ଚତୁର୍ଥ ଥର ପାଇଁ ପୁଣି ରାଜ୍ୟ ବିଜେପି ମଙ୍ଗ ଧରିବେ ମନମୋହନ ସାମଲ

Key Points
ଏଥରକୁ ମିଶାଇ ଚତୁର୍ଥ ଥର ପାଇଁ ବିଜେପି ରାଜ୍ୟ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି ମନମୋହନ ସାମଲ ।
୨୦୨୩ମାର୍ଚ୍ଚରେ ଦ୍ୱିତୀୟ ଥର ପାଇଁ ମନମୋହନ ବନିଥିଲେ ରାଜ୍ୟ ସଭାପତି ।
ବିଜେପି ରାଜ୍ୟ ସଭାପତି ପଦକୁ ନେଇ କଳ୍ପନାଜଳ୍ପନାର ଅନ୍ତ । ଚତୁର୍ଥ ଥର ପାଇଁ ରାଜ୍ୟ ବିଜେପି ମଙ୍ଗ ଧରିବେ ମନମୋହନ ସାମଲ । କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା । ଜଣେ ମାତ୍ର ପ୍ରାର୍ଥୀ ଭାବେ ସଭାପତି ପଦ ପାଇଁ କରିଛନ୍ତି ନାମାଙ୍କନ । ମଙ୍ଗଳବାର ନାମାଙ୍କନ ପତ୍ର ଯାଞ୍ଚ ପରେ ଯଦି ଆବେଦନ ଠିକ୍ ଥାଏ, ଦିନ ୧୧ରେ ସଭାପତି ଭାବେ ମନମୋହନ ସାମଲଙ୍କ ନାଁ ବିଧିବଦ୍ଧ ଘୋଷଣା କରିବେ ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲ । ରାଜ୍ୟ ସଭାପତି ପଦ ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପାଇଁ ଓଡ଼ିଶାରୁ ୩୨ ଜଣ ଆବେଦନ କରିଥିବା ସୂଚନା ଦେଇଛନ୍ତି ଜୟସ୍ବାଲ।
ଏଥରକୁ ମିଶାଇ ଚତୁର୍ଥ ଥର ପାଇଁ ବିଜେପି ରାଜ୍ୟ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି ମନମୋହନ ସାମଲ । ଆଉ ସେ ଯେବେଯେବେ ଦଳର ମଙ୍ଗ ଧରିଛନ୍ତି ରାଜ୍ୟ ବିଜେପି ଚାଖିଛି କ୍ଷମତାର ସ୍ବାଦ । ପ୍ରଥମ ପାଳିରେ ୧୯୯୯ ରୁ ୨୦୦୦ ଯାଏ ରାଜ୍ୟ ସଭାପତି ଦୟିତ୍ବ ସମ୍ଭାଳିଥିଲେ ମନମୋହନ। ଏହାପରେ ଲଗାତାର ଦ୍ବିତ୍ବୀୟ ଥର ପାଇଁ ୨୦୦୦ରୁ ୨୦୦୪ ଯାଏ ଏହି ପଦରେ ସେ ଆସୀନ ହୋଇଥିଲେ। ଏହି ସମୟରେ ବିଜେପି ପ୍ରଥମ ଥର ପଇଁ ବିଜେଡି ସହ ମିଶି ରାଜ୍ୟରେ ମେଣ୍ଟ ସରକାର ଗଠନ କରିଥିଲା।
ଏହାପରେ ୨୦୨୩ମାର୍ଚ୍ଚରେ ଦ୍ବିତୀୟ ଥର ପାଇଁ ମନମୋହନ ବନିଥିଲେ ରାଜ୍ୟ ସଭାପତି। ସେତେବେଳ ବିନା ନିର୍ବାଚନରେ ମନମୋହନଙ୍କ ନାଁ ସଭାପତି ଭାବେ କେନ୍ଦ୍ରୀୟ ସଂଗଠନ ପକ୍ଷରୁ ଘୋଷଣା କରାଯାଇଥିଲା। ଆଉ ଏଥର ତାଙ୍କ ନେତୃତ୍ବରେ ପ୍ରଥମ ଥର ପାଇଁ ରାଜ୍ୟରେ ପୂର୍ଣ୍ଣ ବହୁମତ ହାସଲ ସହ ଏକାକୀ ସରକାର ଗଠନ କରିଥିଲା ବିଜେପି ।
ଛାତ୍ର ଅବସ୍ଥାରୁ ରାଜନୀତିରେ ସକ୍ରିୟ ଥିଲେ ମନମୋହନ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସକ୍ରିୟ ସଦସ୍ୟ ଭାବେ ରାଷ୍ଟ୍ରବାଦୀ ବିଚାର ଧାରା ସହ ଆରମ୍ଭରୁ ଯୋଡ଼ି ହୋଇଥିଲେ ମନମୋହନ । ୧୯୭୮ରେ ଭଦ୍ରକ କଲେଜ ଛାତ୍ରସଂସଦ ସଭାପତି ଭାବେ ହୋଇଥିଲେ ନିର୍ବାଚିତ । ୧୯୭୯ରୁ ୧୯୮୧ ଯାଏ ଏବିଭିପିର ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ବ ସମ୍ଭାଳିଥିଲେ ମନମୋହନ ସାମଲ । ୧୯୮୩ରେ ସେ ବିଜେପିରେ ଯୋଗ ଦେଇଥିଲେ। ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳି ସଭାପତି ଦାୟିତ୍ବରୁ ଆରମ୍ଭ ହୋଇଥିଲା ତାଙ୍କ ରାଜନୈତିକ ଯାତ୍ରା ।
୧୯୮୪ରେ ତାଙ୍କୁ ବାଲେଶ୍ବର ଜିଲ୍ଲା ବିଜେପି ସମ୍ପାଦକ ଦାୟିତ୍ବ ମିଳିଥିଲା । ୧୯୯୦-୯୨ ଯାଏ ବିଜେପି ରାଜ୍ୟ ସମ୍ପାଦକ ଏବଂ ୧୯୯୨ରୁ ୧୯୯୯ ଯାଏ ରାଜ୍ୟ ସାଧାରଣ ସମ୍ପାଦକ ଭଳି ଗୁରୁତ୍ବପୂର୍ଣ୍ଣ ପଦରେ ରହି ଜଣେ ଦକ୍ଷ ସଂଗଠକ ଭାବେ ନିଜକୁ ପ୍ରତିଷ୍ଠିତ କରାଇଥିଲେ ମନମୋହନ । ଏବେ ସେ ଚତୁର୍ଥ ଥର ପାଇଁ ରାଜ୍ୟ ସଭାପତି ବନିବାକୁ ଯାଉଥିବା ସ୍ପଷ୍ଟ ହୋଇଛି । ଏଥିସହ ବିଜେପି ସମର୍ଥକ ମାନେ ରାଜ୍ୟ କାର୍ଯ୍ୟାଳୟରେ ବାଣ ଫୁଟାଇ ମନାଇଛନ୍ତି ଖୁସି । ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଢ଼ିଥିବା ବେଳେ ଦଳ ଓ ସରକାର ମଧ୍ୟରେ ସମନ୍ବୟ ରଖି ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଦଳର ଲୋକପ୍ରିୟତା ବଜାୟ ରଖିବା ଏବେ ମନମୋହନ ପାଇଁ ହେବ ବଡ଼ ଚ୍ୟାଲେଞ୍ଜ ।