ଅନେକ ସ୍ମୃତି ଅନେକ ଅନୁଭବ ଦେଇଛି ୨୦୨୪

ବିଦାୟ ନେଉଛି ବର୍ଷ ୨୦୨୪ । ଅନେକ ସ୍ମୃତି ଅନେକ ଅନୁଭବ ଦେଇଛି ୨୦୨୪ । ଏହି ବର୍ଷ ଓଡ଼ିଶା ପାଇଁ ଥିଲା ଖୁବ୍ ଭାଇଟାଲ । ରାଜ୍ୟରେ ଦେଖିବାକୁ ମିଳିଛି ଅନେକ ପରିବର୍ତ୍ତନ । ଅନେକ ବଡ଼ ବଡ଼ ନେତା ଆସିଛନ୍ତି ଓଡ଼ିଶାକୁ । ଏହି ବର୍ଷ ଲଗାତର ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍ ସୋ ଦେଖିଛି ଓଡ଼ିଶା । ଅନେକ ଲୋକଙ୍କ ଅନେକ ଆଶା ପୂରଣ ହୋଇଛି । ଅନେକଙ୍କୁ ନିରାଶ କରିଛି ୨୦୨୪ । ତେବେ ସେମିତି କିଛି ଖବର ମଧ୍ୟରୁ ଆମେ କିଛି ସ୍ମୃତି ତାଜା କରିବାକୁ ଚେଷ୍ଟା କରୁଛୁ ।
୧-୨୦୨୪ ନିର୍ବାଚନ ପ୍ରଚାର
ଦୀର୍ଘ ବର୍ଷ ପରେ ଏଥର ଓଡ଼ିଶା ଦେଖିଛି ନୂଆ ଏବଂ ନିଆରା ନିର୍ବାଚନ । ଆଟାକିଂ ଏବଂ ଆକ୍ଟିଭ ମୋଡ୍ରେ ଥିଲେ ନେତା । ବିଜେଡି-ବିଜେପି-କଂଗ୍ରେସ ତିନି ଦଳ କରିଥିଲେ ଜୋରଦାର ପ୍ରୟାସ । ହେଲେ ଏଥିରେ ସବୁଠାରୁ ଆଗରେ ଥିଲା ବିଜେପି । ସାମାନ୍ୟ ପଛରେ ପଡ଼ିଥିଲା ବିଜେଡି । ତା' ତଳକୁ ରହିଥିଲା କଂଗ୍ରେସ । ବିଜେପି ପାଇଁ କେନ୍ଦ୍ରରୁ ଫାୟାର ବ୍ରାଣ୍ଡ ଲିଡରମାନେ ଆସି ଓଡ଼ିଶାରେ କରିଥିଲେ ମାରାଥନ ପ୍ରଚାର ।
୨-ନବୀନଙ୍କୁ ମୋଦିଙ୍କ ଟାର୍ଗେଟ୍, ୩୦ ଜିଲ୍ଲା ନାଁ କହିପାରିବେନି
ନିର୍ବାଚନ ପ୍ରଚାର ବେଳେ ନରେନ୍ଦ୍ର ମୋଦି, ଅମିତ ଶାହ, ଯୋଗୀ ଆଦିତ୍ୟନାଥ, ହିମନ୍ତ ବିଶ୍ବଶର୍ମାଙ୍କ ଭଳି ନେତାଙ୍କୁ ବାରମ୍ବାର ଦେଖିବାକୁ ମିଳିଥିଲା ଓଡ଼ିଶାରେ । ଯାହାକି ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନଙ୍କୁ କରିଥିଲେ ଟାର୍ଗେଟ । କହିଥିଲେ ନବୀନ ପଟ୍ଟନାୟକ ୨୪ ବର୍ଷର ମୁଖ୍ୟମନ୍ତ୍ରୀ, କିନ୍ତୁ ଓଡ଼ିଶାର ୩୦ ଜିଲ୍ଲାର ନାଁ କହିପାରିବେ ନାହିଁ । ଏହାକୁ ନେଇ ମଧ୍ୟ ଖୁବ୍ ତୁମ୍ବି ତୋଫାନ ହୋଇଥିଲା ।
୩-ନବୀନଙ୍କ ଲୁଙ୍ଗି ପିନ୍ଧି ରିଲ୍ସ
ଏଥର ନିର୍ବାଚନ ପ୍ରଚାରରେ ଡିଜିଟାଲ ମିଡିଆର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ୩ଟି ଯାକ ଦଳ ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବାକୁ କରିଥିଲେ ଚେଷ୍ଟା । ଆଉ ଏହାରି ଭିତରେ ସାମ୍ନାକୁ ଆସିଥିଲା ନବୀନଙ୍କ ଲୁଙ୍ଗି ପିନ୍ଧା ରିଲ୍ସ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଲୁଙ୍ଗି ପିନ୍ଧି ହାତରେ ଦୁଇଟି ଶଙ୍ଖ ଧରି କରିଥିଲେ ରିଲ୍ସ । ଆଉ ପାଖରେ ଥିଲେ ଭିକେ ପାଣ୍ଡିଆନ । ଯାହାକି ଖୁବ୍ ଭାଇରାଲ ହୋଇଥିଲା ।
୪-ଶପଥ ନେଲା ବିଜେପି ସରକାର
ଜୋରଦାର ନିର୍ବାଚନ ପ୍ରଚାର ପରେ ୪ ପର୍ଯ୍ୟାୟରେ ହୋଇଥିଲା ମତଦାନ । ଆଉ ଜୁନ୍ ୪ ତାରିଖରେ ବାହାରିଥିଲା ଫଳାଫଳ । ଯାହାକି ସମସ୍ତଙ୍କୁ କରିଥିଲା ଚକିତ । ଦୀର୍ଘ ୨୪ ବର୍ଷ ଧରି ଯେଉଁ ସରକାରକୁ ଲୋକେ ଦେଖି ଆସୁଥିଲେ ତାର ଅବସାନ ଘଟିଥିଲା । ବିଜେପିକୁ ବହୁମତ ଦେଇଥିଲେ ଓଡ଼ିଶାବାସୀ । ବିଜେଡିର ଅନେକ ଟାଣୁଆ ନେତାଙ୍କ ବିଜୟ ଯାତ୍ରାରେ ପଡ଼ିଥିଲା ପୂର୍ଣ୍ଣଛେଦ । ଜୁନ ୧୨ ତାରିଖରୁ ଆରମ୍ଭ ହୋଇଥିଲା ନୂଆ ଅଧ୍ୟାୟ । ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଠନ କରିଥିଲା ବିଜେପି । ଆଉ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଆଦିବାସୀ ନେତା ମୋହନ ମାଝି । ଏହି ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିଥିଲେ ।
୫-ପାଣ୍ଡିଆନ ପ୍ରଚାର
ନିର୍ବାଚନ ବେଳେ ବିଜେଡି ପକ୍ଷରୁ ପାଣ୍ଡିଆନଙ୍କ ପ୍ରଚାରକୁ ନେଇ ଢ଼େର ଚର୍ଚ୍ଚା ହୋଇଥିଲା । ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ ହୋଇଥିଲେ ସୁଦ୍ଧା ପାଣ୍ଡିଆନ ଏକାକି ହେଲିକପ୍ଟର ଧରି କରୁଥିଲେ ନିର୍ବାଚନ ପ୍ରଚାର । ଯାହାକୁ ନେଇ ଖୁବ୍ ସମାଲୋଚନା କରାଯାଇଥିଲା ।
୬-ସୁଭଦ୍ରା
ନିର୍ବାଚନ ପୂର୍ବରୁ ବିଜେପି ସୁଭଦ୍ରା ଯୋଜନା ପାଇଁ ପ୍ରତିଶ୍ରୁତି ଦେଇଥିଲା । ପ୍ରତ୍ୟେକ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କା । ଆଉ ନିବାର୍ବାଚନ ସରିବାର ମାତ୍ର କିଛି ଦିନ ପରେ ଆରମ୍ଭ ହୋଇଥିଲା ସୁଭଦ୍ର ଯୋଜନା । ଅନେକ ମହିଳାଙ୍କୁ ଏବେ ସୁଦ୍ଧା ମିଳି ସାରିଛି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ।
୭-ଶ୍ରୀମନ୍ଦିର ୪ ଦୁଆର ଖୋଲିଲା
ଖୋଲିଲା ଶ୍ରୀମନ୍ଦିରର ଚାରି ଦ୍ବାର । ନିର୍ବାଚନ ପ୍ରଚାର ବେଳେ ଯେଉଁ ପ୍ରତିଶ୍ରୁତି ଦେଇଥିଲା ବିଜେପି, ସରକାରକୁ ଆସିବା ମାତ୍ରେ ତାକୁ ପୁରଣ କରିଛି ।
୮-ରତ୍ନଭଣ୍ଡାର ଖୋଲା
ସମାନ ଢଙ୍ଗରେ ଖୋଲିଲା ଶ୍ରୀମନ୍ଦିରର ରତ୍ନଭଣ୍ଡାର । ନିର୍ବାଚନ ପ୍ରଚାର ବେଳେ ରତ୍ନଭଣ୍ଡାର ଖୋଲିବା ନେଇ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଯାହାକି ସରକାରକୁ ଆସିବା ମାତ୍ରେ ପୁରଣ କରିଛି ।
୯-ବିଧାୟକଙ୍କ ଉପରେ ଆକ୍ରମଣ
ଯାଜପୁର ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ । ଏହି ଘଟଣା ପାଇଁ ହାଇଭୋଲଟେଜ ନେତା ବବିଦାସଙ୍କ ଭାଇଙ୍କୁ ଗିରଫ କରିଥିଲା ପୋଲିସ ।
୧୦-ଡିଜି ସମ୍ମିଳନୀ
ପ୍ରଥମ ଥର ପାଇଁ ଓଡ଼ିଶାରେ ହୋଇଥିଲା ଡିଜି ସମ୍ମିଳନୀ । ଏଥିରେ ସାମିଲ ହେବା ପାଇଁ ଓଡ଼ିଶା ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲଙ୍କ ସମେତ ପ୍ରତ୍ୟେକ ରାଜ୍ୟର ଡିଜି ଏବଂ ବଡ଼ ବଡ଼ ଅଫିସର ।
୧୧-ଡିଏସ୍ କୁଟ୍ଟେ-ଆଶିଷ ସିଂହଙ୍କ ଉପରେ ଆକ୍ସନ
ନିର୍ବାଚନ ପ୍ରଚାର ବେଳେ ଦୁଇ ଆଇପିଏସ୍ ଅଫିସର ଡିଏସ୍ କୁଟ୍ଟେ ଏବଂ ଆଶିଷ ସିଂହଙ୍କୁ ନେଇ ଢ଼େର ଚର୍ଚ୍ଚା ହୋଇଥିଲା । କାରଣ ସେମାନେ ସରକାରୀ ଚାକିରିରେ ଥାଇ ବିଜେଡିକୁ ସହଯୋଗ କରୁଥିଲେ ।
୧୨-ମେଜର ଓ ବାନ୍ଧବୀ, ଭରତପୁର ଥାନା ମାମଲା
ନିର୍ବାଚନ ସରୁ ସରୁ ଖୁବ୍ ଚର୍ଚ୍ଚାକୁ ଆସିଥିଲା ଭରତପୁର ଥାନା ମାମଲା । ମେଜର ଆଉ ତାଙ୍କ ବାନ୍ଧବୀଙ୍କୁ ରାତି ଅଧରେ ଭରତପୁର ଥାନା ପୋଲିସ କରିଥିଲା ଦୁର୍ବ୍ୟବହାର । ଯାହାକୁ ନେଇ ଉଠିଥିଲା ପଡ଼ିଥିଲା ରାଜ୍ୟ । ସଂକ୍ଷେପରେ କହିବାକୁ ଗଲେ, ବିଳମ୍ବିତ ରାତିରେ FIR ଦେବାକୁ ଭରତପୁର ଥାନାକୁ ଯାଇଥିଲେ ମେଜର ଓ ତାଙ୍କ ବାନ୍ଧବୀ । ସେଠାରେ ପୋଲିସ ତାଙ୍କ ଅଭିଯୋଗ ଶୁଣି ସମାଧାନ କରିବା ପରିବର୍ତ୍ତେ ମେଜରଙ୍କୁ ହାଜତ ଭିତରେ ବନ୍ଦ କରିଥିଲା । ଆଉ ବାନ୍ଧବୀଙ୍କୁ ମିଳିମିଶି ମାଡ଼ ମାରିଥିଲେ ପୋଲିସ । ଏମିତିକି ମହିଳାଙ୍କର ମୁହଁ ଫାଟିଯାଇଥିଲା । ସେ ରକ୍ତାକ୍ତ ହୋଇଥିଲେ ।