ଧୀରେ ଧୀରେ ଦୁର୍ବଳ ହେଉଛି ମାଓ ସଂଗଠନ

Key Points
- 2026 ସୁଦ୍ଧା ଓଡିଶା ହେବ ମାଓ ମୁକ୍ତ ରାଜ୍ୟ
- ଆଣ୍ଟି ନକ୍ସଲ ଅପରେସନକୁ ଜୋରଦାର କରିବାକୁ ଲକ୍ଷ୍ୟ
- ସୂଚନା ଦେଲେ ପୋଲିସ ଡିଜି ଓ୍ବାଇ. ବି ଖୁରାନିଆ
- ଧୀରେ ଧୀରେ ଦୁର୍ବଳ ହେଉଛି ମାଓ ସଂଗଠନ
- ମାଓବାଦୀଙ୍କୁ ମୁଳପୋଛ କରିବାକୁ ଅମିତ ଶାହା ଦେଇଥିଲେ ଟାର୍ଗେଟ
ଅର୍ଗସ ବ୍ୟୁରୋ: ରାଜ୍ୟରେ ମାଓବାଦୀଙ୍କ ଆତଙ୍କ ହ୍ରାସ ପାଇବାରେ ଲାଗିଛି । 2026 ସୁଦ୍ଧା ରାଜ୍ୟକୁ ମାଓ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ। ମାର୍ଚ୍ଚ 2026 ସୁଦ୍ଧା ଓଡ଼ିଶାରୁ ନକ୍ସଲଙ୍କୁ ମୂଳପୋଛ କରାଯିବ। ଏନେଇ ନକ୍ସଲ ପ୍ରଭାବିତ ଜିଲ୍ଲା ଏସପିଙ୍କ ସହ ଆଲୋଚନା ସରିଛି । ଆଗକୁ ଆଣ୍ଟି ନକ୍ସଲ ଅପରେସନକୁ ଜୋରଦାର କରାଯିବ ।
ସେପଟେ ଦନ୍ତେୱାଡା ଓ ବିଜାପୁର ସୀମାନ୍ତ ଜଙ୍ଗଲରେ ଯବାନକୁ ମିଳିଛି ବଡ଼ ସଫଳତା । ସର୍ଚ୍ଚ ଅପରେସନରେ 9 ଜଣ ମାଓବାଦୀଙ୍କ ମୃତଦେହ ଜବତ ହୋଇଛି । ଏମାନଙ୍କ ମଧ୍ୟରେ 6ଜଣ ମହିଳା ମାଓବାଦୀ ବୋଲି ଜଣାପଡିଛି । ଘଟଣାସ୍ଥଳରୁ ଗୋଟିଏ ଏସଏଲଆର ବନ୍ଧୁକ, ଗୋଟିଏ ଥ୍ରୀ ନଟ ଥ୍ରୀ ବନ୍ଧୁକ, 12 ବନ୍ଧୁକ, ଗୋଟିଏ ବିଜିଏଲ ଲଞ୍ଚର ଜବତ ହୋଇଛି । ପଶ୍ଚିମ ବସ୍ତର ଓ ଦରଭା ଡିଭିଜନର 40 ରୁ 50 ମାଓବାଦୀ ଦନ୍ତେୱାଡା ଓ ବିଜାପୁର ସୀମାନ୍ତ ଜଙ୍ଗଲରେ କିଛି ବଡ ଯୋଜନା କରୁଥିବା ଖବର ମିଳିବା ପରେ ଆରମ୍ଭ ହୋଇଥିଲା ମିଳିତ ଅପରେସନ ।
ଏପଟେ ବୈଦ୍ଧ-କନ୍ଧମାଳ ଜିଲ୍ଲା ସୀମାର ଘଣ୍ଟାପଡା ଥାନା ଟୁଡିବାହାଲ ଜଙ୍ଗଲରେ ଏସଓଜି ଯବାନଙ୍କ ମାଓ କ୍ୟାମ୍ପ ଠାବ ହୋଇଛି । ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ମାଓକ୍ୟାମ୍ପ ଥିବା ଜଣାପଡିଥିଲା । ମାଓବାଦୀଙ୍କ ପୋଷାକ, ଔଷଧ, ସାଲାଇନ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।
ଦେଶରେ ମାଓ ଗତିବିଧି ନିୟନ୍ତ୍ରଣ କରିବାକୁ ଅଣ୍ଟା ଭିଡିଛନ୍ତି ମୋଦି ସରକାର। ରାଜ୍ୟରେ ଛତିଶଗଡ଼ ଓ ଓଡ଼ିଶା ସୀମାନ୍ତରେ ମଧ୍ୟ ହ୍ରାସ ପାଇଛି ମାଓ ଗତିବିଧି। ମାଓପ୍ରବଣ ଜିଲ୍ଲା ସଂଖ୍ୟା ମଧ୍ୟ ହ୍ରାସ ପାଇଛି। କିଛି ଦିନ ପୂର୍ବେ ଛତିଶଗଡ଼ରେ ହୋଇଥିବା ମାଓ ସମୀକ୍ଷା ବୈଠକରେ ଯୋଗ ଦେଇ ଅଞ୍ଚଳକୁ 2026 ସୁଦ୍ଧା ମାଓବାଦୀ ମୁକ୍ତ କରିବାର ଟାର୍ଗେଟ୍ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ବିଧାନସଭାରେ ମାଓବାଦୀଙ୍କୁ ଶାନ୍ତିର ରାସ୍ତା ଆପଣାଇବାକୁ ଅପିଲ୍ କରିଥିଲେ । 2026 ସୁଦ୍ଧା ଓଡ଼ିଶାକୁ ମାଓ ମୁକ୍ତ କରିବାର ଲକ୍ଷ୍ୟ ରଖାଯାଇଥିବା ନେଇ ସୂଚନା ଦେଇଥିଲେ।
📱 Get Argus News App
✨ପୂର୍ବରୁ ମାଓବାଦୀଙ୍କ ଆତଙ୍କରେ ଥରହର ହେଉଥିଲେ ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ବାସିନ୍ଦା। 2021 ଏପ୍ରିଲରେ ଓଡ଼ିଶା ଛତିଶଗଡ଼ ସୀମାନ୍ତ ବିଜାପୁରରେ ମାଓବାଦୀଙ୍କ ଆକ୍ରମଣରେ ଜୀବନ ହାରିଥିଲେ 30 ଯବାନ। 2008ରେ ମଧ୍ୟ ବାଲିମେଳା ଡ୍ୟାମ ଠାରେ ବୋଟ୍ ଯୋଗେ ଆସୁଥିବା ଯବାନଙ୍କ ଉପରକୁ ଆତର୍କିତ ଆକ୍ରମଣ କରିଥିଲେ ମାଓବାଦୀ। ଏହି ଆକ୍ରମଣରେ ସହିଦ ହୋଇଥିଲେ 38 ଜଣ ଯବାନ। ଏବେ ମାଓବାଦୀଙ୍କ ଉପରେ ଲଗାମ ଲଗାଇବାକୁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର ।