରେ ୧୪୭ ବିଧାନସଭା ରହିଛି । ସବୁଠି ନିର୍ବାଚିତ ପ୍ରତିନିଧି ବି ଅଛନ୍ତି । ହେଲେ କେବଳ ଯାଜପୁରରେ ସାଂସଦମାନେ ଯେଉଁ ପରି ଭାବରେ ହାତପାଣ୍ଠି ଖର୍ଚ୍ଚ କରିଛି ତାହାକୁ ନେଇ ଚର୍ଚ୍ଚା ବଢିଛି । କଥା ହେଲା, ଯାଜପୁର ହେଉଛି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଓରଫ ବବି ଦାସଙ୍କ ନିର୍ବାଚନ ମଣ୍ଡଳୀ । ଆଉ ମମତା ମହନ୍ତ କହିଥିଲେ, ବବି ଦାସଙ୍କ କହିବା ଅନୁସାରେ ସେ ଖର୍ଚ୍ଚ କରୁଥିଲେ ନିଜ ସାଂସଦ ପାଣ୍ଠି । ବବି ଯେଉଁ ପ୍ରକଳ୍ପ ପାଇଁ ସାସଂଦ ପାଣ୍ଠିରୁ ଅନୁଦାନ ଦେବାକୁ ନିର୍ଦ୍ଦେଶ ଦେଉଥିଲେ ସେଥିରେ ଦସ୍ତଖତ କରୁଥିଲେ ମମତା । କଥା ହେଲା, ବିଜେଡି ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । ଅର୍ଥାତ୍ କେତେବେଳେ କଣ ହେଉଛି ତାହା କାହାକୁ ବି ଜଣାନାହିଁ । ହେଲେ ମମତା ଇସ୍ତଫା ଦେବା ପରେ ଯେଉଁ ସଙ୍ଗୀନ ଓ ଗହନ କଥା କହିଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ ବିଜେଡି ରାଜନୀତିରେ ପଂକ ପ୍ରବଳ ।
