ଓଡ଼ିଶାର ସରକାରୀ ସ୍କୁଲରେ ନାଁ ଲେଖାଇଛନ୍ତି ସର୍ବାଧିକ ଛାତ୍ରଛାତ୍ରୀ

ଅର୍ଗସ ବ୍ୟୁରୋ : ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଅଧିକ ପିଲା ସରକାରୀ ସ୍କୁଲରେ ପାଠ ପଢୁଛନ୍ତି। ଏପରିକି ରାଜ୍ୟର ସରକାରୀ ସ୍କୁଲରେ ୬-୧୪ ବର୍ଷ ବୟସର ଛାତ୍ରଛାତ୍ରୀଙ୍କ ହାର ଅନ୍ୟ ରାଜ୍ୟ ଗୁଡ଼ିକଠାରୁ ଅଧିକ ରହିଛି। ସାରା ଦେଶରେ ଏହି ବୟସ ବର୍ଗର ୬୬.୮ ପ୍ରତିଶତ ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ପାଠ ପଢ଼ୁଥିବାବେଳେ ଓଡ଼ିଶାରେ ୮୮.୬ ପ୍ରତିଶତ ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ଶିକ୍ଷାଗ୍ରହଣ କରୁଛନ୍ତି। ଅନୁରୂପ ଭାବରେ ବିଭିନ୍ନ ବର୍ଗରେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଭଲ ପ୍ରଦର୍ଶନ କରିଥିବା ନିକଟରେ ପ୍ରକାଶିତ ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ (ଅସର) ରେ ପ୍ରକାଶିତ ହୋଇଛି।
ରିପୋର୍ଟ ଅନୁସାରେ ୨୦୨୧ ମସିହା ବେଳକୁ ଦେଶର ୭୨% ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟରେ ପଢ଼ୁଥିଲେ ହେଁ ୨୦୨୪ ବେଳକୁ ଏହା ହ୍ରାସ ପାଇ ୬୬.୮% ରେ ପହଞ୍ଚିଛି। ମାତ୍ର ଓଡ଼ିଶାରେ ସରକାରୀ ସ୍କୁଲ ପ୍ରତି ପିଲାମାନଙ୍କ ଆକର୍ଷଣ ଅଧିକ ହୋଇଛି। ୨୦୧୮ରେ ୮୮% ପିଲା ସରକାରୀ ସ୍କୁଲରେ ପାଠ ପଢ଼ୁଥିଲେ ଓ ଏବେ ବି ୮୮.୬% ପିଲା ସରକାରୀ ସ୍କୁଲର ଶିକ୍ଷାର୍ଥୀ ରହିଛନ୍ତି। ସର୍ବଭାରତୀୟସ୍ତରରେ ଏ କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଓଡ଼ିଶା ପଛକୁ ଗୁଜରାଟରେ ୮୬.୫% ଓ ଛତିଶଗଡ଼ରେ ୮୦.୬% ପିଲା ସରକାରୀ ସ୍କୁଲରେ ପାଠ ପଢ଼ୁଛନ୍ତି।