ଅଜବ ମଣିଷ ! ଖେଳୁଥିଲେ ସାପ, ତାଙ୍କୁ ଧରିଲା ବୋଲି କାମୁଡ଼ା ଖାଇଲା; ତାପରେ ରାଗି କି...

ଖେଳୁଥିବା ସାପକୁ ଧରିଲେ, ସେ କାମୁଡ଼ିଲା ବୋଲି ରାଗିଗଲେ । ତାପରେ କଚାଡ଼ିକି ମାରିଦେଲେ । ପୁଣି ସାପକୁ ଧରି ମେଡିକାଲ ଗଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉଦଳାରେ ।
ଉଦଳା ଥାନା ନାଗପାଳ ଗ୍ରାମର ଅଜିତ କର୍ମକାର ଗତକାଲି ସନ୍ଧ୍ୟାରେ ଘର ପାଖରେ ଦୁଇ ଗୋଟି ସାପ ଖେଳୁଥିବା ଦେଖିଥିଲେ । ହଠାତ୍ ତାଙ୍କର କ'ଣ ମନ ହେଲା, ଗୋଟିଏ ସାପକୁ ଯାଇ ସେ ଧରିଥିଲେ । ଏହାପରେ ଧରିଥିବା ସାପଟି ତାଙ୍କୁ ୩ ରୁ ୪ ଥର କାମୁଡିଥିଲା। ଯାହାଫଳରେ ଅଜିତ ଭୀଷଣ ରାଗି ଯାଇଥିଲେ । ଆଉ ଉକ୍ତ ନାଗ ସାପକୁ ସେଠାରେ କଚାଡ଼ି ମାରିଥିଲେ ଏବଂ ମାରିଥିବା ସାପକୁ ସାଙ୍ଗରେ ଧରି ପହଞ୍ଚିଥିଲେ ଉଦଳା ମେଡିକାଲରେ।
ତେବେ ସାପକୁ ଚିହ୍ନଟ କରି ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା । ହେଲେ ତାଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ବାରିପଦା ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା। ସେ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି । ତେବେ ତାଙ୍କର ଏଭଳି ଆଚାରଣ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ସାପ ଖେଳୁଥିବା ବେଳେ ଯୁବକ ଜଣକ କାହିଁକି ଯାଇ ସାପକୁ ଧରିଲେ ।