Videos
|
Odisha

Manikagoda Dussehra / ମାଣିକାଗୋଡ଼ା ଦଶହରାର ନିଆରା ପରମ୍ପରା, ଅପରାଜିତା ହୋମରେ କର୍ତ୍ତା ସାଜନ୍ତି ମୁସଲମାନ

Ritu Das
Browse all articles by Ritu Das
·33 mins ago·3 min read
ମାଣିକାଗୋଡ଼ା ଦଶହରାର ନିଆରା ପରମ୍ପରା, ଅପରାଜିତା ହୋମରେ କର୍ତ୍ତା ସାଜନ୍ତି ମୁସଲମାନ
India

Key Points

ମାଣିକାଗୋଡ଼ାରେ ଦଶହରା ପର୍ବରେ ହିନ୍ଦୁ-ମୁସଲମାନ ଏକାଠି ହୋଇ ଭାଇଚାରା ଓ ସାମ୍ପ୍ରଦାୟିକ ସଦଭାବର ନିଆରା ଉଦାହରଣ ସୃଷ୍ଟି କରନ୍ତି
ଧର୍ମ ଅଲଗା, କିନ୍ତୁ ହୃଦୟ ଏକ। ପରମ୍ପରା ଅଲଗା ନୁହେଁ ବରଂ ଭାଇଚାରାର ଡୋରିରେ ସମସ୍ତେ ବନ୍ଧା । ହିନ୍ଦୁ ମୁସଲମାନ ଏକତା ଓ ସାମ୍ପ୍ରଦାୟିକ ସଦଭାବର ଏପରି ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳେ ଖୋରଧା ଜିଲ୍ଲା ବୋଲଗଡ଼ ବ୍ଲକର ମାଣିକାଗୋଡ଼ା ଗ୍ରାମରେ । ଏଠାକାର ଦଶହରା ପର୍ବ କେବଳ ଏକ ଧାର୍ମିକ ଉତ୍ସବ ନୁହେଁ ବରଂ ବର୍ଷ ବର୍ଷ ଧରି ଚାଲିଆସୁଥିବା ଭାଇଚାରା ଓ ମାନବିକତାର ଏକ ଜୀବନ୍ତ ପ୍ରତୀକ ।

ଭାଇଚାରା ଓ ପ୍ରୀତିର ନିଆରା ବାର୍ତ୍ତା ବାଣ୍ଟିଥାଏ। ଏଠାରେ ହିନ୍ଦୁ ଓ ମୁସଲମାନ ମିଳିତ ହୋଇ ଏହି ପର୍ବ ପାଳନ କରିଥାନ୍ତି। ଏହି ପରମ୍ପରା ରାଜାରାଜୁଡା ଅମଳରୁ, ଷୋଡଶ ଶତାବ୍ଦୀର ଶେଷ ଭାଗରୁ ଚାଲିଆସିଛି ବୋଲି କୁହାଯାଏ। ମାଣିକାଗୋଡ଼ାରେ ଦଶହରା ପର୍ବ ଚାରିଦିନ ଧରି ପାରମ୍ପରିକ ରୀତିନୀତିରେ ପାଳନ କରାଯାଏ । ଏହି ପର୍ବର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ମାଙ୍କ ପୂଜାରେ ବ୍ରାହ୍ମଣ ପୂଜାର୍ଚ୍ଚନା କରୁଥିବା ବେଳେ ଅପରାଜିତା ହୋମରେ ମୁସଲମାନ ସମ୍ପ୍ରଦାୟର ଦଳବେହେରା କର୍ତ୍ତା ସାଜି କୁଶ ବଟୁ ଧାରଣ କରି ଆହୁତି ପ୍ରଦାନ କରନ୍ତି।

ପାରମ୍ପାରିକ ବିଧି ଅନୁଯାୟୀ ଶାରଦୀୟ ଦୁର୍ଗାପୂଜାର ସପ୍ତମୀ ତିଥିରେ ମା ଭଗବତୀଙ୍କ ପୀଠ ସମ୍ମୁଖ ମଣ୍ଡପରେ ଗଜପତିଙ୍କ ପ୍ରଦତ୍ତ ଦଳବେହେରାଙ୍କ ଖଡଗ, କୋଠକରଣଙ୍କ ଲେଖନୀ ଓ ତାଳପତ୍ର, ମହିଷାମର୍ଦ୍ଦିନୀଙ୍କ ଅଷ୍ଟଧାତୁ ନିର୍ମିତ ବିରାଟ କଟୁରୀ ଏବଂ ଦିବ୍ୟସିଂହପୁର ଗ୍ରାମର କନକଦୁର୍ଗାଙ୍କୁ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଏ । ଦଶହରା ଦିନ ପୂର୍ବାହ୍ନରେ ମାନସିକଧାରୀମାନେ ମାଙ୍କ ନିକଟରେ ନୈବେଦ୍ୟ ଅର୍ପଣ କରନ୍ତି। ସନ୍ଧ୍ୟାରେ ପଟୁଆରରେ ମାଣିକଭୂୟାଁ ଠାକୁରାଣୀଙ୍କ ବିଜୟା ଦଶମୀ ବିଜେ ପ୍ରତିମା ମାଳିସାହି, ଦିବ୍ୟସିଂହପୁର ଓ କଳାଙ୍ଗ ମଧ୍ୟବର୍ତ୍ତୀ ତ୍ରିଛକିରେ ଅବସ୍ଥିତ ସୋମନାଥ ଦେବଙ୍କ ମନ୍ଦିର ନିକଟରେ ପହଞ୍ଚନ୍ତି । ସେଠାରେ ପାରମ୍ପାରିକ ରୀତିନୀତିରେ ଅନୁଷ୍ଠିତ ହୁଏ ଅପରାଜିତା ହୋମ ।

ଏ ସମ୍ପର୍କରେ ମୁସଲମାନ ଦଳବେହେରା ଶେଖ ଅନିଶୁର ରେହମାନ କହିଛନ୍ତି ମୁଁ ପ୍ରଥମ ଥର ମା କନକ ଦୁର୍ଗାଙ୍କ ଅପରାଜିତା ହୋମରେ ଦଳବେହେରା ସାଜି ବସିବି । ଇଏ ଏକ ନିଆରା ପରମ୍ପରା ଯାହା ଭାଇଚାରାର ବାର୍ତ୍ତା ପ୍ରଦାନ କରେ ସମାଜକୁ । ଏହାକୁ ଆମେ ସମସ୍ତେ ବେଶ୍ ଧୂମଧାମରେ ପାଳନ କରୁ। ସେହିପରି ଗ୍ରାମବାସୀ ଶେଖ ଇମ୍ରାନ ନୱାଜ କହିଛନ୍ତି ଆମ ଗାଁର ଏ ପର୍ବ ବିଶ୍ୱ ବିଖ୍ୟାତ । ଆମ ଗାଁରେ ଜାତି ଭେଦଭାବ ନାହିଁ । ହିନ୍ଦୁ ମୁସଲିମ ଆମେ ସମସ୍ତେ ମିଳିମିଶି ଏ ଦଶହରା ପର୍ବକୁ ବେସ ଆନନ୍ଦରେ ପାଳନ କରୁ । ଆମ ଗ୍ରାମରେ ମନ୍ଦିର ଆଉ ମସଜିଦ ଲାଗି ଲାଗି ରହିଛି । ମା କନକ ଦୁର୍ଗାଙ୍କ କୃପା ଏ ଗ୍ରାମ ପ୍ରତି ରହିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅପରାଜିତା ହୋମ ମାଣିକାଗୋଡ଼ା ଦଶହରାର ଏକ ପ୍ରମୁଖ ଆକର୍ଷଣ । ଏଠାରେ ହିନ୍ଦୁ ପୁରୋହିତଙ୍କ ସହ ମୁସଲମାନ ଦଳବେହେରା ସାଜନ୍ତି କର୍ତ୍ତା । ପୂଜକ କୁଶବଟୁ ପିନ୍ଧାଇବା ପରେ ମୁସଲମାନ ଦଳବେହେରା ଯଜ୍ଞର କର୍ତ୍ତା ଭାବେ ଘୃତାହୁତି ପ୍ରଦାନ କରନ୍ତି। ମାଣିକାଗୋଡ଼ାର ଦଶହରାର ଆଉ ଏକ ହୃଦୟସ୍ପର୍ଶୀ ପରମ୍ପରା ହେଉଛି ମାଣିକଭୂୟାଁ ଠାକୁରାଣୀଙ୍କ ମୁସଲମାନ ଦଳବେହେରାଙ୍କ ଘରକୁ ଆଗମନ । ସନ୍ଧ୍ୟାରେ ରୋଶଣି ପଟୁଆରରେ ମା’ ଦଳବେହେରାଙ୍କ ଦୁଆରେ ପହଞ୍ଚି ଫଳ ଓ ଶୁଖିଲା ଭୋଗ ଗ୍ରହଣ କରନ୍ତି। ପରେ ମାଙ୍କ ପ୍ରସାଦକୁ ହିନ୍ଦୁ, ମୁସଲମାନ ଓ ଅନ୍ୟ ଧର୍ମାବଲମ୍ବୀମାନେ ଏକାଠି ବସି ସେବନ କରନ୍ତି।

ଏହି ଦୃଶ୍ୟ କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ବରଂ ମଣିଷ ମଧ୍ୟରେ ଥିବା ଭେଦଭାବକୁ ଦୂର କରି ପ୍ରେମ, ବିଶ୍ୱାସ ଓ ଭାଇଚାରାର ବନ୍ଧନକୁ ସୁଦୃଢ଼ କରିବାର ଏକ ନିଆରା ଉଦାହରଣ । ଆଜିର ସମାଜରେ ଧର୍ମ ଓ ସମ୍ପ୍ରଦାୟ ନାମରେ ଭେଦଭାବର କଥା ଉଠୁଥିବା ବେଳେ ମାଣିକାଗୋଡ଼ାର ଦଶହରା ଏକତା, ସହିଷ୍ଣୁତା ଓ ସହାବସ୍ଥାନର ଅନନ୍ୟ ବାର୍ତ୍ତା ଦେଉଛି । ଏଠାରେ ଧର୍ମ ଭିନ୍ନ ହେଲେ ମଧ୍ୟ ପରମ୍ପରା ସମସ୍ତଙ୍କୁ ଏକାଠି କରିଛି । ଯାହା ବିଶ୍ୱର ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ ।

ମାଣିକାଗୋଡ଼ାର ଏହି ନିଆରା ଦଶହରା ପରମ୍ପରା ପ୍ରମାଣ କରୁଛି ଯେ ମଣିଷକୁ ଯୋଡ଼ି ରଖିବାର ସବୁଠାରୁ ବଡ଼ ଶକ୍ତି ହେଉଛି ପ୍ରେମ, ପରସ୍ପର ପ୍ରତି ସମ୍ମାନ ଓ ଭାଇଚାରା। ଏହି ପରମ୍ପରା କେବଳ ମାଣିକାଗୋଡ଼ାର ଗୌରବ ନୁହେଁ, ବରଂ ସମଗ୍ର ସମାଜ ପାଇଁ ଏକ ପ୍ରେରଣାଦାୟକ ବାର୍ତ୍ତା । ଗ୍ରାମବାସୀ ଶରତ କୁମାର ଦଳେଇ କହିଛନ୍ତି ଇଏ ଏକ ନିଆରା ପରମ୍ପରା ଯେଉଁଠି ହିନ୍ଦୁଙ୍କ ପର୍ବରେ ମୁସଲମାନ ସାଜନ୍ତି କର୍ତ୍ତା ଏବଂ ସମସ୍ତଙ୍କୁ ଏକାଠି କରି ଏହି ପର୍ବକୁ ପାଳନ କରନ୍ତି । ପୂଜକ ଅଭିଳାଷ ତ୍ରିପାଠୀ କହିଛନ୍ତି ବର୍ଷ ବର୍ଷ ତଳର ଏହି ପୁରୁଣା ପରମ୍ପରା ପୁରୀ ରାଜାଙ୍କ ଦ୍ୱାରା ପ୍ରଚଳିତ ହୋଇ ଆସିଛି । ଦଶହରାରେ ମା’ କନକ ଦୁର୍ଗାଙ୍କ ପୂଜାର୍ଚ୍ଚନା ସ୍ୱତନ୍ତ୍ର ରୀତିନୀତିରେ କରାଯାଏ । ବିଶେଷକରି ଏଠାରେ ମାଙ୍କ ଅପରାଜିତା ହୋମରେ ମୁସଲମାନ ଦଳବେହେରା କର୍ତ୍ତା ସାଜି ଆହୁତି ପ୍ରଦାନ କରିଥାନ୍ତି ।