ବନ୍ଧୁକ ଦେଖାଇ ଘର ଲୁଟିନେଲେ ୫ ମୁଖାପିନ୍ଧା ଦୁର୍ବୃତ୍ତ, ଚୋରି ପରେ ବାହାରୁ ତାଲା ପକାଇ ପଳାଇଲେ

Key Points
ମୁଣ୍ଡ ଉପରେ ବନ୍ଧୁକ ଲଗାଇଲେ ଆଉ ଘରୁ ଯାହା ପାରିଲେ ଲୁଟି ନେଲେ । ରାତି ପ୍ରାୟ ଗୋଟାଏ ସମୟରେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଦେବାନବାହାଳି ଗାଁରେ ଏଭଳି ସଶସ୍ତ୍ର ଡକାୟତି ହୋଇଛି ।
ଉଦଳା (ମୟୂରଭଞ୍ଜ): ଅଧ ରାତି, ନିଘୋଡ଼ ନିଦ । ଘରେ ସମସ୍ତେ ଶୋଇଥାନ୍ତି, ଆଉ ରାତିର ଅନ୍ଧାର ଭିତରେ ଛାତ ଡେଇଁ ସିଡ଼ି ଘର ବାଟରେ ଘରେ ପଶିଲେ ମୁଖାପିନ୍ଧା ଦୁର୍ବୃତ୍ତ । ମୁଣ୍ଡ ଉପରେ ବନ୍ଧୁକ ଲଗାଇଲେ ଆଉ ଘରୁ ଯାହା ପାରିଲେ ଲୁଟି ନେଲେ । ରାତି ପ୍ରାୟ ଗୋଟାଏ ସମୟରେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଦେବାନବାହାଳି ଗାଁରେ ଏଭଳି ସଶସ୍ତ୍ର ଡକାୟତି ହୋଇଛି ।
ଗାଁର ଚନ୍ଦନ ନାୟକ ଏବଂ ତାଙ୍କ ଭାଇ ରଞ୍ଜନ ନାୟକଙ୍କ ପରିବାର ଶୋଇଥିବା ବେଳେ ଘରେ ପଶିଥିଲେ ୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ । ଛାତ ଦେଇ ସିଡ଼ି ଘର ରାସ୍ତାରେ ଘରକୁ ଯିବା ସହ ଶୋଇଥିବା ୨ ଭାଇଙ୍କ ଧରି ମୁଣ୍ଡରେ ବନ୍ଧୁକ ରଖିଥିଲେ । ଗଡ୍ରେଜ ଖୋଲି ୧୫ ହଜାର ଟଙ୍କା ସୁନା ଗହଣା ଲୁଟି ନେଇଛନ୍ତି । ଲୁଟ୍ ପରେ ଦୁର୍ବୃତ୍ତ ୨ ଭାଇଙ୍କୁ କବାଟ ପକାଇବା ସହ ଗେଟ୍ରେ ତାଲା ପକାଇ ପଳାଇଥିଲେ ।
ସୂଚନା ଅନୁସାରେ, ୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ୨ଟି ବନ୍ଧୁକ ଧରି ଘରେ ପଶିବା ସହ ଦୁଇ ଭାଇଙ୍କ ନାଁ ଧରି ଡାକିଥିଲେ । ଡକାୟତି ପରେ ତାଲା ପକାଇ ପଳାଇଥିଲେ । ପରେ ଦୁଇ ଭାଇ ଅନ୍ୟ ଲୋକଙ୍କୁ ଡାକିବା ପରେ ତାଲା ଭାଙ୍ଗି ଘରୁ ବାହାରକୁ ଆସିଥିଲେ । ଏନେଇ ଶରତ ଥାନାରେ ଏତଲା ହୋଇଥିବା ବେଳେ ପୋଲିସ ଛାନଭିନ୍ ଆରମ୍ଭ କରିଛି ।