ଆସନ୍ତାକାଲିଠୁ ମାଟ୍ରିକ୍ ପରୀକ୍ଷା: ପରୀକ୍ଷା ଦେବେ ୫ ଲକ୍ଷ ୨୨ ହଜାର ୩୩୬ ଛାତ୍ର ଛାତ୍ରୀ

Key Points
ଆସନ୍ତାକାଲିଠୁ ଆରମ୍ଭ ମାଟ୍ରିକ୍ ପରୀକ୍ଷା
୩ ହଜାର ୧୩୩ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ
ପରୀକ୍ଷା ଦେବେ ୫ ଲକ୍ଷ ୨୨ ହଜାର ୩୩୬ ବିଦ୍ୟାର୍ଥୀ
ପ୍ରଶ୍ନ ପତ୍ର ଲିକ୍ ରୋକିବାକୁ ବୋର୍ଡ କରିବ ସିସିଟିଭି ଲାଇଭ୍ ଷ୍ଟ୍ରିମିଂ
ବୋର୍ଡ କଣ୍ଟ୍ରୋଲ ରୁମ ସହ ଯୋଡ଼ି ହେବ ୬୦୦ ପରୀକ୍ଷା କେନ୍ଦ୍ର
ଶିକ୍ଷାମନ୍ତ୍ରୀ କହିଲେ ପରୀକ୍ଷାରେ କପି ରୋକିବାକୁ ଦିଆଯାଉଛି ଗୁରୁତ୍ଵ
୨୦୨୫ ମସିହାର ମାଟ୍ରିକ ପରୀକ୍ଷା କାଲିଠୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ ୫ ଲକ୍ଷ, ୨୨ ହଜାର ୩୩୬ ବିଦ୍ୟାର୍ଥୀ ଦେବେ ପରୀକ୍ଷା । ଏଥିପାଇଁ ବୋର୍ଡ ପକ୍ଷରୁ ୩ ହଜାର ୧୩୩ ଟି ପରୀକ୍ଷା କେନ୍ଦ୍ର ଓ ୩୧୪ ଟି ନୋଡାଲ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ପ୍ରତି ସିଟିଂରେ ସକାଳ ୯ ଟାରୁ ପରୀକ୍ଷା ଆରମ୍ଭ ହେବ। ୭.୩୦ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ପଡ଼ିବ। ସେହିପରି ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ନିଆଯାଇ ପରୀକ୍ଷା ଦିନ ସାଢେ ସାତଟାରୁ ସାଢେ ଆଠଟା ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଯିବ । ଏଥିପାଇଁ ବୋର୍ଡ ପକ୍ଷରୁ ଚୁଡାନ୍ତ ପ୍ରସ୍ତୁତି ସରିଥିବା ବେଳେ କଟକ ସ୍ଥିତ ବୋର୍ଡର କମାଣ୍ଡ କଣ୍ଟ୍ରୋଲ ରୁମ ରୁ ୬୦୦ ପରୀକ୍ଷା କେନ୍ଦ୍ର ସହ ଲାଇଭ ଡେମୋ ବା ଡ୍ରାଏ ରନ କରାଯାଇଛି।
ପ୍ରଶ୍ନପତ୍ରର ସୁରକ୍ଷା ଓ ସୁପରିଚାଳନା ଉପରେ କଡା ନଜର ରଖାଯିବା ସହ କୌଣସି ସ୍ଥାନରେ ଅନିୟମିତତା ବା ପ୍ରଶ୍ନପତ୍ର ଲିକ୍ ଭଳି ଘଟଣାକୁ ରୋକିବା ଲାଗି ବୋର୍ଡ ପକ୍ଷରୁ ସିସିଟିଭି ଲାଇଭ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା କରାଯାଇଛି। ପୂରା ଲାଇଭ ଷ୍ଟ୍ରିମିଙ୍ଗ ଉପରେ ବୋର୍ଡ କାର୍ଯ୍ୟାଳୟରେ ଥିବା କମାଣ୍ଡ କଣ୍ଟ୍ରୋଲ ରୁମରୁ ନଜର ରଖାଯିବ। ୩୦୦ ପରୀକ୍ଷା କେନ୍ଦ୍ର ଓ ୩୧୪ ନୋଡାଲ ସେଣ୍ଟର ଅର୍ଥାତ ୬୦୦ ସେଣ୍ଟରରେ ଲାଇଭ ଷ୍ଟ୍ରିମିଂଯାଉଛି । ଅବଶିଷ୍ଟ ପରୀକ୍ଷା କେନ୍ଦ୍ରମାନଙ୍କରେ ସିସିଟିଭି ରେକର୍ଡ ବ୍ୟବସ୍ଥା କରାଯାଇଛି। ପରୀକ୍ଷାରେ ମୋବାଇଲକୁ ବାରଣ କରିବା ସହ ଚାରି ଥାକିଆ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଛି। ସେହିପରି ସବୁ ବିଷୟରେ ପ୍ରଶ୍ନ ପତ୍ରର ପ୍ରତି ପୃଷ୍ଟାରେ ୱାଟର ମାର୍କ ବ୍ୟବସ୍ଥା ରହିଛି। ଫଳରେ କେହି ଫଟୋ ଭାଇରାଲ କିମ୍ବା ଲିକ୍ କଲେ ତାହାର ତଥ୍ୟ ବୋର୍ଡକୁ ଜଣା ପଡିଯିବ।
📱 Get Argus News App
✨ମାଟ୍ରିକ ପରୀକ୍ଷା ପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ। ଏଥିସହ ପରୀକ୍ଷାରୁ ସୁଚାରୁ ରୂପେ କରିବାକୁ ସମସ୍ତ ପଦକ୍ଷେପ ନିଆଯାଇଥିବା କହିଛନ୍ତି ମନ୍ତ୍ରୀ। ଯେମିତି କୌଣସି ବ୍ୟତିକ୍ରମ ନହୁଏ, ସେଥିପାଇଁ ବିଭାଗ ତରଫରୁ ଗୁରୁତ୍ଵ ଦିଆଯାଉଛି ।
ପ୍ରଥମ ଦିନରେ ପ୍ରଥମ ଭାଷାରେ ପରୀକ୍ଷା ହେବାକୁ ଥିବା ବେଳେ ପରୀକ୍ଷାର୍ଥୀ ମାନେ ବିନା ଚାପ ରେ ଆସି ପରୀକ୍ଷା ଦେବା ପାଇଁ ଅପିଲ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ।
