ନବୀନଙ୍କ ସାମ୍ନାରେ ଶ୍ରୀମୟୀ କହିଲେ...

Key Points
- ଫାଳ ଫାଳ ହେଲାଣି କି ବିଜୁ ଜନତା ଦଳ
- ପାଟିତୁଣ୍ଡରେ କମ୍ପିଲା ଶଙ୍ଖ ଭବନ
- ତେଜିଲା ଗୋହି ଖୋଳାଖୋଳି
ଅର୍ଗସ ବ୍ୟୁରୋ: ବିଜେଡିରେ ସାଙ୍ଘାତିକ ବିଶୃଙ୍ଖଳା । ଏବେ ତଳସ୍ତରର କର୍ମୀ ନୁହେଁ ବରଂ ବଡ଼ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଗଲାଣି ଗୃହଯୁଦ୍ଧ । ସ୍ଥାନ କାଳ ପାତ୍ର କିଛି ମାନିଲେନି ବରଂ ପରସ୍ପରର ଗୋହି ଖୋଳାଖୋଳି ହେଲେ । ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲ୍ଲା ବୈଠକ ଚାଲିଥିବା ବେଳେ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଓ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଭିତରେ ପ୍ରବଳ କଥା କଟାକଟି, ବାକ୍ ବିତଣ୍ଡାର ଚର୍ଚ୍ଚା ପରେ ମୁହଁ ଖୋଲିଛନ୍ତି ଶ୍ରୀମୟୀ । କହିଛନ୍ତି, ଯେଉଁମାନେ ନାରୀଙ୍କୁ ସମ୍ମାନ ଦେଇ ଜାଣନ୍ତି ନାହିଁ ସେମାନଙ୍କ ଅବସ୍ଥା କଣ ହୁଏ ତାହା ଦୁନିଆ ଜାଣିଛି ।
କ୍ଷମତାରୁ ଯିବା ପରେ ଆକ୍ତାମାକ୍ତ ହେଲେଣି କି ବିଜେଡି ନେତା ? କାରଣ ଯେଉଁ ପରି ଭାବରେ ବାକସଂଯମତା ହରାଉଛନ୍ତି ନେତା, ତାହା ଯଦି ଲାଗି ରହେ ତେବେ ଆଗାମୀ ଦିନରେ ସ୍ଥିତି ଆହୁରି ସଙ୍ଗୀନ ହେବ । ଶଙ୍ଖ ଭବନରେ ଝଗଡ଼ା ହେବା ପରେ ଘର କଥା ବାହାରେ କାହିଁକି କହିବି ବୋଲି କହିବା ପରେ ବି ପ୍ରଦୀପ ସାହୁ ମୋ ବଡ ଭାଇ, ଯାହା କିଛି ହୋଇଛି ତାକୁ ଦଳ ବିଚାର କରିବ ବୋଲି ଶ୍ରୀମୟୀ କହିଛନ୍ତି । ଅପରପକ୍ଷେ ପ୍ରଦୀପ ସାହୁ କହିଛନ୍ତି, ଘଟଣା ସେଭଳି ଗୁରୁତର ନୁହଁ। ହେଲେ ଶ୍ରୀମୟୀ -ପ୍ରଦୀପ କଳିରେ କିନ୍ତୁ ଛୁଙ୍କ ମାରିଛନ୍ତି ଭୁବନେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ। ସେ କହିଛନ୍ତି ଦଳରେ ଶୃଙ୍ଖଳା କମିଛି । ମହିଳାମାନେ କେବଳ ସମ୍ମାନ ପାଇବା ଆଶା ନକରି ସମ୍ମାନ ଦେବା ବି ଶିଖନ୍ତୁ ।
କ୍ଷମତାରରେ ଥିବା ବେଳେ ବିଜେଡି ଗୋଟିଏ ଶୃଙ୍ଖଳାରେ କାମ କରୁଥିଲା । ହେଲେ ଏବେ କ୍ଷମତା ଯିବା ପରେ ଦଳୀୟ ନେତା କିଛି ମାନିବାକୁ ସତେ ଯେମିତି ପ୍ରସ୍ତୁତ ନାହାନ୍ତି । ଯାହାକୁ ଯାହା ପାଇଲେ କହୁଛନ୍ତି ତ ଯାହା ଇଚ୍ଛା ତାହା କରୁଛନ୍ତି । ବାରମ୍ବାର ତାଗିଦ ପରେ ନେତା ଶୁଣୁନାହାନ୍ତି ଓଲଟି ନାଲିଆଖି ଦେଖାଉଛନ୍ତି । କଥା ହେଲା ଯଦି ରାଜଧାନୀରେ ନେତାଙ୍କ ଅବସ୍ଥା ଏମିତି ହେଲାଣି ଗାଁରେ ସ୍ଥିତି କଣ ଥିବ ? ସେପଟେ, ଗତକାଲି ଜନ ସମ୍ପର୍କ ପଦଯାତ୍ରାରେ ବି ଫୁଟିକି ବାହାରିଛି ଦଳୀୟ ଫାଟ । ଗୋଷ୍ଠୀ ଅନୁସାରେ ହେଲା ପଦଯାତ୍ରା । ଭୁବନେଶ୍ୱରରେ ଆୟୋଜିତ ପଦଯାତ୍ରା କାର୍ଯ୍ୟକ୍ରମକୁ ବିଜେଡିର ଦୁଇ ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହା ସୂପକାରଙ୍କୁ ଡକାଯାଇ ନଥିଲା । ଉଭୟେ କିନ୍ତୁ ଚୁପ୍ ନରହି ରକ୍ତଦାନ ଶିବିର ଆୟୋଜନ କରିଥିଲେ ।
📱 Get Argus News App
✨ଦିନେ ଦଳୀୟ ଶୃଙ୍ଖଳା ପାଇଁ ପାଟିରେ ତୁଣ୍ଡି ବାନ୍ଧିଥିଲେ ନେତା । ମାତ୍ର ୨୪ ବିପର୍ଯ୍ୟୟ ପରେ ଯେମିତି ନେତା ଆଉ ପାଟି ନଖୋଲି ରହି ପାରୁ ନାହାନ୍ତି। ଏଭଳି ସ୍ଥିତିରେ ଦଳକୁ ସଂଗଠିତ କରିବାକୁ ନବୀନ ଆଗକୁ କି ପଦକ୍ଷେପ ନେଉଛନ୍ତି ତାପରେ ନଜର ।