ବୁଢାବଳଙ୍ଗ ନଦୀ ଶଯ୍ୟାରେ ଲୁଚିଛି ବହୁ ଅନାଲୋଚିତ ରହସ୍ୟ

ବିଶ୍ୱାସ ନହେଲେ ବି ସତ । ଏକଦା ବାରିପଦା ସହର ଓ ଏହାର ଆଖପାଖ ଅଞ୍ଚଳ ଥିଲା ସମୁଦ୍ର ଗର୍ଭରେ। ଏଠାରେ ଚଳପ୍ରଚଳ କରୁଥିଲେ ବଡ ବଡ ସାମୁଦ୍ରିକ ଜୀବ। ଭୂତାତ୍ବିକ ଗବେଷଣାରୁ ଏନେଇ ମିଳିଛି ବଡ଼ ପ୍ରମାଣ । ବାରିପଦା ସହର ଓ ବୁଢାବଳଙ୍ଗ ନଦୀ ଶଯ୍ୟାରୁ ମିଳିଛି ବହୁ ଜଳଚର ପ୍ରାଣୀଙ୍କ ଜୀବାଶ୍ମ। ଯେଉଁଗୁଡ଼ିକ ମାୟୋସିନ ଯୁଗର ବୋଲି ଜଣାପଡ଼ିଛି। ଆଜିକୁ ୧୨.୬ ରୁ ୮.୩ ନିୟୁତ ବର୍ଷ ପୂର୍ବର ସମୟରୁ ମାୟୋସିନ୍ ଯୁଗ କୁହାଯାଏ। ଅର୍ଥାତ ଏହି ସମୟରେ ବାରିପଦା ଅଞ୍ଚଳ ସମୁଦ୍ର ଗର୍ଭରେ ଥିଲା। ବାରିପଦା ସହର ନିକଟବର୍ତ୍ତି ସାତପଉଟିଆ, ଉସୁରଡିହି, ଇଟାମୁଣ୍ଡିଆ, ମୁକୁରମାଟିଆ, ପ୍ରତାପପୁର ଯାଏ ବୁଢାବଳଙ୍ଗ ନଦୀ ପାର୍ଶ୍ଵରେ ଅବସ୍ଥିତ ଅଞ୍ଚଳକୁ "ବାରିପଦା ଜୀବାଷ୍ମ ଶର୍ଯ୍ୟା" ବା ବାରିପଦା ଫସିଲ୍ ବେଡ୍ କୁହାଯାଉଛି ।
ଏହି ଶଯ୍ୟାରୁ ମିଳିଥିବା ଜୀବାଶ୍ମ ମଧ୍ୟରେ ୪୮% ଶାର୍କ, ୩୧% ବାଟୋଇଡ୍ ଏବଂ ୨୦% ଟେଲିଓଷ୍ଟଙ୍କ ଜୀବାଶ୍ମ ରହିଛି। ଏହି ଶଯ୍ୟାରୁ ଟେଲିଓଷ୍ଟ ମାଛର ଜୀବାଶ୍ମ ମଧ୍ୟ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ଏହା ଉପରେ ଅଧିକ ଅଧ୍ୟୟନ କରାଗଲେ ଆହୁରି ଅନେକ ତଥ୍ୟ ଉଜାଗର ହୋଇପାରିବ ବୋଲି କହିଛନ୍ତି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ପ୍ରଫେସର ଓ ବିଦ୍ୟାର୍ଥୀ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସେମାନଙ୍କ ପୂର୍ବଜମାନଙ୍କ କାଳରୁ ଏ ଅଞ୍ଚଳରେ ପଡିଥିବା ଫସିଲ୍ ଗୁଡିକୁ ଅସୁର ହାଡ ବୋଲି କୁହାଯାଏ। ସେଥିପାଇଁ ପୂର୍ବରୁ ଏ ଅଞ୍ଚଳର ନାଁ ଥିଲା ଅସୁରହାଡି। ଯାହାକି ପରବର୍ତ୍ତି ସମୟରେ ଉସୁରଡିହ ନାମରେ ପରିଚିତ ହୋଇଛି ।
ବାରିପଦା ଫସିଲ୍ ବେଡ ବା ଜୀବାଷ୍ମ ଶଯ୍ୟାରେ ମଲାସ୍କା, ଓଷ୍ଟ୍ରୀୟା ଓ ସାର୍କ ଭଳି ସମୁଦ୍ରିକ ଜୀବଙ୍କ ଫସିଲ୍ ମିଳୁଛି। ଏହି ଜୀବାଷ୍ମ ଉପରେ ଅଧିକ ଅଧ୍ୟୟନ କରାଗଲେ ସେ ସମୟରେ ଏଠାକାର ପରିବେଶ କିପରି ଥିଲା, ଆଉ କେଉଁ କେଉଁ ଜଳଚର ଜୀବ ଏଠାରେ ରହୁଥିଲେ ଏବଂ କେବେ ଓ କିଭଳି ଭୂତାତ୍ୱିକ ପରିବର୍ତ୍ତନ ଘଟି ଏହା ଜଳଭାଗରୁ ସ୍ଥଳଭାଗ ପାଲଟିଲା ଏସବୁ ଉପରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରିବ। ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳକୁ ଜିଓ-ହେରିଟେଜ ଭାବରେ ସଂରକ୍ଷିତ କରାଗଲେ ବହୁ ଅନାଲୋଚିତ ରହସ୍ୟ ସାମ୍ନାକୁ ଆସିପାରିବ ବୋଲି କହିଛନ୍ତି ବିଶେଷଜ୍ଞ।
ଫସିଲ୍ ବା ଜୀବାଷ୍ମ ହେଉଛି ପୃଥିବୀର ଅତୀତକୁ ଦର୍ଶାଉଥିବା ଏକ ଝରକା, ଯାହା ଜୀବନର ଇତିହାସ ଏବଂ ପୃଥିବୀର ଭୂତାତ୍ତ୍ୱିକ ପ୍ରକ୍ରିୟା ସମ୍ବନ୍ଧରେ ଅମୂଲ୍ୟ ତଥ୍ୟ ପ୍ରଦାନ କରେ। "ବାରିପଦା ଜୀବାଷ୍ମ ଶଯ୍ୟା" ପୃଥିବୀରେ ରହିଥିବା ବିଭିନ୍ନ ଫସିଲ୍ ସାଇଟ୍ ମଧ୍ୟରୁ ଅନ୍ୟତମ ତଥା ବିରଳ । ଏହାର ରକ୍ଷଣାବେକ୍ଷଣ କରାଯିବା ସହ ଏହାକୁ ଏକ "ଫସିଲ୍ ପାର୍କ" ରେ ପରିଣତ କରାଗଲେ ଗବେଷକଙ୍କ ପାଇଁ ଗବେଷଣା କେନ୍ଦ୍ର ଓ ପର୍ଯ୍ୟଟକଙ୍କ ପାଇଁ ନୁତନ ଜ୍ଞାନ ଆହରଣର ମାଧ୍ୟମ ସାଜିପାରିବ ।