ମନମୋହନଙ୍କ ବିସ୍ଫୋରକ ବୟାନ । କହିଲେ, ଖାଲି ହୋଇଯିବ ବିଜେଡି

Key Points
- ସାଙ୍ଘାତିକ ବୟାନ ଦେଲେ ବିଜେପି ରାଜ୍ୟ ସଭାପତି
- କହିଲେ, ବିଜେଡି ନେତାଏ ବିଜେପି ଆସିବା ପାଇଁ ଆବେଦନ କରିଛନ୍ତି
- ଆଗକୁ ଖାଲି ହୋଇଯିବ ବିଜେଡି
ଅର୍ଗସ ବ୍ୟୁରୋ: ବିଜେପିକୁ ଆସିବା ପାଇଁ ବିଜେଡି ନେତା ଆବେଦନ କରିଛନ୍ତି । ପୂର୍ବରୁ ବିଜେଡି ଛାଡି ଦୁଇ ରାଜ୍ୟସଭା ସାଂସଦ ବିଜେପିରେ ସାମିଲ ହେଲେ । ଅନେକ ନେତା , କର୍ମୀ ବି ବିଜେଡିକୁ ଟାଟା ବାଏ ବାଏ କରି ବିଜେପିରେ ସାମିଲ ହୋଇଛନ୍ତି । ଏହି ଧାରା ଆଗାମୀ ଦିନରେ ବି ଜାରି ରହିବ । ବିଜେଡି ପୁରା ଖାଲି ହୋଇଯିବ । ଶଙ୍ଖ ଦଳରେ ଆଉ କେହି ରହିବେ ନାହିଁ । ଗଣମାଧ୍ୟମ ସାମ୍ନାରେ ଏମିତି ବୟାନ ଦେବା ପରେ ଏବେ ଚର୍ଚ୍ଚା ଜୋର । କୁହାଯାଉଛି କି ପୁଣି ରାଜ୍ୟସଭା ସାଂସଦ ଛାଡିପାରନ୍ତି ବିଜେଡି ।
୨୪ ବର୍ଷର ଶାସନ, ୨୪ ବର୍ଷର ମୁଖ୍ୟମନ୍ତ୍ରୀ । ଷଷ୍ଠଥର କ୍ଷମତାକୁ ଫେରିବାକୁ ଦେଖୁଥିଲେ ସ୍ଵପ୍ନ । ହେଲେ ସେ ସ୍ଵପ୍ନ ପୂରଣ ହେଲାନାହିଁ । ସେଇଥି ଲାଗି ତ କ୍ଷମତା ବିନା ଦଳରେ ଚାପା ଉତ୍ତେଜନା । କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ଅହେତୁକ କ୍ଷମତା, ପାଣ୍ଡିଆନଙ୍କ ଅତ୍ୟଧିକ ମନମାନି ପାଇଁ ହାରିଲା ବିଜେଡି । ଯେହେତୁ ଦଳରେ ଅନେକ ନେତା ଅଣନିଶ୍ଵାସୀ ହୋଇ ପଡିଥିଲେ ତେଣୁ ଏବେ ମୌକା ମିଳିବା ମାତ୍ରେ ଅନ୍ୟ ଦଳକୁ ଜମ୍ପ କରୁଛନ୍ତି ନେତା । ଯେଉଁଥି ଲାଗି ଟେନସନ୍ରେ ନବୀନ । କାରଣ ଏହି ଧାରା ଯଦି ଲାଗି ରହେ ତାହାଲେ ଆଗାମୀ ଦିନରେ ବିଜେଡିରେ ଆଉ ନେତା ହିଁ ନଥିବେ । ସେପଟେ ଏମିତି ସମୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯେଉଁ ବୟାନ ଦେଇଛନ୍ତି ତାହା ବିଜେଡିର ଟେନସନକୁ ଆହୁରି ବଢାଇ ଦେଇଛି ।
ଗଡ଼ ରକ୍ଷା କରିବାରେ ବି ସାମର୍ଥ୍ୟ ହେଉନାହାନ୍ତି ନବୀନ ? କାରଣ ନବୀନଙ୍କ ନିର୍ବାଚନମଣ୍ଡଳୀରୁ ଅନେକ ପଂଚାୟତସ୍ତରର କର୍ମୀ ଏବେ ବିଜେଡି ଛାଡି ବିଜେପିରେ ମିଶିଲେଣି । ତେଣୁ ଏମିତି ସ୍ଥିତି ଲାଗିରହିଲେ ଆଗାମୀ ପଂଚାୟତ ପୂର୍ବରୁ ବିଜେଡି ଯେ ସଫା ନହୋଇଯିବ ସେକଥା କିଏ କହିବ ? ମନମୋହନ ସାମଲ ଆହୁରି କହିଛନ୍ତି, ଆମେ କେଉଁଠି କାହାକୁ ବ୍ଲାକମେଲ କରି ଦଳରେ ମିଶାଉ ନାହୁଁ । ନିଜ ଇଚ୍ଛାରେ ସେମାନେ ବିଜେପିରେ ମିଶିବା ପାଇଁ ନିବେଦନ କରୁଛନ୍ତି । ଯଦି ନିର୍ଦ୍ଦିଷ୍ଟ ଅଭିଯୋଗ ଅଛି ବିଜେଡି କହୁ । ପଦଯାତ୍ରାକୁ ନେଇ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ନବୀନ ପଟ୍ଟନାୟକ ୨୪ ବର୍ଷର ହିସାବ ଦିଅନ୍ତୁ । କେତେ ପ୍ରତିଶ୍ରୁତି ଦେଇଥିଲେ, କେତେ ପୂରଣ କରିଛନ୍ତି ପଦଯାତ୍ରା ବେଳେ ଲୋକଙ୍କୁ କୁହନ୍ତୁ । ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା ପୂରଣ କରିଛି । ଯଦି ନବୀନ ବାବୁ ଏହାକୁ ମିଛ ବୋଲି କହୁଛନ୍ତି, ତାହେଲେ ସତ କ’ଣ କୁହନ୍ତୁ ।